ଓଡିଶା

odisha

ETV Bharat / bharat

ସଫଳ ହେଲା ନାସାର ‘ଟେସ’ ମିଶନ, ମିଳିଲା ନୂଆ ବିଶ୍ବର ସନ୍ଧାନ

ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା) ତରଫରୁ ଆରମ୍ଭ ହୋଇଥିଲା ମିଶନ ‘ଟ୍ରାଞ୍ଜିସ୍ଟି୍ଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ’ ବା ‘ଟେସ’ । ଯେଉଁଥିରେ ନାସାକୁ ମିଳିଛି ବିରାଟ ସଫଳତା ଏବଂ ନିକଟବର୍ତ୍ତୀ ଏକ ତାରକାର ଚତୁଃପାର୍ଶ୍ବରେ ଠାବ ହୋଇଛି ତିନୋଟି ନୂଆ ବିଶ୍ବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 22, 2019, 4:47 PM IST

ହାଇଦ୍ରାବାଦ: ସୌରମଣ୍ଡଳ । ପ୍ରକୃତିର ଅନେକ ରହସ୍ୟ ଏଠାରେ ଏବେ ବି ସୁରକ୍ଷିତ । ଯାହାକୁ ଜାଣିବା ପାଇଁ ବୈଜ୍ଞାନିକମାନେ ଦିନରାତି ଚଳାଇଛନ୍ତି ଚେଷ୍ଟା । ପ୍ରସ୍ତୁତ ହେଉଛି ନୂଆ ନୂଆ ଟେକ୍ନୋଲୋଜି । ଆରମ୍ଭ ହେଉଛି ନୂଆ ଯୋଜନା । ଆଉ ବିଶ୍ବକୁ ମିଳୁଛି କିଛି ନୂଆ ଓ ଭିନ୍ନ ଉପଲବ୍ଧି । ଆଜି ଆମେ କଥା ହେବା ନାସାର ଏପରି ଏକ ନୂଆ ଉପଲବ୍ଧି ‘ଟେସ୍‌ ମିଶନ’ ଉପରେ ଯିଏ ସୌରମଣ୍ଡଳ ବାହାରେ ଖୋଜି ବାହାର କରିଛି ଅନେକ ନୂଆ ଗ୍ରହ ଓ ଉପଗ୍ରହ ।

ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କି ସୌରମଣ୍ଡଳ ବାହାରେ କ’ଣ ସତରେ ଗ୍ରହ ଓ ଉପଗ୍ରହର ସ୍ଥିତି ରହିଛି । ତେବେ ଜାଣି ରଖନ୍ତୁ କି ଏହା ସମ୍ପୂର୍ଣ୍ଣ ସତ କି ସୌରମଣ୍ଡଳ ବାହାରେ ମଧ୍ୟ ଅନେକ ଗ୍ରହ ଓ ଉପଗ୍ରହ ରହିଛନ୍ତି । ଆମେ ଜାଣିବାରେ ସୌରମଣ୍ଡଳରେ କେବଳ ପୃଥିବୀରେ ହିଁ ଜୀବନ ସତ୍ତା ରହିଛି । କିନ୍ତୁ ଅନ୍ୟ କେତେକ ଗ୍ରହ ଯଥା ମଙ୍ଗଳ ଓ ଉପଗ୍ରହ ଚନ୍ଦ୍ରରେ ମଧ୍ୟ ଜୀବନ ସତ୍ତା ଥିବା ନେଇ ବୈଜ୍ଞାନିକମାନେ ସନ୍ଧାନ ଜାରି ରଖିଛନ୍ତି । ଏହା ବ୍ୟତୀତ ସୌରମଣ୍ଡଳର ଅନେକ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ମଧ୍ୟ ବୌଜ୍ଞାନିକମାନେ ଜାରି ରଖଛନ୍ତି ସନ୍ଧାନ ।

