ଓଡିଶା

odisha

ETV Bharat / bharat

ମୋଦିଙ୍କ ରିମୋଟରେ ‘ନବୀନ’ ବଟନ ! - ମୋଦିଙ୍କ ରିମୋଟରେ ନବୀନ

ପାସ ହୋଇଥିବା ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲକୁ ସମର୍ଥନ ନେଇ ଯଦିଓ ଆଗରୁ ବିଜେଡି ଘୋଷଣା କରିଥିଲା, ଏଥିରେ ମଧ୍ୟ କେଉଁଠି ନାଁ କେଉଁଠି ବାରି ହୋଇପଡୁଛି ଆନୁଗତ୍ୟର ଗନ୍ଧ ।

ଡିଜାଇନ ଫଟୋ

By

Published : Jul 31, 2019, 12:39 AM IST

ଭୁବନେଶ୍ବର: ଦିଲ୍ଲୀରୁ ରିମୋଟ ଦବାନ୍ତି ମୋଦି । ରିମୋଟରେ ଥାଏ ନବୀନ ବଟନ । ମୋଦି ବଟନ ଦବାନ୍ତି । ଏଠି ଉଠବସ ହୁଅନ୍ତି ନବୀନ । ସାଧାରଣ ନିର୍ବାଚନ ବେଳେ ଓଡିଶାକୁ ପ୍ରଚାରରେ ଆସି ଏଭଳି କିଛି ବୟାନ ରଖିଥିଲେ ରାହୁଲ ଗାନ୍ଧୀ । ବିଜେପି ଓ ବିଜେଡି ଭିତରେ ଏମିତି କିଛି ହିଁ ସମ୍ପର୍କ ରହିଥିବା ବାରମ୍ବାର କହିଥିଲେ ରାହୁଲ । ବର୍ତ୍ତମାନର ସ୍ଥିତି ଦେଖିଲେ ସତ ଲାଗୁଛି ରାହୁଲଙ୍କ ସେହି ବୟାନ ।

ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତିରେ ଯେଉଁ ଚିତ୍ର ଥିଲା, ନିର୍ବାଚନ ପରେ ତାହା ବଦଳି ଯାଇଛି । ଦିନେ ରାଜ୍ୟ ବିଜେପି, କଂଗ୍ରେସକୁ ବିଜେଡିର B ଟିମ କହୁଥିଲା । ଆଉ କଂଗ୍ରେସ କହୁଥିଲା ବିଜେପି ହିଁ B ଟିମ । ଖୋଦ ରାହୁଲ ଗାନ୍ଧୀ ମଧ୍ୟ ବିଜେପି-ବିଜେଡି ଭିତରେ ଚାଲିଥିବା ସଲାସୁତୁରା କଥା କହିବାକୁ ଚେଷ୍ଟା କରିଥିଲେ । ହେଲେ ସେ ସମୟରେ ରାଜ୍ୟ ବିଜେପି ନବୀନ ସରକାରଙ୍କୁ ଏପରି ଢଙ୍ଗରେ ଘେରୁଥିଲା ଯେ, ଓଡିଶାବାସୀ ରାହୁଲଙ୍କ ଏ ବୟାନକୁ ସେତେ ଗୁରୁତ୍ବ ଦେଇନଥିଲେ । ହେଲେ ବର୍ତ୍ତମାନ ଉଭୟ ବିଜେପି-ବିଜେଡିର କିଛି ଆଭିମୁଖ୍ୟ ଦେଖିଲେ ମନେ ହେଉଛି , ସତ କହୁଥିଲେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ।

ଏ ଚର୍ଚ୍ଚା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ନିଜ ପାଖରେ ପର୍ଯ୍ୟାପ୍ତ ଅଙ୍କ ଥାଇ ମଧ୍ୟ ଏକ ରାଜ୍ୟସଭା ଆସନ ବିଜେପିକୁ ଟେକି ଦେଇଥିଲା ବିଜେଡି । ଦଳର ଏହି ନିଷ୍ପତ୍ତିକୁ ହଠାତ କେହି ବୁଝିପାରିନଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେପି ପ୍ରାର୍ଥୀଙ୍କୁ 5 ବର୍ଷର ଅବଧି ଥିବା ଆସନ ଦେଇ ଦଳୀୟ ପ୍ରାର୍ଥୀଙ୍କୁ 3 ବର୍ଷର ଅବଧି ଥିବା ଆସନରେ ସନ୍ତୁଷ୍ଟ କରିଥିଲା ବିଜେଡି । ସଂସଦରେ RTI ସଂଶୋଧନ ବିଲ ପାସ ବେଳେ ବିଜେଡିର ଆଭିମୁଖ୍ୟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ଆଲୋଚନା ବେଳେ କଡା ବିରୋଧ, ଭୋଟିଂ ବେଳେ ପୂର୍ଣ୍ଣ ସମର୍ଥନ ।

ଏମିତି କି ମଙ୍ଗଳବାର ପାସ ହୋଇଥିବା ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲକୁ ସମର୍ଥନ ନେଇ ଯଦିଓ ଆଗରୁ ବିଜେଡି ଘୋଷଣା କରିଥିଲା, ଏଥିରେ ମଧ୍ୟ କେଉଁଠି ନାଁ କେଉଁଠି ବାରି ହୋଇପଡୁଛି ଆନୁଗତ୍ୟର ଗନ୍ଧ । କାହିଁକି ନା ପ୍ରଥମଥର ଟ୍ରିପଲ ତଲାକ ବିଲ ଆଗତ ବେଳେ ବିଲ ସଂଶୋଧନ ନେଇ ବିଜୁ ଜନତା ଦଳ ଯେଉଁସବୁ ପ୍ରସ୍ତାବ ଦେଇଥିଲା, ତାହା ମଧ୍ୟ ଗ୍ରହଣ ହୋଇନି । ହେଲେ ବିଜେଡି ଅଜାଡି ଦେଇଛି ଅଯାଚିତ ସମର୍ଥନ । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପିର ଆଭିମୁଖ୍ୟକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । ବାଡିଆବାଡି ହେଉଛନ୍ତି ବିଜେପି-କଂଗ୍ରେସ । ବାଚସ୍ପତିର ଭୂମିକା ଲିଭାଉଛି ଶାସକ ଦଳ । ବିଜେପିର ସ୍ବର ଯେତିକି ଶାଣିତ ହେବା କଥା, ତାହା ହେଉନାହିଁ । ଭାରି ପଡୁଛନ୍ତି ନବଗ୍ରହ । ଏହି ତମାମ ଘଟଣା କହୁଛି, ରାହୁଲଙ୍କ ବୟାନର ସତ୍ୟତା !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details