ଓଡିଶା

odisha

ETV Bharat / bharat

ଦୋଷ ଲୁଚାଉଛି ପାକ: ପ୍ରଥମେ ଗୁଳିମାଡ, ପରେ ଜବାବ ତଲବ - Pakistan summoned Indian diplomat

ନିକଟରେ ପାକିସ୍ତାନ ଲଗାତାର 3 ଦିନ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏପରିକି ବୁଧବାର ଲଗାତାର 3 ଘଣ୍ଟା ଧରି ଏହା ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ କରିଛି ।

ପ୍ରତୀକାତ୍ମକ ଫଟୋ

By

Published : Aug 29, 2019, 7:39 AM IST

ନୂଆଦିଲ୍ଲୀ: ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ । ପରେ ସମାନ ଅଭିଯୋଗ ଆଣି ଭାରତକୁ ଜବାବ ତଲବ । ନିଜ ଦୋଷ ଲୁଚାଇବାକୁ ଯାଇ ପାକିସ୍ତାନ ରଚିଛି ଏପରି ଚାଲ । ପ୍ରତିଟି କଥାରେ ଭାରତକୁ ଦୋଷ ଦେବା ଯେପରି ପାକର ଅଭ୍ୟାସ ପାଲଟିଗଲାଣି । ବୁଧବାର ସେହିପରି ପୁଣି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାନୁସାରେ ଅନ୍ତର୍ଜାତୀୟ ସୀମାରେଖାରେ ଅସ୍ତ୍ରବିରତି ଉଲ୍ଳଙ୍ଘନ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକରେ ଭାରତୀୟ ଉପ ହାଇକମିଶନର ଗୌରବ ଆଲୁୱାଲିଆଙ୍କୁ ସମନ ଜାରି କରିଛି । ଗୌରବଙ୍କ ସହ ଏକ ସ୍ବତନ୍ତ୍ର ବୈଠକରେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ନେଇ ଜବାବ ମଗାଯାଇଛି । ଏହା ଆଞ୍ଚଳିକ ଶାନ୍ତି ପ୍ରତି ବିପଦ ଏବଂ ସୁରକ୍ଷା ଦୃଷ୍ଟିରୁ ଉଭୟ ଦେଶ ଲାଗି ଭବିଷ୍ୟତରେ ଆତଙ୍କ ସୃଷ୍ଟି କରିପାରେ ବୋଲି ପାକ ଆଶଙ୍କା ପ୍ରକାଶ କରିଛି । ପାକିସ୍ତାନର ସାଧାରଣ ଲୋକଙ୍କୁ ଭାରତୀୟ ସେନା ଟାର୍ଗେଟ କରୁଛନ୍ତି ବୋଲି ଏହା ଅଭିଯୋଗ କରିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ସୂଚନାନୁସାରେ ସୋମବାର ନେକ୍ରୁନ ସେକ୍ଟରରେ ଭାରତୀୟ ସେନା ଗୁଳିରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ପାକ ଅଭିଯୋଗ କରିଛି । ଏମାନଙ୍କ ମଧ୍ୟରେ ଜଣେ 3 ବର୍ଷିୟା ଶିଶୁକନ୍ୟା ଥିବା ଜଣାପଡିଛି । ଏହାସହ 3 ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସେହିପରି ଉକ୍ତ ଦିନ ଅନ୍ୟ ଏକ ଗୁଳିମାଡରେ ଚିରିକୋଟ ସେକ୍ଟରରେ ଜଣେ 4 ବର୍ଷିୟ ବାଳକ ମଧ୍ୟ ଆହତ ହୋଇଥିବା ପାକ ଅଭିଯୋଗ କରିଛି ।

ତେବେ ଭାରତୀୟ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏହାସହ ସେନା କହିଛି ଯେ ଭାରତ ସବୁବେଳେ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଚୁକ୍ତିକୁ ସମ୍ମାନ ଦେଇଆସିଛି । ପାକିସ୍ତାନ ପ୍ରଥମ ଦେଶ ଯିଏ ଏହି ନିୟମ ଭାଙ୍ଗି ସବୁବେଳେ ଆଗ ଅସ୍ତ୍ରବିରତି ଉଲ୍ଳଙ୍ଘନ କରିଥାଏ । ଜମ୍ମୁ ଓ କାଶ୍ମୀରର ପୁଞ୍ଚ, ରଜୌରୀ ଓ ନୌସେରା ସେକ୍ଟରରେ ସବୁବେଳେ ପାକ ଆଗ ଗୁଳିମାଡ କରିଥାଏ । ପାକର ଏହି ଅଭିଯୋଗ କେତେ ସତ କେତେ ମିଛ ତାହା ନିକଟରେ ଘଟିଥିବା ଘଟଣାରୁ ଜଣାପଡିଯାଏ ।

ନିକଟରେ ପାକିସ୍ତାନ ଲଗାତାର 3 ଦିନ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏପରିକି ବୁଧବାର ଲଗାତାର 3 ଘଣ୍ଟା ଧରି ଏହା ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ କରିଛି । ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ମାସ ଅନେକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ବିଶେଷ କରି ରାତି ସମୟରେ ପାକ ଅଧିକ ଗୁଳିମାଡ କରିଥାଏ । ତେବେ ଏହା ପଛରେ ପାକର ଏକ ସାଙ୍ଘାତିକ ଚାଲ ରହିଥିବା ନିକଟରେ ଜଣାପଡିଛି । ପାକ ସମର୍ଥିତ ଆତଙ୍କୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବାକୁ ଏହା ଗୁଳି ଚଲାଇଥାଏ । ଫଳରେ ଭାରତୀୟ ସେନାଙ୍କ ଦୃଷ୍ଟି ସୀମା ଉପରୁ ହଟିବ ଏବଂ ଆତଙ୍କବାଦୀ ଅନାୟସରେ ସୀମାରେ ପ୍ରବେଶ କରିପାରିବେ ।

ତେବେ ଏହି ଚାଲକୁ ଭାରତୀୟ ସେନା ଦୃଢତାର ସହ ପଣ୍ଡ କରିଛନ୍ତି । ଏହାସହ ପାକର ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଜବାବରେ ସେନା ପକ୍ଷରୁ ଗୁଳିମାଡ କରାଯାଇଛି ବୋଲି ସେନା ସ୍ପଷ୍ଟୀକରଣ ଦେଇଛି । ଏହା କାହାରିକୁ ଆଘାତ କରିବାକୁ କି ସାଧାରଣ ଜନତାଙ୍କୁ ଟାର୍ଗେଟ କରିବାକୁ ନୁହେଁ ବୋଲି ଏହା ସଫେଇ ଦେଇଛି । ପାକର ଅଭିଯୋଗ ମିଛ ଓ ଭିତ୍ତିହୀନ ବୋଲି ଭାରତ କହିଛି । କାରଣ ପଡୋଶୀ ଦେଶ ସବୁବେଳେ ଆଗ ଗୁଳିମାଡ କରିଥାଏ । ଏହାସହ ଗୁଳି ସହ ଏହା ମୋର୍ଟାର ମାଡ ମଧ୍ୟ କରିଥାଏ ବୋଲି ସେନା କହିଛି । ତେଣୁ ଭାରତୀୟ କମିଶନରଙ୍କୁ ସମନ କେବଳ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ । ଫଳରେ ପାକ ନିଜ ଦୋଷ ଲୁଚାଇପାରିବ ବୋଲି ସେନା କହିଛି ।

ABOUT THE AUTHOR

...view details