ନୂଆଦିଲ୍ଲୀ: ବିରୋଧୀଙ୍କ କଡା ବିରୋଧ ପରେ ସଂସଦରେ ଆଗାମୀ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ପାଇଁ 30 ମିନିଟ ସମୟର ଅନୁମତି ମିଳିଛି । କୋରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ସଂସଦର ଅଧିବେଶନରେ ପ୍ରଶ୍ନକାଳ ବାତିଲ କରିଥିଲେ । ତେବେ ଉଭୟ ସଦନରେ ପ୍ରଶ୍ନ ପଚାରିବା ପାଇଁ 1 ଘଣ୍ଟାର ସମୟ ଦିଆଯାଇଥାଏ ।
ପ୍ରଶ୍ନ ଘଣ୍ଟା କାଳ ବାତିଲକୁ ନେଇ ସରକାରଙ୍କ ଉପରେ ବିରୋଧୀ ତୀବ୍ର ବିରୋଧ କରିଥିଲେ । ଏହା ବିରୋଧୀଙ୍କ ସ୍ୱରକୁ ଦମନ କରିବାକୁ ଉଦ୍ୟମ ବୋଲି ଅଭିଯୋଗ ହୋଇଥିଲା। ମୁଖ୍ୟ ବିରୋଧୀ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦାବି କରିଥିଲେ, ଯେ ପ୍ରଶ୍ନ କାଳକୁ ସ୍ଥଗିତ ରଖି ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ସଂସଦୀୟ ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରାଯାଉଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଦଳ ଏହାକୁ କଦାପି ଗ୍ରହଣ କରିବ ନାହିଁ। ସଂସଦ ଭିତରେ ଏବଂ ବାହାରେ ଆମେ ଏହାକୁ ଦୃଢ ବିରୋଧ କରାଯିବ । ବିରୋଧୀଙ୍କ ବିରୋଧ ପରେ ସରକାର ବର୍ତ୍ତମାନ ସଂସଦରେ ପ୍ରଶ୍ନ ଘଣ୍ଟା ପାଇଁ 30 ମିନିଟର ସମୟ ସ୍ଥିର କରିଛନ୍ତି।