ନୂଆଦିଲ୍ଲୀ: ରବିବାର ୬୨ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ହୁନର ହାଟଠାରୁ ଆରମ୍ଭ କରି ଭାଗିରଥୀ ଆମ୍ମା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି ମୋଦି । ସେ କାର୍ଯ୍ୟକ୍ରମରେ 12 ବର୍ଷ ବୟସରେ 7 ହଜାର ମିଟର ଉଚ୍ଚ ପର୍ବତାରୋହୀ କାମ୍ୟା କାର୍ତ୍ତୀକେୟନ ଏବଂ 105 ବର୍ଷିୟା ଭାଗୀରଥୀ ଆମ୍ମାଙ୍କ ସଫଳ କାହାଣୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମରେ ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖାର ସ୍ବାଦ ସମ୍ପର୍କରେ ବର୍ଣ୍ଣନା କରିବା ମଧ୍ୟ ଭୁଲିନାହାନ୍ତି । ଦିଲ୍ଲୀର ହୁନର ହାଟରେ ଖାଇଥିବା ସ୍ବାଦିଷ୍ଟ ବ୍ୟଞ୍ଜନର ପ୍ରଶଂସା କରିବା ସହ ହୁନର ହାଟ ଯାଇ କଳାକାରଙ୍କୁ ଭେଟିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଏନେଇ ସେ କହିଛନ୍ତି, ହୁନର ହାଟର ଭଳି ଏକ ଛୋଟ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା ଏବଂ ବିବିଧତା ପରିଲକ୍ଷିତ ହେଉଛି । ହୁନର ହାଟ କଳା ପ୍ରଦର୍ଶନ ପାଇଁ ଏକ ମଞ୍ଚ ସ୍ବରୂପ । ଏହା ସହିତ ରୋଜଗାର ବୃଦ୍ଧିର ଏକ ମାଧ୍ୟମ ମଧ୍ୟ ।
କାର୍ଯ୍ୟକ୍ରମରେ 12 ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତୀକେୟନଙ୍କ ଉପଲବ୍ଧି ସମ୍ପର୍କରେ ବଖାଣିଛନ୍ତି ମୋଦି । ମାଉଣ୍ଟ ଏକୋନଗୋଆର ଶୀର୍ଷରେ ପହଞ୍ଚିଥିବା କାମ୍ୟାଙ୍କୁ ଶୁଭେଚ୍ଛା ଜଣାଇ ମୋଦି କହିଛନ୍ତି, ଏହା ଦକ୍ଷିଣ ଆମେରିକାର ସବୁଠୁ ଉଚ୍ଚତମ ପର୍ବତ । କାମ୍ୟା ସର୍ବପ୍ରଥମେ ସେଠାରେ ତ୍ରିରଙ୍ଗା ଉଡାଇ ଦେଶକୁ ଗର୍ବିତ କରିଛନ୍ତି । ସେହିପରି 105 ବର୍ଷିୟା ଭାଗୀରଥୀ ଆମ୍ମାଙ୍କ ଅଦ୍ଭୁତ କାହାଣୀକୁ ବେଶ ପ୍ରଶଂସା କରିଛନ୍ତି ମୋଦି । ସେ କହିଛନ୍ତି, ଜୀବନରେ ଖ୍ୟାତି ଅର୍ଜନ କରିବା ପାଇଁ ଆମ ଭିତର ବିଦ୍ୟାର୍ଥୀକୁ ସର୍ବଦା ଜାଗୃତ ରଖିବା ଉଚିତ । କେରଳର କୋଲ୍ଲମରେ ରହୁଥିବା ଭାଗିରଥୀ ଆମ୍ମା ହାର ମାନିନଥିଲେ । ଏହି ବୟସରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇ 75 ପ୍ରତିଶତ ପ୍ରାପ୍ତ କରିଛନ୍ତି । ସେ ଆହୁରି ପଢିବାକୁ ଚାହୁଁଛନ୍ତି । ତାଙ୍କ ସାହାସକୁ ମୁଁ ପ୍ରଣାମ କରୁଛି ବୋଲି ମୋଦି କହିଛନ୍ତି ।