ନୂଆଦିଲ୍ଲୀ: 21 ଦିନ ପାଇଁ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ପଦାକୁ ଗୋଡ କାଢିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଲୋକେ ନିୟମ ମାନୁନାହନ୍ତି । ଏଥିପାଇଁ 24 ଘଣ୍ଟା ପଇଁତରା ମାରୁଛି ପୋଲିସ । ତେବେ ଏତିକି ବେଳେ ଏକ ରୋଚକମୟ ଘଟଣା ସାମନାକୁ ଆସିଛି । ଜଣେ 30 ବର୍ଷୀୟ ଯୁବକ ନିଜ ବାପାଙ୍କ ନାଁରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀର ବସନ୍ତ କୁଞ୍ଜରେ ବାସ କରୁଥିବା ଜଣେ ଯୁବକ ନିଜ ବାପାଙ୍କ ନାଁରେ ଅଭିଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଥାନାକୁ ଯାଇ ଏକ ମାମଲା ରୁଜୁ କରିବା ସହ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଲକଡାଉନ ନିୟମ ନମାନି ତାଙ୍କ ବାପା ପ୍ରତ୍ୟେକ ଦିନ ଘରୁ ବାହାରକୁ ଯାଉଛନ୍ତି । ଯେତେ ବୁଝାଇଲେ ବି ବୁଝୁନାହାନ୍ତି । ମହାମାରୀ କୋରୋନା ଭାଇରସରେ ସାଧାରଣତଃ ବୟସ୍କ ଲୋକ ଅଧିକ ଆକ୍ରାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ନିଜ ବାପା ନାଁରେ ଅଭିଯୋଗ କରିଥିବା ଯୁବକ କହିଛନ୍ତି ।