ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକଙ୍କ ପାଇଁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ନିଜ ନିଜ ରାଜ୍ୟକୁ ଫେରିପାରିବେ ଶ୍ରମିକ ଓ ଛାତ୍ର । ବିପର୍ଯ୍ୟୟ ପରିଚାଳନା ଆଇନର କ୍ଷମତା ପ୍ରୟୋଗ କରି ଗୃହ ସଚିବଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ୍ ଇତ୍ୟାଦି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ସଭାପତି ଭାବରେ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି ଯେ ଲକଡାଉନ୍ କାରଣରୁ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଯିବାକୁ ଅନୁମତି ଦିଆଯିବ ।
ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘ଆଜି ଆନ୍ତଃରାଜ୍ୟ ଯାନବାହାନ ଚଳାଚଳ କରିବାକୁ ଗୃହମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି ଅଛୁ, ପ୍ରବାସୀ ଶ୍ରମିକମାନେ ଅଧିକ ଖୁସି ଅଛନ୍ତି କିନ୍ତୁ ଏହି ଲୋକମାନେ କିପରି ଘରକୁ ଫେରିବେ? ବସ୍, ଟ୍ରେନ୍ ଏବଂ ଅନ୍ୟାନ୍ୟ ଯାନ ସାହାଯ୍ୟରେ ଏହି ଲୋକଙ୍କୁ ନିଜ ଘରକୁ ପରିବହନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି’ ।