ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭୋଟରଙ୍କୁ ହାତେଇବା ପାଇଁ ମାଗଣା କୋରୋନା ଟୀକା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି । ବର୍ତ୍ତମାନ ଏହାକୁ ନେଇ ଦେଶର ରାଜନୈତିକ ବାତାବରଣ ସରଗରମ । ଏହି ପରିପ୍ରେକ୍ଷୀରେ ଶିବସେନା ମୁଖପତ୍ର ‘ସାମନା’ରେ ବିଜେପିକୁ ଟାର୍ଗେଟ କରାଯାଇଛି ।
ଏଥିରେ କୁହାଯାଇଛି ଯେ, ବିଜେପିର ପ୍ରକୃତ ନୀତି କ’ଣ ? ସେମାନଙ୍କର ଗାଇଡ୍ କିଏ ? ଏ ବିଷୟରେ କିଛି ଦ୍ବନ୍ଦ୍ବ ଥିବା ଜଣାପଡିଛି । ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ଆଶ୍ବସନା ଦେଇଥିଲେ ଯେ ଦେଶର ସମସ୍ତ ଲୋକଙ୍କ ପାଇଁ କୋରୋନା ଟିକା ଉପଲବ୍ଧ କରାଇବା ପାଇଁ ସରକାର ଉଦ୍ୟମ କରିବେ । ଟିକା ବଣ୍ଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ଜାତି, ଧର୍ମ, ପ୍ରଦେଶ, ରାଜନୀତି କୌଣସି ସ୍ଥାନକୁ ଅନ୍ତର୍ଭୁକ୍ତ କରିନଥିଲେ ।