ଏନେଇ ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା) ତରଫରୁ ଆରମ୍ଭ ହୋଇଥିଲା ମିଶନ ‘ଟ୍ରାଞ୍ଜିସ୍ଟି୍ଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ’ ବା ‘ଟେସ’ । ଯେଉଁଥିରେ ନାସାକୁ ମିଳିଛି ବିରାଟ ସଫଳତା ଏବଂ ନିକଟବର୍ତ୍ତୀ ଏକ ତାରକାର ଚତୁଃପାର୍ଶ୍ବରେ ଠାବ ହୋଇଛି ତିନୋଟି ନୂଆ ବିଶ୍ବ । ଏନେଇ ଅଧିକ ସୂଚନା ଦେଇଛନ୍ତି ପ୍ଲାନେଟୋରୀ ଆଷ୍ଟ୍ରୋଫିଜିକ୍ସର ଜଣେ ୟୁସି ରିଭରସାଇଡ ପ୍ରଫେସର, ଷ୍ଟିଫେନ କେନ । ଷ୍ଟିଫେନଙ୍କ କହିବା ଅନୁଯାୟୀ ଠାବ କରାଯାଇଥିବା ନୂଆ ତାରକା ମଣ୍ଡଳୀ ‘ଟେସ ଅବ୍‌ଜେକ୍ଟ ଅଫ ଇଣ୍ଟରେଷ୍ଟ’ ବା ‘ଟିଓଆଇ-270’ ହେଉଛି ସେହି ଉପଲବ୍ଧି ଯେଉଁଥିପାଇଁ ବାସ୍ତବରେ ଗ୍ରହ ସନ୍ଧାନୀ ସାଟେଲାଇଟକୁ ପ୍ରସ୍ତୁତ କରାଯାଇଥିଲା ।

ଏହି ଟିଓଆଇ-270କୁ ନେଇ ଏକ ସବିଶେଷ ତଥ୍ୟ ସାରଣୀ ମଧ୍ୟ ଲୋକାର୍ପିତ କରାଯାଇଛି । ଯାହାକୁ ପଢି ଲୋକେ ସୌରମଣ୍ଡଳ ଅନ୍ତର୍ଗତ ଓ ବହିର୍ଭୂତ ଅନେକ ନୂଆ ତଥ୍ୟ ଜାଣିପାରିବେ । ତେବେ ସନ୍ଧାନ ହୋଇଥିବା ନୂଆ 3ଟି ଏକ୍ସୋପ୍ଲାନେଟ ଗୁଡିକ ସୌରମଣ୍ଡଳ ବାହାରେ ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପଥୁରିଆ ଓ ପୃଥିବୀଠାରୁ ସାମାନ୍ୟ ବଡ ବୋଲି ଜଣା ପଡିଛି । ସେହିପରି ଅନ୍ୟ ଦୁଇଟିରେ ବାଷ୍ପୀୟ ପଦାର୍ଥର ପରିମାଣ ଅଧିକ ଥିବା ସହ ଆକାରରେ ଏହା ପୃଥିବୀର ପ୍ରାୟ ଦୁଇଗୁଣା ।

ଟିଓଆଇ-270 ଅନ୍ୟ ତାରକାମାନଙ୍କ ତୁଳନାରେ ପୃଥିବୀର ସାମାନ୍ୟ ନିକଟତର ଏବଂ ସ୍ବଭାବରେ ଶାନ୍ତ । ବୈଜ୍ଞାନିକ ଭାଷାରେ ଶାନ୍ତ ଅର୍ଥାତ ଏହାକୁ ବୈଜ୍ଞାନିକମାନେ ସହଜରେ ଅନୁଧ୍ୟାନ କରିପାରିବେ । ଏଥିସହ ଏହା ପୃଥିବୀ ପୃଷ୍ଠରୁ ମଧ୍ୟ ଦୃଶ୍ୟମାନ । ଷ୍ଟିଫେନ ଏନେଇ କହିଛନ୍ତି କି ଏକ ତାରକାର ଚତୁଃପାର୍ଶ୍ବରେ ଜୀବନସଞ୍ଚାର ଥିବା ଗ୍ରହ ଖୋଜିପାରିବା ଅତି କଷ୍ଟକର ବ୍ୟାପାର । ତେଣେ ଏପରି ଗ୍ରହ ଆମ ସୌରମଣ୍ଡଳରେ ମଧ୍ୟ ଅନୁପସ୍ଥିତ ।

ଆମ ସୌରମଣ୍ଡଳରେ ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ପରି ଛୋଟ ଓ ପଥୁରିଆ ଗ୍ରହ ରହିଛି । ନଚେତ୍‌ ଶନି, ବୃହସ୍ପତି, ୟୁରାନସ୍‌ ଓ ନେପଚୁନ୍‌ ପରି ବିରାଟ ଆକାରର ଗ୍ରହ ରହିଛି । ଯେଉଁଥିରେ ବାଷ୍ପୀୟ ପଦାର୍ଥର ମାତ୍ରା ଅନ୍ୟ ଗ୍ରହ ତୁଳନାରେ ଢେର ଅଧିକ । କିନ୍ତୁ ସୌରମଣ୍ଡଳରେ ନେପଚୁନର ଅଧା ଆକାରର ବି କୌଣସି ଗ୍ରହ ନଥିବା ବେଳେ ଏହି ନୂତନ ଗ୍ରହର ସନ୍ଧାନ ବୈଜ୍ଞାନିକମାନଙ୍କ ପାଇଁ ଏକ ନୂଆ ଉପଲବ୍ଧି ।

