ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ମାମଲା ଏବଂ ଉତ୍ତେଜନାମୂଳକ ଭାଷଣକୁ ନେଇ ଆଗତ ଭିନ୍ନ ଭିନ୍ନ ଆବେଦନର ଶୁଣାଣି କରି ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଏପ୍ରିଲ 13 ତାରିଖ ସୁଦ୍ଧା ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏହି ଆବେଦନ ମଧ୍ୟରୁ ଗୋଟିଏରେ ବିରୋଧୀ ଦଳ ନେତା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମନୀଷ ସିସୋଦିଆ, ବାରିସ ପଠାନ, ଅସାଦୁଦ୍ଦୀନ ଓୱେସି ଏବଂ ଅମାନୁଲ୍ଲାହ ଖାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିବେଦନ କରାଯାଇଥିଲା । ‘ଲୟର୍ସ ଭଏସ୍’ ନାମକ ସଂଗଠନ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ଏହି ନେତାମାନେ ଉତ୍ତେଜନାମୂଳକ ଭାଷଣ ଦେଇ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଲୋକଙ୍କୁ ଉସୁକାଇଥିଲେ ବୋଲି ଏଥିରେ କୁହାଯାଇଥିଲା ।