ବିଗତ 10 ମାସ ଧରି ସାରା ବିଶ୍ବ ମିଳିତ ଭାବେ କୋଭିଡ-19 ମହାମାରୀର ମୁକାବିଲା କରି ଆସୁଛି। ବିଶ୍ବବ୍ୟାପୀ କୋରାନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା 10 ଲକ୍ଷ ଟପି ସାରିଲାଣି। ସବୁଠାରୁ ଉନ୍ନତ ଚିକିତ୍ସା ସୁବିଧା ଥିବା ଦେଶଗୁଡ଼ିକଠାରୁ ନେଇ ବହୁତ କମ୍ ସୁବିଧା ଥିବା ଭାରତ ଭଳି ରାଷ୍ଟ୍ର ସବୁଠି ମହାମାରୀ କାରଣରୁ ସ୍ବାସ୍ଥ୍ୟ ସେବାରେ ରହିଥିବା ତ୍ରୁଟିବିଚ୍ୟୁତି ଏବଂ ଦୁର୍ବଳତା ଏବେ ପଦାରେ ପଡିଛି। ସଂକ୍ରମଣ ବ୍ୟାପୁଥିବାରୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଅଣ-କୋଭିଡ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଚିକିତ୍ସା ପ୍ରତି ଧ୍ୟାନ ଦେବାରେ ନାନାଦି ସମସ୍ୟା ଉପୁଜିଛି। ବାସ୍ତବିକ ନିକଟରେ ହୋଇଥିବା ଏକ ସର୍ଭେରେ 15ଟି ରୋଗ ଚିହ୍ନଟ କରାଯାଇଛି ଯାହାକି କୋରୋନାଠାରୁ ଅଧିକ ମାରାତ୍ମକ। ଚିହ୍ନଟ ହୋଇଥିବା ପ୍ରତିଟି ରୋଗରେ ବର୍ଷକୁ 10 ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଆମର ପ୍ରକୃତ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଆବଶ୍ୟକ ସଂସ୍କାର ଜରୁରୀ ବୋଲି ଏହି ସର୍ଭେରେ ଗୁରୁତ୍ବ ଦିଆଯାଇଛି।
ହୃଦ ରୋଗରେ 1 କୋଟି 78 ଲକ୍ଷ, କର୍କଟରେ 96 ଲକ୍ଷ, ବୃକକ୍ ରୋଗରେ 12 ଲକ୍ଷ ଏବଂ ଯକ୍ଷ୍ମାରେ 11 ଲକ୍ଷକୁ ମିଶାଇ ଏସବୁ ରୋଗରେ ପ୍ରତିବର୍ଷ 4 କୋଟି 43 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଅଧିକାଂଶ ସ୍ଥାନରେ ଏସବୁ ରୋଗର ନିଦାନ ପାଇଁ ଆବଶ୍ୟକ ମେଡିକାଲ ଚିକିତ୍ସାର ସୁବିଧା ସୁଯୋଗ ଅତ୍ୟନ୍ତ ନିମ୍ନମାନର ରହିଛି। କୋଭିଡ-19 ସଂକ୍ରମଣ ହେବାର ପ୍ରଥମ ତିନି ମାସରେ ସାରା ବିଶ୍ବରେ ହେବାକୁ ଥିବା 2 କୋଟି 84 ଲକ୍ଷ ଅସ୍ତ୍ରୋପଚାରକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ଭାରତରେ ଏପରି କେସ୍ ସଂଖ୍ୟା ହେଉଛି 5 ଲକ୍ଷ 80 ହଜାର। ମେଡିକାଲ ସୁବିଧା ଅଭାବରୁ ଏବର୍ଷ ଯକ୍ଷ୍ମାରେ 16 ଲକ୍ଷ 60 ହଜାର ଲୋକଙ୍କର ମୃତ୍ୟୁ ଘଟିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରିଦେଇଛି। ଶେଷରେ କହିବାକୁ ଗଲେ ଏହି ସ୍ଥିତିରେ ପରିବର୍ତ୍ତନ ହେବ କି? ଜାତୀୟ ସ୍ବାସ୍ଥ୍ୟ ମିସନ୍ କରିଥିବା ଗଣନା ଅନୁଯାୟୀ, କେବଳ ମାର୍ଚ୍ଚ 2020ରେ ସାରା ଦେଶରେ ଲକ୍ଷ ଲକ୍ଷ ଶିଶୁ ଟିକାଦାନରୁ ବଞ୍ଚିତ ହୋଇଛନ୍ତି। ଅଣ-କୋରୋନା ରୋଗର ଚିକିତ୍ସା ପାଇଁ ଡାକ୍ତର ମିଳୁନାହାଁନ୍ତି।