ଭୁବନେଶ୍ବର: ନୀତି ଆୟୋଗ ଦ୍ବାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି ।
ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି । ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟ ଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି ।
ଅନ୍ୟପକ୍ଷରେ ଭାରତ ନବୋନ୍ମେଷ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ବାଦଶ ସ୍ଥାନରେ ରହିଛି । ତେବେ ଏନେବଲର୍ସ ଓ ପରଫର୍ମାନ୍ସ ର୍ୟାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମଓ ଏକାଦଶ ସ୍ଥାନ ମିଳିଛି । ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭକାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକନୋଲୋଜି ବିଭାଗ ସଚିବ ରେଣୁ ସ୍ବରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେଏହି ସୂଚକାଙ୍କ ଜାରି କରାଯାଇଥିଲା ।
ଡ. ରାଜୀବ କୁମାର ଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ନବୋନ୍ମେଷ ସୂଚକାଙ୍କ ସମନ୍ବୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ ।