ପାଟନା: ଗତ 12 ତାରିଖରୁ ଆରମ୍ଭ ହୋଇଛି ପିତୃପକ୍ଷ । ଗତ ଶୁକ୍ରବାର ଏହି ପକ୍ଷରେ ପ୍ରଥମ ଥର ପିଣ୍ଡଦାନ କାର୍ଯ୍ୟ କରାଯାଇଥିଲା । ତେବେ ଏହି ପିତୃପକ୍ଷରେ ଶ୍ରାଦ୍ଧ ଦେବା ପାଇଁ ଶତାଧିକ ଶ୍ରଦ୍ଧାଳୁ ଏଠାରେ ଆସି ପହଞ୍ଚିଥାନ୍ତି । ଏଠାକୁ ତିଳ ତର୍ପଣ ପାଇଁ ଯେ କେବଳ ଦେଶର କୋଣଅନୁକୋଣରୁ ଆସିଥାନ୍ତି ତାହା ନୁହେଁ, ବରଂ ବିଦେଶରୁ ମଧ୍ୟ ଅନେକ ଏଠାକୁ ଆସିଥାନ୍ତି ।
ତେବେ ଏହି ସ୍ଥାନର ଅନ୍ୟ ଏକ ମହତ୍ତ୍ବ ହେଉଛି ଏଠାରେ ଥିବା ଏକ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଅର୍ଥାତ ପାଠଶାଳା । ଏହି ପାଠଶାଳାରେ ପିଲାମାନଙ୍କୁ କର୍ମକାଣ୍ଡ ଓ ଅନ୍ୟାନ୍ୟ ପୂଜାପର୍ବାଣୀର ଶିକ୍ଷା ଦିଆଯାଇଥାଏ । ଏହା ସହିତ ବିଭିନ୍ନ ଜ୍ୟୋତିଷ ଶାସ୍ତ୍ର ଉପରେ ମଧ୍ୟ ଶିକ୍ଷାଦାନ କରାଯାଇଥାଏ ବୋଲି ସୂଚନା ମିଳିଛି । ତେବେ ଏଠାରେ ପଢୁଥିବା ଶିକ୍ଷାର୍ଥୀମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଜାତିର ନୁହଁନ୍ତି । ବିଭିନ୍ନ ଜାତି ଓ ଧର୍ମର ପିଲାମାନେ ଏଠାରେ ଶିକ୍ଷା ଗ୍ରହଣ କରିଥାନ୍ତି ।
ଗୟାରେ ରହିଛି ବ୍ରାହ୍ମଣ ବିଦ୍ୟାଳୟ କଁଅଳ ତୁଣ୍ଡରେ କଠିନ ମନ୍ତ୍ର
କଅଁଳ ବୟସରେ ଅନର୍ଗଳ କରୁଛନ୍ତି ମନ୍ତ୍ରପାଠ । ବିଭିନ୍ନ ପୂଜା ପର୍ବାଣୀ, ବିଷ୍ଣୁ ସହସ୍ର ନାମ ମନ୍ତ୍ର ଅନର୍ଗଳ ଗାଉଛନ୍ତି ଛୋଟଛୋଟ ପିଲା । ଯେଉଁ ବୟସରେ ପିଲାମାନେ ଭିଡ଼ିଓ ଗେମ, ସୋସିଆଲ ମିଡ଼ିଆ, ଏବଂ କାର୍ଟୁନ ଦେଖି ସମୟ ଅତିବାହିତ କରିଥାନ୍ତି, ସେହି କ୍ଷେତ୍ରରେ ପିଲାମାନେ ନିଜର ଶିକ୍ଷା ପାଇଁ ଏଠାକୁ ଆସିଥାନ୍ତି । ନିଜର ଦୈନନ୍ଦିନ ଜୀବନ ଚର୍ଯ୍ୟା ଓ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ପରେ ଏଠାକୁ ପଢିବା ପାଇଁ ଆସିଥାନ୍ତି । ଏହି ସ୍କୁଲରେ ବିଷ୍ଣୁ ସହସ୍ର ନାମ, ଗଣେଶ ପୂଜାର ମନ୍ତ୍ର ଆଦି ମନ୍ତ୍ର ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଏଠାକାର ଶିକ୍ଷାର୍ଥୀମାନେ 4 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶିକ୍ଷା ଗ୍ରହଣ କରି ଆସୁଛନ୍ତି ।
ଗୟାରେ ରହିଛି ବ୍ରାହ୍ମଣ ବିଦ୍ୟାଳୟ 45 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କରିଆସୁଛନ୍ତି ଶିକ୍ଷାଦାନ
ବିଗତ 45 ବର୍ଷ ଧରି ଏହି ସ୍କୁଲକୁ ଚଳାଇ ଆସୁଛନ୍ତି ଏଠାକାର ପଣ୍ଡିତ ରାମ ଆଚାର୍ଯ୍ୟ । ପଣ୍ଡିତ ଆଚାର୍ଯ୍ୟ ଏହି ସ୍କୁଲକୁ 45 ତଳେ ପ୍ରତିଷ୍ଠା କରିଥିଲେ । ଲକ୍ଷ୍ୟ ଥିଲା ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ କାର୍ଯ୍ୟକୁ ଶତ ପ୍ରତିଶତ ଭାବେ ପବିତ୍ର ଓ ପୂଣ୍ୟର ସହ ସମାପନ କରିବା । ତେବେ ପଣ୍ଡିତ ଆଚାର୍ଯ୍ୟ ଏଠାକାର ମୂଳବାସିନ୍ଦା ନୁହଁନ୍ତି । ଏହି ପଣ୍ଡିତ ଆଚାର୍ଯ୍ୟ ଦକ୍ଷିଣ ଭାରତର ମୂଳ ବାସିନ୍ଦା ହୋଇଥିବାରୁ ଅନେକ ଭାଷାରେ ମଧ୍ୟ ଜ୍ଞାନ ଅର୍ଜନ କରିଛନ୍ତି । ଏହା ସହିତ ସେ ଅନେକ ଜ୍ୟୋତିଷ ଶାସ୍ତ୍ର ଓ କର୍ମକାଣ୍ଡ ମଧ୍ୟରେ ଜ୍ଞାନ ଅର୍ଜନ କରିଛନ୍ତି ।
