ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀ ସ୍ଥିତ ହସ୍ପିଟାଲରେ କେବଳ ଦିଲ୍ଲୀବାସିନ୍ଦାଙ୍କ ଚିକିତ୍ସା ହୋଇପାରିବ । ଯଦି ଦିଲ୍ଲୀବାସୀ ଏନେଇ ନିଜ ପରାମର୍ଶ ଦିଅନ୍ତି ତେବେ ସରକାର ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଦିଲ୍ଲୀରେ ବଢୁଥିବା କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସୋମବାର କେଜ୍ରିୱାଲ ଗଣମାଧ୍ୟମକୁ ସମ୍ବୋଧିତ କରି ଦିଲ୍ଲୀବାସୀଙ୍କୁ ଏ ସମ୍ପର୍କରେ ପରାମର୍ଶ ମାଗିଛନ୍ତି । ଆସନ୍ତା ଶୁକ୍ରବାର ସୁଦ୍ଧା ଏହି ପ୍ରସଙ୍ଗରେ ଲୋକମାନେ ନିଜ ମତାମତ ପଠାଇବାକୁ ସେ କହିଛନ୍ତି ।
ସିଏମ କେଜ୍ରିୱାଲ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ ସହ ଜଡିତ ଅନ୍ୟ ରାଜ୍ୟର ସୀମା ଖୋଲିବାକୁ ପରାମର୍ଶ ଆମେ ପାଇଛୁ । ସେ କହିଛନ୍ତି ଯେ ଦିଲ୍ଲୀର ସ୍ୱାସ୍ଥ୍ୟ ସେବା ଆଜି ସାରା ଦେଶରେ ସବୁଠାରୁ ଭଲ ରହିଛି । ତେଣୁ ସୀମା ଖୋଲିବା ପରେ ବାହାର ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏଠାକୁ ଆସିବେ । ଏଭଳି ପରିସ୍ଥିତିରେ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଯେପରି ଅସୁବିଧାର ସାମନା କରିବାକୁ ନପଡେ ସେଥିପାଇଁ ଏହି ପରାମର୍ଶ ଲୋଡା ହୋଇଛି । ସେହିପରି ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ପାଇଁ ବେଡକୁ ନେଇ ଉଠିଥିବା ଚିନ୍ତାକୁ ଦୃଷ୍ଟିରେ ରଖି ସେ ଲୋକଙ୍କ ମତାମତ ଲୋଡିଛନ୍ତି । ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ ବେଡ ସଂଖ୍ୟା ବିଷୟରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି ଯେ 9500 ରୁ ଅଧିକ ବେଡର ବ୍ୟବସ୍ଥା ରହିଛି ।