ନୂଆଦିଲ୍ଲୀ: ବିଶ୍ବରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହି ମହାମାରୀ କୋରୋନା ଭୂତାଣୁ ବ୍ୟାପିବାରୁ ରୋକିବାକୁ 21 ଦିନ ଧରି ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହି ଲକଡାଉନ ଯେ କାହାର ଜୀବନ ନେବ ଏକଥା କେହି ଭାବିନଥିଲେ । ଏଭଳି ଏକ ଅଭିଯୋଗ ଆସିଛି, ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ ଷ୍ଟେସନ ଥାନା ଅନ୍ତର୍ଗତ ଯମୁନା ବିହାର ଅଞ୍ଚଳରୁ ।
ଜଣେ 42 ବର୍ଷିୟ ବ୍ୟକ୍ତି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାରଙ୍କ କହିବା ମୁତାବକ, ମୃତକ ଗୌତମ ବିଦ୍ୟୁତ ବିଭାଗରେ ଚୁକ୍ତିଭିତ୍ତିକ ଭାବରେ ମାଳି କାମ କରୁଥିଲେ । କିନ୍ତୁ 3 ମାସ ହେଲା ତାଙ୍କୁ ଦରମା ମିଳି ନଥିବା ବେଳେ ଲକଡାଉନ କାରଣରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ଯେଉଁଥିପାଇଁ ସେ ବହୁତ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।