ନୁଆଦିଲ୍ଲୀ: ଲମ୍ବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଏଲଏସିରେ ଚୀନ ସହ ତାଲିଥିବା ସଂଘର୍ଷ ମଧ୍ୟରେ ଶେଷରେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହେବ ଫ୍ରାନ୍ସରୁ ଆସିଥିବା ୫ଟି ରାଫେଲ ବିମାନ । ସେପ୍ଟେମ୍ବର ୧୦ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଅମ୍ବାଲା ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲ ବାୟୁସେନାରେ ସାମିଲ ହେବ ।ଏହି ସମୟରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରେଲ ମଧ୍ୟ ଉପସ୍ଥିତ ରହିପାରନ୍ତି । ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି।
ସୂଚନା ଅନୁଯାୟୀ, ଅମ୍ବାଲା ଏୟାରବେସରେ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଫ୍ରାନ୍ସରୁ ଆସିଥିବା 5ଟି ଯୁଦ୍ଧ ବିମାନ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ । ସେଥିପାଇଁ ବାୟୁସେନା 10 ସେପ୍ଟେମ୍ବର ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କମିଶନ-ସମାରୋହ ପାଇଁ ଏକ ପ୍ରସ୍ତାବ ପଠାଇଛି । ଏହି ଉତ୍ସବ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। କିନ୍ତୁ ଏହି ସମାରୋହରେ ଯୋଗଦେବା ପାଇଁ ଫ୍ରାନ୍ସରୁ ଏପର୍ଯ୍ୟନ୍ତ ଅନୁମୋଦନ ଆସିନାହିଁ ।