ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା ହୋଇଛି । ଦେଶବ୍ୟାପୀ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ଅନୁରୋଧ କରିଛନ୍ତି । ତେବେ ଲକଡାଉନକୁ ନେଇ ଲୋକଙ୍କ ମନରେ ଆତଙ୍କ କମିବାର ନାମ ନେଉନି । ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା ନେଇ ଆଶ୍ବାସନା ସତ୍ତ୍ବେ ସମସ୍ତ ଦୋକାନ ଓ ପରିବା ମାର୍କେଟରେ ଲାଗିଛି ପ୍ରବଳ ଭିଡ । ସେହିପରି ଅନଲାଇନ କାରବାର ଉପରେ ମଧ୍ୟ ପଡିଛି ଏହି ଲକଡାଉନର ପ୍ରଭାବ ।
ଲକଡାଉନ ଯୋଗୁଁ ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଫଳରେ ଏମାନେ ବହୁତ କ୍ଷତି ସହିଛନ୍ତି । ଅନେକ ସାଇଟରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ବିଶ୍ବ ସାରା ଆମାଜନ, ଫ୍ଲିପକାର୍ଟ ଭଳି ସାଇଟ ଏବଂ ଦେଶରେ ବିଗ ବାସ୍କେଟ ଭଳି ଅନଲାଇନ ଗ୍ରୋସୋରୀ କମ୍ପାନୀ ବିପୁଳ କ୍ଷତିର ସାମ୍ନା କରିଛନ୍ତି । ସଂକ୍ରମଣ ଭୟରୁ କର୍ମଚାରୀଙ୍କୁ ଛୁଟି ଦେବା ସହ କମ ସଂଖ୍ୟା ଥିବାରୁ ଡେଲିଭେରି ସମ୍ଭବ ହେଉନାହିଁ । ଯେଉଁ କେତେକ ସାଇଟ ଡେଲିଭେରି ଦେଉଛନ୍ତି ସେମାନେ ଅନେକ ଦିନ ନେଉଛନ୍ତି । ଏପରିକି ଜୋମାଟୋ ଓ ସ୍ବିଗି ଭଳି ଫୁଡ ଡେଲିଭରୀ କମ୍ପାନୀ ପ୍ରତିଷେଧକ ବ୍ୟବସ୍ଥା ଆପଣାଇଲେ ମଧ୍ୟ ଲୋକେ ଅଧିକ ଅର୍ଡର କରୁନାହାନ୍ତି ।