ପ୍ରଗାଢ଼ ଦେଶଭକ୍ତିର ଚେତନା ଜାଗ୍ରତ କରାଇବା ସହିତ 1960 ଦଶକର ମାର୍ମିକ ସ୍ମୃତିକୁ ପୁନରୁଜ୍ଜୀବିତ କରାଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ସ୍ବତନ୍ତ୍ର ରୂପେ ବ୍ୟବସ୍ଥିତ ଭାରତୀୟ ସଂସଦର ବର୍ଷାକାଳୀନ ଅଧିବେଶନର ଉପସ୍ଥିତ ସ୍ବଳ୍ପସଂଖ୍ୟକ ସଦସ୍ୟଙ୍କୁ ଦେଇଥିବା ଭାଷଣ ମାଧ୍ୟମରେ, ଚୀନ୍ ସେନା ବିରୋଧରେ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମୁହାଁମୁହିଁ ସ୍ଥିତିରେ ରହିଥିବା ଭାରତୀୟ ସେନା ସଂପର୍କରେ ସାରା ଦେଶକୁ ସୂଚିତ କରାଇଥିଲେ ।
ଲଦାଖର ଟାଙ୍ଗରା ପାହାଡ଼ରେ ଘାସ କଅଁଳେ କି ନାହିଁ ତାହା ଭିନ୍ନ କଥା, ହେଲେ ତାହା ସତ୍ତ୍ବେ ଭାରତର ଭୌଗୋଳିକ ଅଖଣ୍ଡତା ପାଇଁ ତାହାର ମୂଲ୍ୟ ବହୁତ ଅଧିକ ବୋଲି କହିବା ସହିତ, ସଂସଦର ବର୍ଷାକାଳୀନ ଅଧିବେଶନର ଦ୍ବିତୀୟ ଦିନରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ, ତାଙ୍କ ଦେଶଭକ୍ତିପୂର୍ଣ୍ଣ ଭାବବିହ୍ବଳ ଭାଷଣରେ ଗୁରୁତ୍ବାରୋପ କରିଥିଲେ । 1961ରେ ଜବାହରଲାଲ ନେହରୁ ସଂସଦରେ ଦେଇଥିବା ତାଙ୍କ ବିବୃତିରେ ‘ଲଦାଖର ବିବାଦୀୟ ଅଞ୍ଚଳରେ ଘାସଟିଏ ବି କଅଁଳେ ନାହିଁ’ ବୋଲି ଯାହା କହିଥିଲେ ତାହାର ବିପରୀତ ଦିଗରେ ଯାଇ ରାଜନାଥ ସିଂହ ଭାରତୀୟ ସେନାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେ କହିଥିଲେ, “ଭାରତର ଜମିରୁ ଗୋଟିଏ ଇଞ୍ଚ ହେଲେ ଛାଡ଼ି ନ ଦେବାକୁ ଭାରତୀୟ ସେନା ବଦ୍ଧପରିକର ଏବଂ ଏ କ୍ଷେତ୍ରରେ କୌଣସି ସାଲିସ କରାଯିବନାହିଁ ।”
କଂଗ୍ରେସରେ ନେହରୁଙ୍କ ଅନ୍ୟତମ ସହକର୍ମୀ ମହାବୀର ତ୍ୟାଗୀ ସେତେବେଳେ ବ୍ୟଙ୍ଗ କରି କହିଥିଲେ ଯେ “ଏଠାରେ ବି କିଛି ହେଲେ ବଢୁନାହିଁ... ଏହାକୁ ବି କାହାରିକୁ ଦେଇଦେବା ଉଚିତ ହେବ କି ?” । ସେତେବେଳର ସେଇ ବିବୃତି ନେହରୁଙ୍କ ରାଜନୈତିକ ଭାବମୂର୍ତ୍ତି ପ୍ରତି ଶକ୍ତ ଆଘାତ ଦେଇଥିଲା । ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତକୁ ପ୍ରଶଂସା କରି ରାଜନାଥ ସିଂହ ତାଙ୍କ ଭାଷଣରେ କହିଥିଲେ ଯେ ସେହି ଅଞ୍ଚଳକୁ ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ପରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଛି । ବାସ୍ତବ ନିୟନ୍ତ୍ରଣ ରେଖାରେ ସେନାର ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସିଂହ କହିଲେ, “ଦୀର୍ଘ ସମୟର ଲଢ଼େଇ ପାଇଁ ଭାରତ ଉପଯୁକ୍ତ ଭାବେ ପ୍ରସ୍ତୁତ” ।
ଲଦାଖର ସୁଉଚ୍ଚ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଯୋଗୁଁ ତାପମାତ୍ରା ମାଇନସ୍ 40 ଡିଗ୍ରୀକୁ ଖସିଯାଉଥିବା ବେଳେ ଏଭଳି କଷ୍ଟକର ପରିସ୍ଥିତିରେ ଯୁଦ୍ଧ କରିବାକୁ ଭାରତୀୟ ସେନାକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସିଂହଙ୍କ ଭାଷଣର ପ୍ରତିଟି ଶବ୍ଦକୁ ସୁବିବେଚିତ ଢଙ୍ଗରେ ସଂଯୋଜନା କରାଯାଇଥିଲା । ଭାରତର ଅରୁଣାଚଳ ପ୍ରଦେଶରେ ଚୀନ 90,000 ବର୍ଗ କିଲୋମିଟର ଜାଗା ଉପରେ ମାଲିକାନା ଦାବି କରୁଥିବା ଏବଂ ଲଦାଖ ଅଞ୍ଚଳର 5180 ବର୍ଗ କିଲୋମିଟର ଜାଗାକୁ ପାକିସ୍ତାନ ଚୀନକୁ ହସ୍ତାନ୍ତର କରିଥିବା ବିଷୟର ଅବତାରଣା କରିବା ସହିତ ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥାକୁ ସ୍ବୀକାର କରିବା ସହିତ ଏହାକୁ ସମ୍ମାନ ଦେବା ପାଇଁ ସେ ଚୀନକୁ ସ୍ପଷ୍ଟ ଭାବରେ କହିଥିଲେ ।
ଏ ସଂପର୍କିତ ଭାରତୀୟ ଦୃଷ୍ଟିକୋଣ ସହ ଚୀନ ଅସମ୍ମତି ପ୍ରକାଶ କରିଆସୁଥିବା ଭଳି ମନେହୁଏ । ଗତ ଜୁନ 15 ତାରିଖ ଦିନ ଗଲୱାନ ଉପତ୍ୟକାରେ ଭାରତର ନିୟମିତ ପ୍ୟାଟ୍ରୋଲିଂ ଟିମ୍ ଉପରେ ଚୀନ ସେନାର ହିଂସାତ୍ମକ ଆକ୍ରମଣ ଯୋଗୁଁ 20 ଜଣ ଭାରତୀୟ ସୈନିକଙ୍କ ଜୀବନହାନି ହେବା ପରବର୍ତ୍ତୀ ସମୟରେ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପଟରେ ବିଶାଳ ସେନା ମୁତୟନ ଜାରି ରହିଛି । ଯଦିଓ ଏହା ପୂର୍ବରୁ, ଜୁନ 6 ତାରିଖ ଦିନ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସ୍ଥିତାବସ୍ଥାରେ ପରିବର୍ତ୍ତନ କରିବା ଭଳି କାର୍ଯ୍ୟକଳାପ ଜନିତ କୌଣସି ପ୍ରକାର ମୁହାଁମୁହିଁ ସ୍ଥିତିକୁ ଏଡ଼ାଇ ଯିବା ପାଇଁ ଉଭୟ ପକ୍ଷ ସମ୍ମତ ହୋଇଥିଲେ । ଆଜି ଲୋକସଭାରେ ଦେଇଥିବା ବିବୃତିରେ ଚୀନକୁ ରାଜନାଥ ଆଉ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ, କୂଟନୈତିକ ସ୍ତରରେ ହେଉ କିମ୍ବା ସାମରିକ ସ୍ତରରେ, ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଲାଗି କୌଣସି ପ୍ରକାର ଏକପାଖିଆ ଉଦ୍ୟମ କରାଗଲେ ସମସ୍ତ ଶକ୍ତି ବିନିଯୋଗରେ ତାହାକୁ ପଣ୍ଡ କରାଯିବ ।
ଅପରପକ୍ଷରେ, 1962 ପୂର୍ବରୁ ବି ଭାରତର ସାମରିକ ପ୍ରସ୍ତୁତି ମନ୍ଦ ନଥିଲା । ବାସ୍ତବରେ, ଭାରତ, ତିବ୍ବତର କେତେକ ଗାଁର ଉପର ଭାଗରେ ଅବସ୍ଥିତ ଥାଙ୍ଗ ଲା ପୋଷ୍ଟ, ଖିଞ୍ଜାମନି, ଧୋଲା ପୋଷ୍ଟ ସମେତ ମ୍ୟାକ୍ମୋହନ ରେଖା ନିକଟବର୍ତ୍ତୀ ଅନ୍ୟାନ୍ୟ ଅନେକ ସ୍ଥାନରେ ସୁବିଧାଜନକ ସ୍ଥିତିରେ ରହିଥିଲା । 