ଟିଓଆଇ-270 ଦ୍ବାରା ଖୁବଶୀଘ୍ର ବୈଜ୍ଞାନିକମାନେ ବିଶ୍ବର ଅନେକ ରହସ୍ୟ ଉନ୍ମୋଚନ କରିବାକୁ ସଫଳ ହେବେ । ଏହାଦ୍ବାରା ପୃଥିବୀ ପରି ଜୀବନର ସତ୍ତା ଥିବା ଗ୍ରହ ଓ ନେପଚୁନ୍‌ ପରି ବାଷ୍ପୀୟ ଗ୍ରହ ମଧ୍ୟରେ ଥିବା ‘ମିସିଂ ଲିଙ୍କ’ ବା ‘ହଜି ଯାଇଥିବା ସମ୍ବନ୍ଧ’କୁ ଖୋଜି ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି । ଏନେଇ ମାସଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଟୋରେସ ପୋଷ୍ଟଡକ୍ଟୋରିଆଲ ତଥା ମୁଖ୍ୟ ଅନୁସନ୍ଧାନକାରୀ ମ୍ୟାକ୍ସିମିଲିଆନ ଗୁନ୍ଥର ସୂଚନା ଦେଇଛନ୍ତି ।

ତେବେ ଏହି ସିଷ୍ଟମର ପରବର୍ତ୍ତୀ ଅନୁସନ୍ଧାନ 2021 ମସିହାରେ ୱେବ ସ୍ପେଶ ଟେଲିସ୍କୋପ ଲଞ୍ଚ ହେବା ପରେ କରାଯିବ ବୋଲି ଜଣା ପଡିଛି । ଏହା ଟିଓଆଇ-270ସ୍ଥିତ ଗ୍ରହଗୁଡିକର ବାୟୁମଣ୍ଡଳରେ ଅକ୍ସିଜେନ, ହାଇଡ୍ରୋଜେନ ଓ କାର୍ବନ ମନୋକ୍ସାଇଡ ଆଦି ଗ୍ୟାସର କମ୍ପୋଜିସନ ମଧ୍ୟ ଖୋଜି ବାହାର କରିବାରେ ସହାୟକ ହେବ । ଷ୍ଟିଫେନଙ୍କ କହିବା ଅନୁଯାୟୀ ଏପରି ଅନୁସନ୍ଧାନ ଦ୍ବାରା ଗ୍ରହରେ ଜଳର ସ୍ଥିତି ଜଣା ପଡିବା ସହ କୌଣସି ଗ୍ରହରେ ଜୀବନ ସଞ୍ଚାର ସମ୍ଭବ କି ନାହିଁ, ତାହା ମଧ୍ୟ ଜଣା ପଡିବ । ଯେବେ କି ଏହା ପୃଥିବୀଠାରୁ ପ୍ରାୟ 73 ଆଲୋକବର୍ଷ ଦୂରରେ ରହିଛି । ତେଣୁ ଏଠାକୁ କେହି ଯିବାର ସମ୍ଭାବନା ଢେର କମ୍‌ ।

ପ୍ରକାଶ ଯେ ଟେସ ହେଉଛି ନାସାର ଏକ ଆଷ୍ଟ୍ରୋଫିଜିକ୍ସ ଏକ୍ସପ୍ଲୋରର ମିଶନ । ଯାହାକୁ ଏମ୍‌ଆଇଟି ପରିଚାଳିତ କରୁଥବା ବେଳେ ପ୍ରବନ୍ଧନା ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ ମିଶନ କରିଛି । ଏଥିସହ ଏହି ଟେସ ମିଶନରେ ନର୍ଥରୁପ ଗ୍ରୁମାନ, ନାସାର ଏମ୍ସ ରିସର୍ଚ୍ଚ ସେଣ୍ଟର, ଦି ହାଭାର୍ଡ-ସ୍ମିଥସୋନିଆନ ସେଣ୍ଟର ଫର ଆଷ୍ଟ୍ରୋଫିଜିକ୍ସ, ଏମ୍‌ଆଇଟିର ଲିଙ୍କୋଲିନ ଲାବୋରେଟୋରୀ ଓ ଦି ସ୍ପେଶ ଟେଲିକ୍ସୋପ ସାଇନ୍ସ ଇନଷ୍ଟିଚ୍ୟୁଟର ସହଯୋଗ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details