ୱାଶିଂଟନ: ଭାରତ-ଚୀନ ସୀମା ବିବାଦକୁ ନେଇ ପୁଣିଥରେ ଚୀନ ଉପରେ ବର୍ଷିଛି ଆମେରିକା । ଏହି ବିବାଦ ପାଇଁ ଚୀନକୁ କଡା ନିନ୍ଦା କରିବା ସହ ଏହା ଚୀନର ଆକ୍ରମଣାତ୍ମକ ସ୍ବଭାବର ପ୍ରତିରୂପ ବୋଲି ବୁଧବାର ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।
ହ୍ବାଇଟ୍ ହାଉସ୍ ପକ୍ଷରୁ ଏନେଇ କୁହାଯାଇଛି, ଭାରତ-ଚୀନ ସୀମାରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ବର ଅନ୍ୟାନ୍ୟ ଅଞ୍ଚଳରେ ଚୀନର ଆକ୍ରୋଶର ପ୍ରତିରୂପ ସହ ମେଳ ଖାଉଛି। ଏପରି କାର୍ଯ୍ୟକଳାପ ହିଁ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଅସଲ ସ୍ବଭାବକୁ ଦୃଢ଼ୀଭୂତ କରୁଛି ବୋଲି ଟ୍ରମ୍ପ କହିଛନ୍ତି ।
ହ୍ବାଇଟ୍ ହାଉସ୍ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜୁନ 15ରେ ଘଟିଥିବା ସଂଘର୍ଷ ପରଠାରୁ ଆମେ ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ । ଉଭୟ ଭାରତ ଏବଂ ଚୀନ୍ ବିବାଦର ସମାଧାନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନକୁ ଆମେ ମଧ୍ୟ ସମର୍ଥନ କରୁଛୁ ବୋଲି ଟ୍ରମ୍ପ କହିଛନ୍ତି ।
ତେବେ ଏହି ବିବାଦ ଉପରେ ହ୍ୱାଇଟ ହାଉସ ବର୍ତ୍ତମାନ ପର୍ଯ୍ୟନ୍ତ ଉଠାଇଥିବା ସ୍ୱରଠାରୁ ଏହା ଅଧିକ ଥିଲା ବୋଲି ୱାଶିଂଟନରେ ଭାରତ-ଆମେରିକା ସମ୍ପର୍କର ଘନିଷ୍ଠ ପର୍ଯ୍ୟବେକ୍ଷକ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବୁଧବାର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ମଧ୍ୟ ଭାରତରେ ଚୀନ ଆପ୍ ନିଷିଦ୍ଧ କରାଯିବା ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଚୀନ ଆପ୍ଗୁଡ଼ିକ ଦେଶରେ ଚୀନ କମ୍ୟୁନିଷ୍ଟ୍ ପାର୍ଟି ନିମନ୍ତେ ସର୍ଭିଲେନ୍ସ୍ କାମ ବି କରିପାରେ। ଭାରତର 'କ୍ଲିନ୍ ଆପ୍' ପ୍ରଚଳନ ଭାରତୀୟ ସାର୍ବଭୌମତ୍ବକୁ ବଳିଷ୍ଠ କରିବ ବୋଲି ସେ କହିଥିଲେ ।