ଓଡିଶା

odisha

ETV Bharat / bharat

ଏଣିକି ମୋବାଇଲ ଚିହ୍ନିବ ଚାଷୀଙ୍କ ସମସ୍ୟା

ଅଧିକାଂଶ ସମୟରେ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି କ୍ଷତି ସହେ ଚାଷୀ । ହେଲେ ଏବେ ଚାଷୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ । ନିଜ କ୍ଷେତରେ ହିଁ ରୋଗର ଚିହ୍ନଟ କରିପାରିବ ଚାଷୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 19, 2019, 7:14 PM IST

ହାଇଦ୍ରାବାଦ: ବାର ମାସ, ତେର ପର୍ବ ବିନା କୌଣସି ଛୁଟିରେ ଅନବରତ ସେବା ଯୋଗାଇ ଚାଲିଛି ଚାଷୀ । କି ବର୍ଷା, କି ଖରା, ପ୍ରତିଦିନ ନିଜ କର୍ମଭୂମିକୁ ଓହ୍ଲାଇ ଲୋକଙ୍କ ପେଟ ଭରିବାର ସ୍ବପ୍ନ ଦେଖେ ଚାଷୀ । ହେଲେ କ୍ଷେତରେ ଯେ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତାହା କେବଳ ଜଣେ ଚାଷୀକୁ ହିଁ ଜଣା । ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବା ସହ ପୋକ ଲାଗିବା ପୂର୍ବରୁ ଫସଲକୁ ବଞ୍ଚାଇବା ହେଉଛି ଚାଷୀର ମୂଳ ଲକ୍ଷ୍ୟ ।

ହେଲେ ଏ ଲକ୍ଷ୍ୟ ବାସ୍ତବ ରୂପ ନେବା ଏତେ ସହଜ ନୁହେଁ । ଅଧିକାଂଶ ସମୟରେ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିନପାରି କ୍ଷତି ସହେ ଚାଷୀ । ତେବେ ଏହା ପଛରେ ମୂଳ କାରଣ କ’ଣ ହୋଇପାରେ କେବେ ଭାବିଛନ୍ତି କି ? ପ୍ରକୃତରେ ଯେବେ ଜଣେ ଚାଷୀ ଜାଣେ କି ଫସଲକୁ ରୋଗ ପୋକ ଲାଗୁଛନ୍ତି ସେ ସମୟରେ ସେ ଫସଲରେ କ’ଣ ରୋଗ ହୋଇଛି ତାହା ଚିହ୍ନଟ କରିବାରେ ହିଁ ଅଧିକ ସମୟ ନଷ୍ଟ ହୋଇଯାଏ ।

ଏହା ବାଦ ରୋଗ ଜାଣି ଏହାର ନିରାକରଣ କରିବା ସମୟରେ ଫସଲ ହିଁ ନଷ୍ଟ ହୋଇଯାଇଥାଏ । ହେଲେ ଏବେ ଚାଷୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ । ନିଜ କ୍ଷେତରେ ହିଁ ରୋଗର ଚିହ୍ନଟ କରିପାରିବ ଚାଷୀ । ଏଥିପାଇଁ ଏକ ନୂଆ କୌଶଳର ବିକାଶ କରିଛନ୍ତି ନର୍ଥ କ୍ୟାରୋଲିନା ଷ୍ଟେଟ ୟୁନିଭର୍ସିଟିର ଏକ ଗବେଷକ ଦଳ । ଏଥିପାଇଁ ଚାଷୀମାନଙ୍କୁ ଶିଖିବାକୁ ହେବ ଏକ ଡିଭାଇସର ପ୍ରୟୋଗ, ଯାହାକୁ ଅତି ସହଜରେ ହାତରେ ରଖି ବ୍ୟବହାର କରିହେବ ।

ଏହି ଡିଭାଇସରେ ରହିଛି ଏକ ଛୋଟ କାଚ ଭେସେଲ ବା କଣ୍ଟେନର । ଯେଉଁଥିରେ ଗଛର ପତ୍ରକୁ ରଖିବା ଦ୍ବାରା ଗଛଟି କେଉଁ ରୋଗରେ ସଂକ୍ରମିତ ତାହା ଜଣା ପଡିପାରିବ । ଫଳରେ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ । ତେବେ ଏହି ଡିଭାଇସକୁ କାର୍ଯ୍ୟକ୍ଷମ କରିବାକୁ ହେଲେ ପ୍ରଥମେ ଏହାକୁ ସ୍ମାର୍ଟଫୋନ ସହ କନେକ୍ଟ କରିବାକୁ ହେବ । ପରେ ଗଛର ପତ୍ରକୁ ଡିଭାଇସରେ ଥିବା କଣ୍ଟେନରରେ କିଛି ସମୟ ରଖିବାକୁ ପଡିବ । ଯେପରି ପତ୍ରରୁ ଭିଓସି ରିଲିଜ ହେବ ।

