ଓଡିଶା

odisha

ETV Bharat / bharat

ବ୍ଲଗରେ ଅନୁଭୂତି ସେୟାର କଲେ ଆଡଭାନୀ - PM MODI

ଏକ ବ୍ଲଗରେ ଅନୁଭୂତି ବାଣ୍ଟିଲେ ବିଜେପି ବରିଷ୍ଠ ନେତା ତଥା ମାର୍ଗଦର୍ଶକ ମଣ୍ଡଳର ସଦସ୍ୟ ଲାଲକୃଷ୍ଣ ଆଡଭାନୀ । ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଦେଶବାସୀଙ୍କ ସହ ଅଭିଜ୍ଞତା ସେୟାର କରିବାକୁ କର୍ତ୍ତବ୍ୟ ମନେ କରିଛି ବୋଲି କହିଛନ୍ତି ଆଡଭାନୀ ।

ଫାଇଲ ଫଟୋ

By

Published : Apr 5, 2019, 3:20 AM IST

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ମାର୍ଗଦର୍ଶକ ମଣ୍ଡଳର ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କ ଟିକେଟ କାଟିବା ପରେ ପ୍ରଥମଥର ସେ ନିଜ ଭାବନା ବ୍ୟକ୍ତ କରିଛନ୍ତି । ଆସନ୍ତା ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ବିଜେପିର ସଂସ୍ଥାପକଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ଦେଶବାସୀ ଓ ବିଶେଷକରି ନିଜ ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ସହ କିଛି ସେୟାର କରିବାକୁ ଚାହୁଁଛି । ଦୁହେଁ ମୋତେ ବହୁତ ସମ୍ମାନ ଓ ସ୍ନେହ ଦେଇଛନ୍ତି ବୋଲି କହିଛନ୍ତି ଆଡଭାନୀ ।

ଗାନ୍ଧୀ ନଗରବାସୀଙ୍କୁ କୃତଜ୍ଞତା ଜଣାଉଛି । ଯେଉଁମାନେ ୧୯୯୧ ପରେ ୬ଥର ଲୋକସଭା ପାଇଁ ନିର୍ବାଚିତ କରିଛନ୍ତି । ସେମାନଙ୍କ ଭଲ ପାଇବା ଓ ସମର୍ଥନ ସବୁବେଳେ ବିସ୍ମିତ କରିଛି । ମାତୃଭୂମିରେ ସେବା କରିବା ହେଉଛି ଦୃଢ ଇଚ୍ଛାଶକ୍ତି ଓ ମିଶନ । ୧୪ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ)ରେ ଯୋଗଦାନ କରିଥିଲି । ରାଜନୈତିକ ଜୀବନର ୭୦ ବର୍ଷ ଦଳ ସହ ଜଡିତ ରହି ଆସୁଛି । ପ୍ରଥମେ ଜନସଂଘ ପରେ ବିଜେପି । ଏହି ଦୁଇ ଦଳର ସଂସ୍ଥାପକ ସଦସ୍ୟ ମଧ୍ୟ ରହିଛି । ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଓ ବହୁ ଅନ୍ୟ ମହାନ, ପ୍ରେରଣାଦାୟକ ଓ ବରିଷ୍ଠଙ୍କ ସହ ମିଶି କାମ କରିବାର ସୁଯୋଗ ମିଳିଛି ବୋଲି ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଆଡଭାନୀ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ ଜୀବନରେ ମାର୍ଗଦର୍ଶକ ସିଦ୍ଧାନ୍ତ ରହିଛି । ତାହା ହେଉଛି ନେଶନ ଫାର୍ଷ୍ଟ ଅର୍ଥାତ ଦେଶ ପ୍ରଥମ, ପାର୍ଟି ନେକସ୍ଟ ଅର୍ଥାତ ଦଳ ପରେ, ସେଲ୍ଫ ଲାଷ୍ଟ ଅର୍ଥାତ ମୁଁ ଶେଷରେ । ବିଜେପି କେବେ ନିଜ ବିରୋଧୀଙ୍କୁ ଦେଶଦ୍ରୋହୀର ସଂଜ୍ଞା ଦେଇ ନାହିଁ । ସମସ୍ତ ପରିସ୍ଥିତିରେ ଏହା ପାଳନ କରି ଆସିଛି । ଆଗକୁ ମଧ୍ୟ ପାଳନ କରିବି । ଭାରତୀୟ ଲୋକତନ୍ତ୍ରର ସାରକଥା ହେଉଛି ବିବିଧତା ଓ ଅଭିବ୍ୟକ୍ତିର ସ୍ବତନ୍ତ୍ରତାର ସମ୍ମାନ । ଦଳ ବ୍ୟକ୍ତିଗତ ଓ ରାଜନୈତିକ ସ୍ତରରେ ପ୍ରତ୍ୟେକ ନାଗରିକଙ୍କ ପସନ୍ଦର ସ୍ବତନ୍ତ୍ରତା ପାଇଁ ପ୍ରତିବଦ୍ଧ ରହେ ବୋଲି ଆଡଭାନୀ କହିଛନ୍ତି ।

ସେ ଆହିରୁ କହିଛନ୍ତି ଯେ ବିଜେପି ସର୍ବଦା ଗଣମାଧ୍ୟମ ସହିତ ଲୋକତାନ୍ତ୍ରିକ ସଂସ୍ଥାଗୁଡିକର ସ୍ବତନ୍ତ୍ରତା, ଅଖଣ୍ଡତା, ନିରପେକ୍ଷତା ଓ ଦୃଢତାର ଦାବି କରିବାରେ ସବୁଠାରୁ ଆଗରେ ରହି ଆସିଛି । ନିର୍ବାଚନରେ ସୁଧାର, ରାଜନୈତିକ ଓ ନିର୍ବାଚନୀ ଫଣ୍ଡିଂରେ ପାରଦର୍ଶିତାକୁ ପ୍ରାଥମିକତା ଦେଇଛି ଆମ ଦଳ । ସମସ୍ତଙ୍କୁ ସାମୂହିକ ରୂପରେ ଭାରତୀୟ ଲୋକତାନ୍ତ୍ରିକ ଶିକ୍ଷାକୁ ଦୃଢ କରିବାର ଆବଶ୍ୟକତା ରହିଛି । ନିର୍ବାଚନ ହେଉଛି ଗଣତନ୍ତ୍ରର ମହାପର୍ବ । ନିର୍ବାଚନ ହେଉଛି ମତଦାତାଙ୍କ ଦ୍ବାରା ସଚ୍ଚୋଟତାର ଆତ୍ମ ନିରୀକ୍ଷଣ କରିବାର ଏକ ଅବସର ବୋଲି ବିଜେପି ବରିଷ୍ଠ ନେତା ଏଲକେ ଆଡଭାନୀ କହିଛନ୍ତି ।

For All Latest Updates

ABOUT THE AUTHOR

...view details