ମୁମ୍ବାଇ: ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ସମସ୍ୟା ଘେରରେ ଦେବେନ୍ଦ୍ର ଫଡନାଭିସ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ କରିଥିବା ସତ୍ୟାପଠରେ ଭୁଲ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ନାଗପୁରର ଏକ କୋର୍ଟ ତାଙ୍କ ବିରୋଧରେ ଏକ ସମନ ଜାରି କରିଛି ।
ସମସ୍ୟାରେ ଫଡନାଭିସ, ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ସମନ ଜାରି
ମୁଖ୍ୟମନ୍ତ୍ରୀ ପଦରୁ ହଟିବାର ମାତ୍ର 3 ଦିନ ମଧ୍ୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ନାଗପୁର କୋର୍ଟ ସମନ ଜାରି କରିଛନ୍ତି । ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ସମନ ଜାରି ହୋଇଛି।
ଦେବେନ୍ଦ୍ର ଫଡନାଭିସ ନିଜ ସତ୍ୟପାଠରେ ନିଜ ବିରୋଧରେ ଚାଲିଥିବା 2ଟି ଅପରାଧିକ ମାମଲାର ତଥ୍ୟ ଦେଇନଥିଲେ ବୋଲି ଆଇନଜୀବି ସତୀଶ ଉକେ ଅଭିଯୋଗ ଆଣିଛନ୍ତି। ଏ ମାମଲାରେ ବମ୍ବେ ହାଇକୋର୍ଟରୁ ଫଡନାଭିସଙ୍କୁ ଆଶ୍ବସ୍ତି ମିଳିଥିଲା । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଗପୁରର ମାଜିଷ୍ଟ୍ରେଟ କୋର୍ଟ ଫଡନାଭିସଙ୍କ ବିରୋଧରେ ସମନ ଜାରି କରିଛନ୍ତି ।
ଗତ 2014 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଫଡନାଭିସ ନିଜ ବିରୋଧରେ ଚାଲିଥିବା 2ଟି ଅପରାଧିକ ମାମଲାର ତଥ୍ୟ ଦେଇନଥିଲେ। ସେ ଏଭଳି କରି ଜନପ୍ରତିନିଧିତ୍ବ ଆଇନ 1951ର ଧାରା 125(ଏ)ର ଉଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ।