ମୁମ୍ବାଇ: ଦୀର୍ଘ 50 ବର୍ଷର ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି। ଭାରତରେ ରହୁଥିବା ଜଣେ ପାକିସ୍ତାନୀକୁ ଭାରତୀୟ ନାଗରିକର ପରିଚୟ ମିଳିବାକୁ ଯାଉଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ବମ୍ବେ ହାଇକୋର୍ଟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି ।
50 ବର୍ଷ ପରେ ଭାରତୀୟ ହେବେ ଜଣେ ପାକିସ୍ତାନୀ
ପାକିସ୍ତାନ ନାଗରିକ ହେବେ ଭାରତୀୟ ନାଗରିକ। ଦୀର୍ଘ 50 ବର୍ଷ ପ୍ରତିକ୍ଷାର ଅନ୍ତ ହେବ। ମୁମ୍ବାଇରେ ବସବାସ କରୁଥିବା ଓସିଫ୍ କରାଡିଆଙ୍କୁ ଭାରତୀୟ ପରିଚୟ ପତ୍ର ମିଳିବାକୁ ଯାଉଛି।
ପାକିସ୍ତାନ ନାଗରିକ ଓସିଫ୍ କରାଡିଆ ଭିସା ଜରିଆରେ ଦୀର୍ଘ 50 ବର୍ଷ ଧରି ଭାରତରେ ରହିଆସୁଛନ୍ତି। ହେଲେ 2016ରେ ତାଙ୍କର ଭିସା ଅବଧି ଶେଷ ହେବା ପରେ ସେ ବମ୍ବେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେହି ସମୟରେ ପାସପୋର୍ଟ ପ୍ରଦାନ ନ କଲେ ଭିସା ଅବଧି ବଢାଇବା ପାଇଁ ସଫାସଫା ମନା କରିଦେଇଥିଲେ କିଛି ଅଧିକାରୀ। ପରେ ଏହି ମାମଲା ଉପରେ କୋର୍ଟ ହସ୍ତକ୍ଷେପ କରିବା ପରେ ଓସିଫଙ୍କୁଭାରତୀୟ ନାଗରିକତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ଏପରିକି ଆସନ୍ତା 10 ଦିନ ମଧ୍ୟରେ ତାଙ୍କୁ ନାଗରିକତା ପ୍ରଦାନ ପାଇଁ ସମସ୍ତ ପ୍ରକିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ସୂଚନା ଯୋଗ୍ୟ, ଓସିଫ୍ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଛନ୍ତି । ଜନ୍ମ ହେବାର କିଛି ଦିନ ପରେ ତାଙ୍କ ମା ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ। ତେବେ ଓସିଫ୍ଙ୍କ ପତ୍ନୀ ଓ 3 ସନ୍ତାନ ଭାରତୀୟ ନାଗରିକ ଅଟନ୍ତି। ସେ ବର୍ତ୍ତମାନ ଏକ ରେସ୍ତୋରାଁରେ କାର୍ଯ୍ୟ କରୁଛନ୍ତି । ତାଙ୍କ ପାଖରେ ଆଧାର କାର୍ଡ, ରାସନ କାର୍ଡ ଓ ପ୍ୟାନ କାର୍ଡ ଭଳି ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ରହିଛି । ହେଲେ ଆଜି ବି ଭାରତୀୟ ନାଗରିକତ୍ବ ପାଇଁ ଅପେକ୍ଷା କରି ରହିଛନ୍ତି ।