1959ରୁ ଯୁଦ୍ଧ ଆରମ୍ଭ ହେବା ସମୟ ଅବସରରେ, ବିଭିନ୍ନ ପ୍ୟାଟ୍ରୋଲିଂ ପୋଷ୍ଟ ଭିତରେ ରହିଥିବା ଶୂନ୍ୟସ୍ଥାନ ସମୂହକୁ ନେହରୁ ସରକାର ପୂରଣ କରିଦେଇଥିଲେ । ପର୍ଯ୍ୟାପ୍ତ ପ୍ରସ୍ତୁତି ହୋଇଥିଲା, କିନ୍ତୁ ରାଜନୈତିକ ଓ କୂଟନୈତିକ ସ୍ତରରେ ବର୍ତ୍ତମାନ ସମୟ ଅନୁରୂପ ଉପଯୁକ୍ତ ଦୃଷ୍ଟିଭଙ୍ଗୀ ନଥିଲା । ସଂସଦ ଭିତରେ ହେଉ କି ବାହାରେ, ଯେଉଁସବୁ ବିବୃତି ଦିଆଯାଉଥିଲା, ତାହା ସୌଖୀନ ଢଙ୍ଗରେ ଦିଆଯାଉଥିଲା । ରାଜନୈତିକ ଦୃଷ୍ଟିଭଙ୍ଗୀରେ ଦୃଢ଼ତା ନଥିଲା । ସୀମା ସୁରକ୍ଷା ଲାଗି ମୁତୟନ ହୋଇଥିବା ବିଭିନ୍ନ ସେନା ମଧ୍ୟରେ ରହିଥିବା ଯୋଗାଯୋଗ ବ୍ୟବସ୍ଥାରେ ବିରାଟ ଏକ ଶୂନ୍ୟସ୍ଥାନ ରହୁଥିଲା ।
ପୂର୍ବାଞ୍ଚଳର ସୀମା ଦାୟିତ୍ବରେ ଥିବା ଆସାମ ରାଇଫଲ ଭଳି ସେନା ସହିତ ପଦାତିକ ସେନାବାହିନୀର କୌଣସି ଯୋଗାଯୋଗ ନଥିଲା ଏବଂ ଆସାମ ରାଇଫଲ, ସୀମାବର୍ତ୍ତୀ ଅଞ୍ଚଳର ଆଚରଣ ପ୍ରଥା ସଂପର୍କରେ କୌଣସି ଧାରଣା ନଥିବା ଏକ ବେସାମରିକ ସରକାରଙ୍କ ନିକଟରେ ଉତ୍ତରଦାୟୀ ରହିଥିଲା । 60 ଦଶକର ସୀମା ବିବାଦ ସଂପର୍କରେ ଭାରତ ସପକ୍ଷରେ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ଗଠନ ନିମନ୍ତେ କରାଯାଇଥିବା ଉଦ୍ୟମ ପର୍ଯ୍ୟାପ୍ତ ଏବଂ ଯଥାର୍ଥ ନଥିଲା । ସେତେବେଳେ ଚୀନ ଆକ୍ରମଣକାରୀ ହୋଇଥିବା ସତ୍ତ୍ବେ ସାରା ବିଶ୍ବ ତାକୁ ଆକ୍ରମଣର ଶିକାର ବୋଲି ଭାବୁଥିଲା । କିନ୍ତୁ ଏଥର ଚୀନର ସମସ୍ତ ଚାଲ ସଂପୂର୍ଣ୍ଣ ପଦାରେ ପଡ଼ିଯାଇଛି । ନେହରୁ ସରକାରଙ୍କ ତୁଳନାରେ ଏବେକାର ସରକାରଙ୍କ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚ ଖୁବ୍ ଭଲ ରହିଛି ।
ବାସ୍ତବରେ, ସଂପ୍ରତି ଏକ ସ୍ବତନ୍ତ୍ର ବଳ ରୂପେ ଜଣାଶୁଣା ସ୍ପେସିଆଲ ଫ୍ରଣ୍ଟିୟର ଫୋର୍ସ ନେହରୁଙ୍କ ମାନସ ସନ୍ତାନ ଥିଲା ଏବଂ 1959ରେ ତିବ୍ବତ ବିଦ୍ରୋହ ସମୟରେ ଭାରତକୁ ତିବ୍ବତୀୟମାନେ ପଳାଇ ଆସିବା ପରେ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଗୋପନ ଯୁଦ୍ଧ ଅଭିଯାନ ଚଳାଇବା ନିମନ୍ତେ ଏହାର ଗଠନ କରାଯାଇଥିଲା । ହେଲେ, ଲଦାଖରେ ଏସ୍ଏଫ୍ଏଫ୍ର ଜଣେ ଯବାନଙ୍କ ମୃତ୍ୟୁ ପରେ ଏହି ବଳ ସଂପର୍କରେ ବର୍ତ୍ତମାନର ସରକାର ପ୍ରକାଶ କରିବା ଘଟଣା ଚୀନକୁ ଶକ୍ତ ଧକ୍କା ସଦୃଶ ହୋଇଛି । ରାଷ୍ଟ୍ରଗଠନ କ୍ଷେତ୍ରରେ ନେହରୁଙ୍କ ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ, କିନ୍ତୁ ବାସ୍ତବ ନିୟନ୍ତ୍ରଣ ରେଖା ସନ୍ଦର୍ଭରେ ଜନମାନସରେ ରାଜନୈତିକ ଦୃଷ୍ଟିଭଙ୍ଗୀ ସମ୍ବଳିତ ଭାବମୂର୍ତ୍ତି ଗଠନକୁ ରାଜନେତାମାନେ ହିଁ ଭଲ ଭାବେ ଜାଣନ୍ତି ।
ବିଲାଲ ଭଟ୍ଟ, ଇଟିଭି ଭାରତ