ଏଠାରେ ସଭିଏଁ ଜାଣିବା ଦରକାର କି ଭିଓସି କ’ଣ । ଭିଓସି ହେଉଛି ଭୋଲାଟାଇଲ ଅରଗାନିକ କମ୍ପାଉଣ୍ଡ । ଯାହା ପ୍ରତିଟି ଗଛର ପତ୍ରରୁ ରିଲିଜ ହୋଇଥାଏ । ଗଛଲତା ନିଜ ଶ୍ବାସକ୍ରିୟା ସମୟରେ ଏହି ଭିଓସିକୁ ରିଲିଜ କରିଥାଆନ୍ତି । ତେବେ ଏହି ଭିଓସିର କନସନଟ୍ରେସନ ଭିନ୍ନ ଭିନ୍ନ ରହିଥାଏ । ଯାହାକୁ ଅନୁଧ୍ୟାନ କଲେ ଗଛକୁ କେଉଁ ସଂକ୍ରମଣ ହୋଇଛି ତାହା ଜଣା ପଡିବ ।

ପୂର୍ବରୁ ଏହି ରୋଗର ପ୍ରକୃତି ଜାଣିବାକୁ ହେଲେ ଲାବରୋଟୋରୀରେ ଯାଇ ଦୀର୍ଘ ସମୟ ବେଳେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଏହି ନୂଆ ଡିଭାଇସ ସାହାଯ୍ୟରେ କ୍ଷେତରେ ଥାଇ ମାତ୍ର କିଛି ସମୟ ମଧ୍ୟରେ ରୋଗ ସମ୍ପର୍କରେ ଚାଷୀ ଅବଗତ ହୋଇପାରିବେ। ଫଳରେ ଫସଲକୁ ଅଧିକ ସଂକ୍ରମଣରୁ ରକ୍ଷା କରିପାରିବ ଚାଷୀ ।

ଗବେଷକମାନେ ପ୍ରସ୍ତୁତ କରିଥିବା ଏହି ଡିଭାଇସଟିର ଅନେକ ଉପକାରିତା ରହିଛି । ଯାହା ଲ୍ୟାବ୍‌ରେ ଥିବା ମହଙ୍ଗା ମେସିନକୁ କଡ୍ଡା ଟକ୍କର ଦେବାକୁ ସକ୍ଷମ । ଏହି ଡିଭାଇସ ଦ୍ବାରା ଭିଓସିର ମିଲିୟନ ସ୍ତରରେ କଣିକାର ପରୀକ୍ଷା କରାଯାଇପାରେ । ଯାହା ଗଛପତ୍ରର ରୋଗକୁ ପ୍ରାୟ 95 ପ୍ରତିଶତ ସଠିକ୍‌ ଚିହ୍ନଟ କରିବାରେ ସକ୍ଷମ ।

ତେବେ ଏନ୍‌ସି ଷ୍ଟେଟର ପ୍ଲାଣ୍ଟ ପାଥୋଲୋଜି ବିଭାଗ ପ୍ରଫେସର ଜିନ୍‌ ରିଷ୍ଟୈନୋ ଓ ୱିଲିୟମ ନିଲ ରେନୋଲ୍ଡସଙ୍କ କହିବା ଅନୁଯାୟୀ ଏହି ଟେକ୍ନୋଲୋଜି ଚାଷୀମାନଙ୍କୁ ଅନେକ ସହାୟକ ହେବ । ଏହା ଦ୍ବାରା ଚାଷୀମାନେ କ୍ଷେତରେ ଥାଇ କିଛି ସମୟ ମଧ୍ୟରେ ରୋଗ ପୋକର ଚିହ୍ନଟ କରିବା ସହ ଏହାର ନିରାକରଣ କରିପାରିବେ ଏବଂ ସମୟ ଥାଉ ଥାଉ ନିଜ ଫସଲକୁ ମଧ୍ୟ ବଞ୍ଚାଇପାରିବେ।

ଡିଭାଇସଟି ପରୀକ୍ଷଣ ସ୍ତରରେ ସଫଳତା ହାସଲ କରିଥିବା ବେଳେ ଖୁବ୍‌ଶୀଘ୍ର ଏହା ଚାଷୀମାନଙ୍କ ପାଖକୁ ଆସିବ ବୋଲି ଗବେଷକମାନେ ସବୁଜ ସଙ୍କେତ ଦେଇଛନ୍ତି । ଦେଖିବାକୁ ବାକି ରହିଲା ବାସ୍ତବରେ ଏହା ଚାଷୀମାନଙ୍କ ପାଇଁ କେତେ ବ୍ୟବହାର ଯୋଗ୍ୟ ହେଉଛି ଓ ଏହାଦ୍ବାରା ଚାଷୀ କେତେ ଉପକୃତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details