ଶ୍ରୀନଗର: ସପ୍ତମ ପର୍ଯ୍ୟାୟରେ ମତଦାନ ଯେତେ ପାଖେଇ ପାଖେଇ ଆସୁଛି ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ଜୋର ଧରିଛି କାଦୁଅ ଫିଙ୍ଗାଫିଙ୍ଗି । କିଛିଦିନ ପୂର୍ବେ ମମତା ବାନାର୍ଜୀଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବଙ୍ଗଳାର ଦୁର୍ଗା କହି ପ୍ରଂଶସା କରିଥିଲେ । ଆଉ ଏବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଦିଦିଙ୍କୁ ସମର୍ଥନ କରିଛନ୍ତି ।
ଦିଦିଙ୍କ ସମର୍ଥନରେ ଓମାର ଅବଦୁଲ୍ଲା, କହିଲେ ପୁଣିଥରେ ଆସିବ ଟିଏମସି ସରକାର - TMC
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଦିଦିଙ୍କୁ ସମର୍ଥନ କରିବା ସହ ପୁଣିଥରେ ଟିଏମସି ସରକାର ଆସିବ ବୋଲି କହିଛନ୍ତି ।
ଓମାର ଅବଦୁଲା କହିଛନ୍ତି, ଚଳିତଥର ପଶ୍ଚିମ ବଙ୍ଗରେ ପୁଣି ଥରେ ଟିଏମସି (ତୃଣମୂଳ କଂଗ୍ରେସ) ଆସିବ । ବିଜେପି ହାରିବ । ଅବଦୁଲ୍ଲା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟ୍ବିଟରରେ ଟ୍ୟାଗ କରି ଲେଖିଛନ୍ତି, ‘ବିଜେପି ପଶ୍ଚିମ ବଙ୍ଗରେ ନିର୍ବାଚନ ଆୟୋଗ ସହ ମିଶି ସଲାସୁତୁରା କରୁଛି, ମତଦାତାଙ୍କୁ ନିଜ ଆଡେ ଆକୃଷ୍ଟ କରି ପ୍ରଚାର ଅଭିଯାନକୁ ବଢାଉଛି । ବିଜେପିର ଆଚରଣ ବିଧି ଉଲଙ୍ଘନକୁ ନିର୍ବାଚନ ଆୟୋଗ ନଜର ଅନ୍ଦାଜ କଲେ ସୁଦ୍ଧା ଚଳିତଥର ପଶ୍ଚିମ ବଙ୍ଗରେ ଟିଏମସି ହିଁ ବିଜୟ ହାସଲ କରିବ ।’
ଓମାର ଅବଦୁଲ୍ଲା ପରୋକ୍ଷ ଭାବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ଯେତେବେଳେ ଅମିତ ଶାହ କୋଲକାତା ଗସ୍ତରେ ଥିଲେ ସେହି ସମୟରେ ସେଠାରେ ହିଂସା ବଢିଥିଲା ବୋଲି କହି ଅବଦୁଲା ଶାହଙ୍କୁ ନିନ୍ଦିଛନ୍ତି ।