ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ 30 ମିନିଟ ଧରି ହୋଇଥିବା ବାର୍ତ୍ତାଳାପରେ ସେମାନେ ସୀମା ପାର ଆତଙ୍କବାଦ ସମସ୍ୟା ଏବଂ କ୍ଷେତ୍ରୀୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ଜଣା ପଡିଛି । ଏହା ବ୍ୟତିତ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ଓ ଆପୋଷ ବୁଝାମଣାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।
ତେବେ ପାକିସ୍ତାନର ନାଁ ନ ଉଠାଉ ମୋଦି ଟ୍ରମ୍ପଙ୍କୁ କହିଛନ୍ତି, କିଛି ନେତାଙ୍କ ପାଇଁ ଭାରତରେ ହିଂସା ଉପୁଜୁଛି ଏବଂ ଶାନ୍ତି ଭଙ୍ଗ ହେଉଛି । ସେମାନେ ଭାରତ ବିରୋଧୀ ବୟାନ ଦେଉଛନ୍ତି । ଭାରତରେ ସୀମାପାର ଆତଙ୍କବାଦୀଙ୍କର କୌଣସି ଆବଶ୍ୟକତା ନାହିଁ । ଦାରିଦ୍ରତା, ଅଶିକ୍ଷା ଏବଂ ରୋଗ ସହ ଯେଉଁ ବି ଦେଶ ଲଢୁଛି, ଆମେ ତାର ସହଯୋଗ କରିବୁ ବୋଲି ମୋଦି କହିଛନ୍ତି । ଟ୍ରମ୍ପଙ୍କ ସହ ଆଲୋଚନାରେ ମୋଦି ଆଫଗାନିସ୍ତାନର 100 ବର୍ଷ ପୂର୍ତ୍ତିର ମଧ୍ୟ ପ୍ରସଙ୍ଗ ଉଠାଇଥିଲେ । ସଂଗଠିତ, ସୁରକ୍ଷିତ, ଗଣତାନ୍ତ୍ରିକ ଏବଂ ସ୍ବତନ୍ତ୍ର ଆଫଗାନିସ୍ତାନ ପାଇଁ ଭାରତ ସର୍ବଦା ପ୍ରତିବଦ୍ଧ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି ।