ଅହମଦାବାଦ: 'ଅପରେସନ ଵାଲାକୋଟ' ପରେ କେତେ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି ସେ ନେଇ ଆକ୍ରମଣ ପରଠାରୁ ଅନେକ ରିପୋର୍ଟ ପ୍ରକାଶ ପାଇଛି । 300-350 ସୈତାନଙ୍କୁ ସଫା ଭାରତୀୟ ବାୟୁସେନା କରିଥିବା ଜାତୀୟ ଗଣମାଧ୍ୟମରେ ବାରମ୍ବାର କୁହାଯାଉଛି । ମାତ୍ର ଏବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ସଂଖ୍ୟା 250 ବୋଲି କହିଛନ୍ତି । ଏହାସହ ଏୟାର ଷ୍ଟ୍ରଇକ୍ କରି ଶତ୍ରୁ ନିପାତ ଓ ପ୍ରତିହିଂସା ମେଣ୍ଟାଇବାରେ ଆମେରିକା, ଇସ୍ରାଏଲ୍ ପରେ ଭାରତ ବିଶ୍ବରେ ତୃତୀୟ ଦେଶ ହେବାର ଖ୍ୟାତି ଲାଭ କରିଛି । ଗୁଜୁରାଟର ଏକ ସମାବେଶରେ ଏକଥା କହିଛନ୍ତି ଅମିତ ଶାହା ।
ଅମିତ ଶାହ ଆହୁରି କହିଛନ୍ତି ଯେ ଉରୀ ପରେ ସର୍ଜିକାଲ ଷ୍ଟ୍ରାଇକ କରି ସରକାର ପ୍ରତିଶୋଧ ନେଇଥିଲେ । ପୁଲୱାମା ଆଟାକ ପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଦରକାର ବୋଲି ଦେଶବାସୀ ସରକାରଙ୍କଠାରୁ ଆଶା ରଖିଥିଲେ । ମାତ୍ର ଶତ୍ରୁ ପକ୍ଷର ମାତ୍ରାଧିକ ସଜାଗ ଫଳରେ ସର୍ଜିକାଲ ଷ୍ଟ୍ରାଇକ ବଦଳରେ ସରକାର ବଡ ଧରଣର ପଦକ୍ଷେପ ନେଇଥିଲେ । ଆତ୍ମଘାତୀ ଆକ୍ରମଣର 13ତମ ଦିନରେ ଏୟାର ଷ୍ଟ୍ରାଇକ କରିଥିଲେ । ଭାରତୀୟ ବାୟୁସେନାର ଘନଘନ ଆକ୍ରମଣରେ 250 ଆତଙ୍କବାଦୀ ସଫା ହୋଇଥିବା କଥା ସେ କହିଛନ୍ତି । ଏହାସହ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଶତ୍ରୁ ଦେଶ ଉପରେ କୂଟନୀତି, ଦୃଢ ଆଭିମୁଖ୍ୟ, ଜେନେଭା ଯୁଦ୍ଧବନ୍ଦୀ ମୁକ୍ତି ରାଜିନାମା ଓ ବିଶ୍ବସ୍ତରୀୟ ଚାପ ପକାଇବାରେ ମୋଦି ସରକାରଙ୍କ ସଫଳତା କଥା ସେ କହିଛନ୍ତି ।