ନୂଆଦିଲ୍ଲୀ: ସାରା ବିଶ୍ବ କୋରୋନାରେ ତ୍ରାହି ତ୍ରାହି ଡାକୁଛି । ମାତ୍ର ପାକିସ୍ତାନ ନିଜ ଆତଙ୍କୀ ମନୋବୃତ୍ତିକୁ ସୁଧାରିବାର ନାଁ ନେଉନାହିଁ । ସୀମାରେ ଅନୁପ୍ରବେଶ, ଅସ୍ତ୍ରବିରତୀ ଉଲ୍ଲଂଘନ ପରେ ଏବେ ପାକିସ୍ତାନର ନୂଆ ଚାଲ । ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆରୋଗ୍ୟ ସେତୁ ଆପ ଭଳି ଅବିକଳ ନକଲ ଆପ ପ୍ରସ୍ତୁତ କରି ଭାରତୀୟ ଯବାନଙ୍କ ଫୋନ ହ୍ୟାକ କରିବା ପାଇଁ ପ୍ରଚେଷ୍ଟା କରିଛି । ଏନେଇ ଭାରତୀୟ ସେନା ନିଜ ଯବାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପାକିସ୍ତାନର କିଛି ଗୁପ୍ତଚର ଏଜେନ୍ସିଗୁଡିକ ଆରୋଗ୍ୟ ସେତୁ ଆପ ଭଳି ଏକ ନକଲି ଆପ ବିକଶିତ କରିଛନ୍ତି | ପାକିସ୍ତାନ ଭିତ୍ତିକ ପାକିସ୍ତାନୀ ଗୁପ୍ତଚର ଅପରେଟରଙ୍କ ଦ୍ବାରା ଭାରତୀୟ ସେନା କର୍ମଚାରୀଙ୍କ ହ୍ବାଟସ୍ ଆପ୍ ଗ୍ରୁପରେ ଏହିପରି ଆପ୍ ପଠାଯାଇଥିଲା। ସେନା ଏହାକୁ ନେଇ ଚେତାବନୀ ଜାରି କରିଛି । ସେନା ସୂତ୍ର କହିଛି ଯେ ପାକିସ୍ତାନୀ ଏଜେନ୍ସିମାନେ ଭାରତୀୟ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ଭାରତୀୟ ନାମ ସହିତ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରୁଛନ୍ତି।