ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଯୋଜିତ ଆତଙ୍କବାଦକୁ ନେଇ ବଡ ବୟାନ ଦେଇଛି ହ୍ବାଇଟ ହାଉସ । ଦିଲ୍ଲୀର ସ୍ବରରେ ସ୍ବର ମିଳାଇ ପାକିସ୍ତାନକୁ କଡା ସମାଲୋଚନା କରିଛି ଓ୍ବାଶିଂଟନ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗରେ ହୋଇପାରିବ ନାହିଁ ବୋଲି ଶୁକ୍ରବାର ହ୍ବାଇଟ ହାଉସ କହିଛି ।
ଟ୍ରମ୍ପଙ୍କ ଭାରତ ଯାତ୍ରାରେ କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ତତାର ପ୍ରସ୍ତାବ ଦେବା ନେଇ ହ୍ବାଇଟ ହାଉସକୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ କୁହାଯାଇଛି, ଆମେରିକା ରାଷ୍ଟ୍ରପତି ଲଗାତାର ଭାରତ-ପାକିସ୍ତାନ ମଧ୍ୟର ତିକ୍ତତା ହ୍ରାସ ନେଇ ପ୍ରୟାସ କରୁଛନ୍ତି । କିନ୍ତୁ ପାକିସ୍ତାନ ନିଜ ଦେଶର ଆତଙ୍କବାଦୀ ଏବଂ ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ହିଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଉଭୟ ଦେଶ ମଧ୍ୟର ସଫଳ ଆଲୋଚନା ପାକିସ୍ତାନ ଉପରେ ନିର୍ଭର କରୁଛି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।