ପିଲାମାନଙ୍କୁ ସ୍ବାବଲମ୍ବୀ କରିବା ମୂଳ ଉଦ୍ଦେଶ୍ୟ
ଏହି ବୈଦିକ ପାଠଶାଳା ବା ସ୍କୁଲର ପ୍ରତିଷ୍ଠାତା ପଣ୍ଡିତ ରାମ ଆଚାର୍ଯ୍ୟ କହିଛନ୍ତି କି ସେ ଏଠାରେ 45 ବର୍ଷ ଧରି ଏହି ସ୍କୁଲକୁ ଚଲାଇ ଆସୁଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ ସମସ୍ତ ଜାତି, ସମସ୍ତ ଧର୍ମର ପିଲାମାନେ ଜ୍ୟୋତିଷ ଓ ବୈଦିକ ରୀତିନୀତି ପୂଜାପର୍ବାଣୀର ମନ୍ତ୍ର ସମ୍ବନ୍ଧରେ ଜ୍ଞାନ ଅର୍ଜନ କରନ୍ତୁ । ଏବଂ ଏହାକୁ ଶୁଦ୍ଧ ଉଚ୍ଚାରଣ ସହିତ ପୂଜାପାଠ ମଧ୍ୟ କରାନ୍ତୁ । ପଣ୍ଡା ସମାଜ ଏବଂ ବ୍ରାହ୍ମଣ ସମାଜ ବ୍ୟତୀତ ଅନ୍ୟ ଜାତି ଓ ଧର୍ମର ପିଲାମାନେ ମଧ୍ୟ କର୍ମକାଣ୍ଡ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଏଠାକୁ ଆସିଥାନ୍ତି ବୋଲି ସେ କହିଛନ୍ତି ।
ଗୟାରେ ରହିଛି ବ୍ରାହ୍ମଣ ବିଦ୍ୟାଳୟ ପିଲାଙ୍କ ମଧ୍ୟରେ ଦେଖିଥିଲେ କର୍ମକାଣ୍ଡ ପ୍ରତି ରୁଚି
ଏଠାରେ ପଢୁଥିବା ପିଲାମାନେ କହିଛନ୍ତି କି, ସମସ୍ତେ ନିଜ ନିଜ ସ୍କୁଲରେ ପାଠ ପଢୁଛନ୍ତି । ସନ୍ଧ୍ୟା ସମୟରେ ଏଠାକୁ ଆସି ଏହି କର୍ମକାଣ୍ଡ ଓ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିଥାନ୍ତି । ଏଠାରେ ସନାତନ ଧର୍ମ ସହିତ ଜଡ଼ିତ ସମସ୍ତ ପୂଜା ବିଧି ସମ୍ପର୍କରେ ଜ୍ଞାନ ଦେଇଥାନ୍ତି । ମୋକ୍ଷର ସହର ଗୟାରେ ଏହି ପିଣ୍ଡଦାନ କାର୍ଯ୍ୟ ବହୁଳ ମାତ୍ରାରେ ହେଉଥିବା ଏ ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି ବୋଲି ସ୍କୁଲର ପିଲାମାନେ କହିଛନ୍ତି ।
900ରୁ ଅଧିକ ବିଦ୍ୟାର୍ଥୀ ନେଇ ସାରିଛନ୍ତି ଜ୍ଞାନ
ସ୍କୁଲର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ରାମାଚାର୍ଯ୍ୟ କହିଛନ୍ତି ଯେ, ଏହି ସ୍କୁଲରୁ ବିଗତ 4 ଦଶକ ମଧ୍ୟରେ ପାଖାପାଖି 900ରୁ ଊର୍ଦ୍ଧ୍ବ ଲୋକ ଶିକ୍ଷା ଗ୍ରହଣ କରିନେଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ବିଦେଶୀ ଲୋକଙ୍କ ନାମ ମଧ୍ୟ ସାମିଲ ରହିଛି । ତେବେ ବର୍ତ୍ତମାନ ସମୟରେ ଗୟାରେ ଯେତିକି ପଣ୍ଡା ଓ ବ୍ରାହ୍ମଣ ପିଣ୍ଡଦାନ କରୁଛନ୍ତି, ତାହାର 40 ପ୍ରତିଶତ ଆଚାର୍ଯ୍ୟ ଏହି ସ୍କୁଲର ଛାତ୍ର ରହିସାରିଛନ୍ତି । ସେପଟେ ଏହି ସ୍କୁଲକୁ ଆସୁଥିବା ପିଲାମାନଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।