ଇସଲାମାବାଦ: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି)ରେ ଭାରତର ଜବାବ କାର୍ଯ୍ୟାନୁଷ୍ଠାନ ପରେ ରବିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜମ୍ମୁ-କାଶ୍ମୀର ବର୍ତ୍ତମାନ ସ୍ଥିତିକୁ ଦେଖି ଏହି ବୈଠକ ହେଉଥିବା ଆକଳନ କରାଯାଉଛି ।
ଇସଲାମାବାଦରେ ବସିଥିବା ଏହି ବୈଠକରେ କ୍ଲଷ୍ଟର ବୋମାକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଶନିବାର ପାକିସ୍ତାନ ବର୍ଡର ଆକ୍ସନ ଟିମ (ବ୍ୟାଟ)ର ସଦସ୍ୟ କେରାନ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନାର ଗୁଳିରେ 5-7 ଆତଙ୍କବାଦୀ ନିହତ ହୋଇଥିଲେ । ଏହାପରେ ଭାରତ ଏହି ଅନୁପ୍ରବେଶକାରୀଙ୍କ ଶବକୁ ନେଇଯିବା ପାଇଁ ପାକ୍କୁ କହିଥିଲା । କିନ୍ତୁ ଭାରତ ମିଛ କହୁଛି ବୋଲି ପାକ୍ ପକ୍ଷରୁ ଜବାବ ଦିଆଗଲା ।
ଆଉ ସେପଟେ ଗତକାଲି ହିଁ ପାକିସ୍ତାନ ଭାରତ ଉପରେ କ୍ଲଷ୍ଟର ବୋମା ବ୍ୟବହାରର ଅଭିଯୋଗ ଆଣିଥିଲା । ଭାରତ ପିଓକେରେ ପ୍ରବେଶ କରି କ୍ଲଷ୍ଟର ବୋମାମାଡ କରିଥିବା ପାକିସ୍ତାନର ସେନା ମୁଖପାତ୍ର ତଥା ଡିଜି ଆସିଫ ଗଫୁର କହିଥିଲେ । ଭାରତ ଏଭଳି କରି ଅନ୍ତରାଷ୍ଟ୍ରୀୟ ନିୟମର ଉଲଙ୍ଘନ କରିଥିବା ସେ ଅଭିଯୋଗ କରିଥିଲେ ।