ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବରୁ ହିଁ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କ ଅର୍ଥନୀତିକୁ ଶୁକ୍ରବାର ଆଉ ଏକ ଶକ୍ତ ଝଟକା ଲାଗିଛି । ଦେଶର ଅଭିବୃଦ୍ଧି ହାର ପୁଣି ଖସିଛି । ଯାହାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ଜିଡିପି ହ୍ରାସକୁ ନେଇ ଟ୍ବିଟ କରି କେନ୍ଦ୍ରକୁ ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।
'ସରକାରଙ୍କ ସବୁ ପ୍ରତିଶ୍ରୃତି ମିଛ'
ଦେଶର ଅଭିବୃଦ୍ଧି ହାର ପୁଣି ଖସିଛି। ଯାହାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।
ଜିଡିପି ଅଭିବୃଦ୍ଧି ହାରକୁ ନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ପ୍ରତିବର୍ଷ 2 କୋଟି ନିଯୁକ୍ତି ସୁଯୋଗ ଦିଆଯିବ, ଫସଲର ଦାମ ଦୁଇଗୁଣ ହେବ, ଭଲ ଦିନ ଆସିବ, ମେକ ଇନ ଇଣ୍ଡିଆ ହେବ, ଅର୍ଥ ବ୍ୟବସ୍ଥା 5 ଟ୍ରିଲିୟନ ଡଲାର ହେବ ବୋଲି ସରକାର ପ୍ରତିଶୃତି ଦେଇଥିଲେ । ହେଲେ ସରକାରଙ୍କ ସବୁ ପ୍ରତିଶୃତି ମିଥ୍ୟା ସାବ୍ୟସ୍ତ ହେଉଥିବା ଦେଖାଯାଉଛି । ଆଜି ଜିଡିପି ଅଭିବୃଦ୍ଧି ହାର 4.5 ପ୍ରତିଶତକୁ ଖସିଛି।’ ଏହା ସହିତ ମୋଦି ସରକାରଙ୍କୁ ତାଙ୍କର ସମସ୍ତ ପ୍ରତିଶ୍ରୃତିର ହିସାବ ମାଗିଛନ୍ତି ସେ।
ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସ(ଜୁଲାଇ-ସେପ୍ଟେମ୍ବର)ରେ ଜିଡିପି ଅଭିବୃଦ୍ଧି ହାର 0.5 ପ୍ରତିଶତ ହ୍ରାସ ଘଟି 4.5 ପ୍ରତିଶତକୁ ପହଞ୍ଚିଛି। ଯାହାକି ସାଢେ 6 ବର୍ଷରେ ସର୍ବନିମ୍ନ।