ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଦେଶରେ ଲାଗି ରହିଛି ରାଜନୈତିକ ଝଡ଼ । ଅନ୍ୟପକ୍ଷେ ଏହି ମାମଲାରେ ଦୁର୍ନୀତି ହୋଇଛି କି ନାହିଁ ଓ ଏହାର ତଦନ୍ତ କରାଯିବ କି ନାହିଁ ତାହାକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି । କୋର୍ଟରେ ଶୁଣାଣି ବେଳେ ରାଫେଲକୁ ନେଇ ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯାଇଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।
ଏହା ଉପରେ ବିଚାରପତି କେଏସ ଜୋସେଫ କଡା ଟିପ୍ପଣୀ କରି କହିଛନ୍ତି ଯେ ଯଦି ପ୍ରମାଣରେ ଦମ ଅଛି ଓ ଦୁର୍ନୀତି ହୋଇଛି ତେବେ ତଦନ୍ତ ହେବା ଆବଶ୍ୟକ । ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୧୪ରେ ହେବାର ଅଛି । ଆଟର୍ଣ୍ଣି ଜେନେରାଲ(ଏଜି) କେକେ ଭେନୁଗୋପାଳ ସୁପ୍ରିମକୋର୍ଟକୁ କହିଛନ୍ତି ଯେ କୋର୍ଟର ମନ୍ତବ୍ୟକୁ ନେଇ ବିରୋଧୀ ରାଜନୀତି କରିପାରନ୍ତି । କୋର୍ଟକୁ ଏହି ମାମଲାରେ ସଂଯମତା ଜାରି ରଖିବା ଆବଶ୍ୟକ ରହିଛି । ରାଫେଲ ମାମଲାରେ କେବଳ ଗୋଟିଏ ଫାଇଲର ଉତ୍ସ ଆମକୁ ଜଣା ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ଆବେଦନକାରୀ ଅରୁଣ ଶୌରୀ କହିଛନ୍ତି ଯେ କୋର୍ଟକୁ ସରକାର କିପରି ଭୁଲ ତଥ୍ୟ ଦେଉଛନ୍ତି ତାହାକୁ ନେଇ ସଚେତନ କରିବା ଆମର ଦାୟିତ୍ବ । ସମସ୍ତ ଫାଇଲ ଦେଖା ସରିଛି ତେବେ ଏଜି କୋର୍ଟକୁ ଏହା ନ ଦେଖାଇବା କଥା କାହିଁକି କହୁଛନ୍ତି ।
ଏଜି କହିଛନ୍ତି ଯେ ଯେଉଁ ଗୋପନୀୟ କାଗଜକୁ ନେଇ ଖବରକାଗଜରେ ଛପା ଯାଇଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ପ୍ରତିରକ୍ଷା ମନ୍ତ୍ରାଳୟରୁ ଫାଇଲ ଚୋରି ହୋଇଛି । ଏହି ମାମଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଖବରକାଗଜ କିଛି ଗୋପନୀୟ ତଥ୍ୟ ସାର୍ବଜନୀନ କରିଛି । ଅନ୍ୟଦେଶ ସହ ସରକାରଙ୍କ ସମ୍ପର୍କ, ସୂଚନା ଅଧିକାର ଆଇନ(ଆରଟିଆଇ)ରୁ ବାହାରେ ରହିଛି । ତେଣୁ ଖବରକାଗଜ ସମସ୍ତ ତଥ୍ୟ ସାର୍ବଜନୀନ କରି ଅପରାଧ କରିଛି ବୋଲି ସେ କହିଛନ୍ତି ।
ଶୁଣାଣି ଆରମ୍ଭରୁ ପୁନଃବିଚାର ଦାଖଲ କରିଥିବା ଯାଚିକାକର୍ତ୍ତା ପ୍ରଶାନ୍ତ ଭୂଷଣ ୮ ପୃଷ୍ଠାର ଏକ ନୋଟ କୋର୍ଟକୁ ଦେଖାଇଥିଲେ । କୋର୍ଟ ଏହାକୁ ଗ୍ରହଣ କରି ନଥିଲେ । ପୁରୁଣା ତଥ୍ୟ ଉପରେ କୋର୍ଟ ବିଚାର କରିବେ ବୋଲି କହିଛନ୍ତି । ଏହି ମାମଲାର ନ୍ୟାୟିକ ସମୀକ୍ଷା କରାଗଲେ ଭବିଷ୍ୟତର ପ୍ରତିରକ୍ଷା କ୍ରୟ ଉପରେ ପ୍ରଭାବ ପଡିବ ବୋଲି ଏଜି କହିଛନ୍ତି ।
ତେବେ ଏହି ମାମଲାରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏଜିକୁ ପାଲଟା ପ୍ରଶ୍ନ କରିଛନ୍ତି । ଯଦି ରାଫେଲ ମାମଲା ଫାଇଲ ଚୋରି ହୋଇଥିବା ଖବର ପ୍ରକାଶ ପାଇଛି, ଉକ୍ତ ଖବରକାଗଜ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ କୋର୍ଟ ପ୍ରଶ୍ନ କରିଛନ୍ତି ।