ଓଡିଶା

odisha

ETV Bharat / bharat

ମିଶନ 2019: 12ଟି ଆସନ ଦାବି କଲା ଜେଡିଏସ

କର୍ଣ୍ଣାଟକରେ ରାଜନୀତିରେ ଚାଲିଥିବା ହାଇଭୋଲଟେଜ ଡ୍ରାମା ଯୋଗୁଁ କଂଗ୍ରେସ ଏବଂ ଏହାର ମେଣ୍ଟ ସହଯୋଗୀ ଜେଡିଏସ ମଧ୍ୟରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବୁଝାମଣା ହୋଇପାରୁନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ କାରଣରୁ ଏଭଳି ସ୍ଥିତି। ଅନ୍ୟପଟେ ବଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ଡିଜାଇନ ଫଟୋ

By

Published : Feb 9, 2019, 7:14 AM IST

ବେଙ୍ଗାଲୁରୁ: ନୂଆବର୍ଷ 2019 ପ୍ରାରମ୍ଭରୁ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଯାଇଛି ବିରୋଧିଙ୍କ ମହାଗଠବନ୍ଧନ ପ୍ରସଙ୍ଗ। ଏଥିରେ ଅଂଶୀଦାର ଥିବା ଦଳଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ କେଁ ରହିଛି। ସବୁ ଦଳ ସମ୍ମାନଜନକ ଆସନ ପାଇବାକୁ ଦାବି କରୁଛନ୍ତି। ମହାମେଣ୍ଟରେ ଅଘୋଷିତ ମଙ୍ଗୁଆଳ କୁହାଯାଉଥିବା କଂଗ୍ରେସର ଅବସ୍ଥା ମଝି ନଇରେ ଫସି ରହିବା ଭଳି ହୋଇଛି। ସଦ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକ ରାଜନୀତିରେ।

ଆସନ୍ତା ଲୋକସଭା ନିର୍ବାଚନର ତାତି ନୂଆବର୍ଷ ଆରମ୍ଭରୁ ଅନୁଭୂତ ହେଲାଣି। ଗତବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭାରେ ନିର୍ବାଚନରେ କିଙ୍ଗମେକର ସାଜିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ନେତୃତ୍ୱାଧିନ ଜେଡିଏସ ଏହାର ମେଣ୍ଟ ସହଯୋଗୀ କଂଗ୍ରେସ ଠାରୁ 2019 ନିର୍ବାଚନ ପାଇଁ ରାଜ୍ୟର ମୋଟ 28ଟି ଲୋକସଭା ଆସନରୁ 12ଟି ଦାବି କରିଛି।

ଏପ୍ରସଙ୍ଗରେ ମତ ରଖି ଜେଡିଏସ ସୁପ୍ରିମୋ ଦେବେଗୌଡ କହିଛନ୍ତି 2019 ନିର୍ବାଚନରେ ହେବାକୁ ଥିବା ସମ୍ଭାବ୍ୟ ଆସନ ବୁଝାମଣାକୁ ନେଇ ଏକ ସମନ୍ୱୟ କମିଟି ବୈଠକ ବସିବ। ଏହି କମିଟିର ଅଧ୍ୟକ୍ଷ ପଦରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବର୍ତ୍ତମାନ ଅବସ୍ଥାପିତ ଅଛନ୍ତି। ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ମଧ୍ୟରେ ଏସମ୍ପର୍କରେ ପ୍ରଥମେ ଆଲୋଚନା ହେବ। ପରେ କେନ୍ଦ୍ରୀୟ ନେତୃବୃନ୍ଦ ଏପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବେ।

ଉଭୟ ଦଳଙ୍କ ମଧ୍ୟରେ 2:1 ଅନୁପାତରେ ଆସନ ବୁଝାମଣା ହେବାର ଅଛି। ଯଦି ଏପରି ହୁଏ ତେବେ ଜେଡିଏସ ଭାଗରେ 11ଟି ଆସନ ପଡିବା କଥା। ମାତ୍ର ଏହାଠାରୁ ଆହୁରି ଗୋଟିଏ ଅଧିକ ଆସନ କଂଗ୍ରେସ ପାଖରୁ ଦାବି କରିଛି ଜେଡିଏସ। ପୂର୍ବରୁ ବିଜେପି ସହ ମେଣ୍ଟ ଥିବା ବେଳେ ମଧ୍ୟ ଅଧିକ ଗୋଟିଏ ଆସନ ଦାବି କରାଯାଇଥିଲା ବୋଲି ଜେଡିଏସ ସୁପ୍ରିମୋ ଜଣାଇଛନ୍ତି।


ଯଦି ଜେଡିଏସର ଏହି ପ୍ରସ୍ତାବ କଂଗ୍ରେସ ରାଜି ନହୁଏ, ଏଥିପାଇଁ ଜେଡିଏସ କଣ କରିବ ବୋଲି ଗଣାମାଧ୍ୟମ ପକ୍ଷରୁ ପଚରା ପ୍ରଶ୍ନର ଉତ୍ତର ରଖି ଦେବେଗୌଡା କହିଛନ୍ତି ଏଭଳି ସମ୍ଭାବନା ସୃଷ୍ଟି ହେବନାହିଁ। କାହାକୁ କେତେ ଆସନ ମିଳିବ ତାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ଜଣାଇବି। କର୍ଣ୍ଣାଟକର ରାଜ୍ୟଶାଖା ଜେଡିଏସ ସଭାପତି ଏଚ.ବିଶ୍ୱନାଥ ଦଳ ଛାଡିବା ପ୍ରସଙ୍ଗରେ ମତରଖି ସେ କହିଛନ୍ତି କେବଳ ଗଣମାଧ୍ୟମରେ ଏହାର ଚର୍ଚ୍ଚା ହେଉଛି।

2014 ଲୋକସଭା ନିର୍ବାଚନ ଫଳାଫଳ

  • ମୋଟ ଆସନ-28
  • ଭାରତୀୟ ଜନତା ପାର୍ଟି(ବିଜେପି)-17
  • ଜନତା ଦଳ ସେକ୍ୟୁଲାର(ଜେଡିଏସ)-2
  • ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି)-9

ABOUT THE AUTHOR

...view details