ଲଣ୍ଡନ: କ୍ୟାନ୍ସର ନାଁ ଶୁଣିଲେ ହିଁ ଭୟରେ ଥରି ଉଠେ ଛାତି । ଯାହାର କେବଳ ଚିନ୍ତା ହିଁ ଜଣଙ୍କୁ ମାନସିକ ଅସୁସ୍ଥ କରିବା ପାଇଁ ଯଥେଷ୍ଟ । ତେବେ କ୍ୟାନ୍ସର ବିଭିନ୍ନ ପ୍ରକାର ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ମାତ୍ରା କିଛି କମ ନୁହେଁ । ଏହାର ସମାଧାନ ପାଇଁ ଡାକ୍ତରୀ ବିଜ୍ଞାନ ଆଣିଛି ନୂଆ ପନ୍ଥା । ପ୍ରାୟ ଏକ ମିଲିୟନ ମହିଳାଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି କି ସମୟ ପୂର୍ବରୁ ମାମୋଗ୍ରାଫି ସ୍କ୍ରିନିଂ କରିବା ଦ୍ବାରା ଅନେକ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟର ସମ୍ଭାବନା କମିଥାଏ ।
ଏନେଇ କ୍ୟାନ୍ସର ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ମୁତାବକ ସ୍ବିଡେନରେ ମାମୋଗ୍ରାଫିର ସୁଯୋଗ ପାଇଥିବା ଅନେକ ମହିଳାଙ୍କୁ ନେଇ ଏକ ଅଧ୍ୟୟନ ହୋଇଥିଲା । ଏହି ମହିଳାମାନଙ୍କ କହିବା ଅନୁଯାୟୀ ଏହି ମାମୋଗ୍ରାଫି ସ୍କ୍ରିନିଂ ଦ୍ବାରା ସ୍ତନ କର୍କଟର ସମ୍ଭାବନା କମ ହୋଇଥାଏ । ଅଧ୍ୟୟନରେ ସାମିଲ 5,49,091 ମହିଳାଙ୍କ ମଧ୍ୟରେ ଡାକ୍ତରମାନେ ସ୍ତନ କର୍କଟ ନେଇ ବିଭିନ୍ନ ପରୀକ୍ଷା କରିଥିଲେ । ଅନେକ କ୍ଷେତ୍ରରେ 10ବର୍ଷର ଚିକିତ୍ସା ପରେ ବି ସ୍ତନ କର୍କଟ ଠିକ ହୋଇନଥିବା ବେଳେ ଅନେକ କ୍ଷେତ୍ରରେ ପ୍ରାରମ୍ଭିକ ଚିକିତ୍ସା ଦ୍ବାରା ଏହାକୁ ରୋକାଯାଇପାରୁଥିବା ଦେଖାଯାଇଥିଲା ।