ସ୍ବାଧୀନତାର ସାତ ଦଶନ୍ଧି ହେଲା ଭାରତରେ ଅନେକ ବନ୍ଧ, ଜଳାଶୟ ଏବଂ ବ୍ୟାରେଜ ନିର୍ମାଣ ହୋଇଛି। କିନ୍ତୁ ଆଜି ବି ଦେଶର 85 ପ୍ରତିଶତ ଲୋକ ପିଇବା ପାଇଁ ଭୂତଳ ପାଣି ବା ଗ୍ରାଉଣ୍ଡ ୱାଟର ଉପରେ ନିର୍ଭର କରୁଛନ୍ତି । ଚାଷୀମାନେ ମଧ୍ୟ ଜଳସେଚନ ପାଇଁ ଗ୍ରାଉଣ୍ଡ ୱାଟର ବ୍ୟବହାର କରୁଛନ୍ତି । ଏହା ଜଳର ଏକ ବଡ଼ ଉତ୍ସ ହୋଇଥିଲେ ସୁଦ୍ଧା ଗ୍ରାଉଣ୍ଡ ୱାଟର ଆମ ଦେଶରେ ସବୁଠାରୁ ଅଧିକ ଦୂଷିତ ଏବଂ ଏହାକୁ ଅଧିକ ମାତ୍ରାରେ ଶୋଷଣ କରାଯାଉଛି। ବର୍ଷା ଜଳକୁ ସଂରକ୍ଷିତ କରି ରଖିବାରେ ଆମର ଦୁର୍ବଳ ବ୍ୟବସ୍ଥା କାରଣରୁ ଭାରତରେ କେବଳ 8 ପ୍ରତିଶତ ବର୍ଷା ଜଳକୁ ଅଟକାଇ ରଖାଯାଇପାରୁଛି। ଫଳରେ ଖାଲି ହେଉଥିବା ଭୂତଳ ଜଳସ୍ତର ପୁଣି ଥରେ ପୂରଣ ହୋଇପାରୁନାହିଁ, ଯଦ୍ବାରା ଦେଶର ଅନେକ ଭାଗରେ ସାଂଘାତିକ ଜଳ ସଙ୍କଟ ଦେଖା ଦେଉଛି। ଭାରତର ଜଣକ ପିଛା ଉପଲବ୍ଧ ଜଳ ପରିମାଣ 2025 ସୁଦ୍ଧା 25 ପ୍ରତିଶତ ହ୍ରାସ ପାଇବ ଏବଂ ଏହା 2035 ମସିହା ସୁଦ୍ଧା ବିପଦଜନକ ଭାବେ ତଳକୁ ଖସିବ ବୋଲି ଏକ ଆକଳନରେ କୁହାଯାଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ସ୍ଥିତିକୁ ସଠିକ୍ ପରଖିଛି ଏବଂ ଜଳର ପୂର୍ଣ୍ଣ ବିନିଯୋଗ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିଛି। ଏହି ଜଳ ସଞ୍ଚୟ ଅଭିଯାନରେ ସାମିଲ ହେବାକୁ ମନ୍ତ୍ରଣାଳୟ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୌରସଂସ୍ଥା, ନିଗମ ଏବଂ ଜଳ ବୋର୍ଡଗୁଡିକୁ ନିର୍ଦ୍ଦେଶ ଦେଇଛି ଏବଂ ଜଳ ନଷ୍ଟ ହେଉଥିବା କ୍ଷେତ୍ରରେ ଜୋରିମାନା ଆଦାୟ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ଭୂତଳ ଜଳ ସମ୍ପଦର ବିନିଯୋଗ ଉପରେ 2017 ଅକ୍ଟୋବରରେ ଆଇନ ସମ୍ବଳିତ ଏକ ନୂଆ ପ୍ରସ୍ତାବ ଆଣିଛି । ଅଗଷ୍ଟ 2019ରେ 256ଟି ଜିଲ୍ଲାରେ ଜଳ ଶକ୍ତି ଅଭିଯାନ ଦ୍ବାରା ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ସ୍ଥିତି ଅଧିକ ସଙ୍ଗୀନ ହେବା ପୂର୍ବରୁ କେନ୍ଦ୍ର ସରକାର ଜଳ ସଞ୍ଚୟ ଏବଂ ସଂରକ୍ଷଣ ପାଇଁ ଏସବୁ ପଦକ୍ଷେପ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ତାହା ଦେଖିବା ଉଚିତ ।
ଭାରତରେ ଆସନ୍ନ ଜଳ ସଙ୍କଟକୁ ଦୃଷ୍ଟିରେ ରଖି କୌଣସି ବି ଭୁଲ କରନ୍ତୁ ନାହିଁ - ଭାରତର ୱାଟରମ୍ୟାନ
ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଦେଶର 85 ପ୍ରତିଶତ ଲୋକ ପିଇବା ପାଇଁ ଭୂତଳ ପାଣି ବା ଗ୍ରାଉଣ୍ଡ ୱାଟର ଉପରେ ନିର୍ଭର କରୁଛନ୍ତି । ଏହା ଜଳର ଏକ ବଡ଼ ଉତ୍ସ ହୋଇଥିଲେ ସୁଦ୍ଧା ଗ୍ରାଉଣ୍ଡ ୱାଟର ଆମ ଦେଶରେ ସବୁଠାରୁ ଅଧିକ ଦୂଷିତ ଏବଂ ଏହାକୁ ଅଧିକ ମାତ୍ରାରେ ଶୋଷଣ କରାଯାଉଛି । ଆଉ ଆମର ଦୁର୍ବଳ ବ୍ୟବସ୍ଥା କାରଣରୁ ମାତ୍ର 8 ପ୍ରତିଶତ ବର୍ଷା ଜଳଳ ସଂରକ୍ଷିତ କରାଯାଉଛି । ଯଦ୍ବାରା ଆବଶ୍ୟକ ପରିମାଣର ଭୂତଳ ଜଳ ସଂରକ୍ଷିତ ହୋଇପାରୁନାହିଁ ଏବଂ ଦେଶର ଅନ୍ୟ ଭାଗରେ ସାଂଘାତିକ ଜଳ ସଙ୍କଟ ଦେଖାଦେଉଛି । ଅଧିକ ପଢନ୍ତୁ...
ପରିବେଶବିତ ତଥା “ଭାରତର ୱାଟରମ୍ୟାନ” ଭାବେ ପରିଚିତ ରାଜେନ୍ଦ୍ର ସିଂହ କହିଛନ୍ତି ଯେ, ଦେଶରେ ରହିଥିବା ଭୂତଳ ଜଳ ଉତ୍ସର 72 ପ୍ରତିଶତ ନଷ୍ଟ ହୋଇଗଲାଣି ଯାହା କି ମରାମତି ହୋଇପାରିବ ନାହିଁ। ନାସା ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, କିଛି ବର୍ଷ ଭିତରେ ଭାରତରେ ଭୂତଳ ଜଳସ୍ତର 10 ଫୁଟ ତଳକୁ ଖସି ଯାଇଛି। ଆମେରିକାରେ ତିଆରି ହୋଇଥିବା ସର୍ବବୃହତ୍ ପ୍ରାକୃତିକ ହ୍ରଦ ମିଡ୍ ଲେକ ଭର୍ତ୍ତି କରିବାକୁ ଯେତିକି ପାଣି ଆବଶ୍ୟକ ଆମେ ସେତିକି ପରିମାଣ ଭୂତଳେ ଗଚ୍ଛିତ ଥିବା ଜଳ ନଷ୍ଟ କରିଛେ। ମନଇଚ୍ଛା ଅତି ଗଭୀର ବୋରୱେଲ ଖୋଳିବା କାରଣରୁ ଦେଶର ଅନେକ ଭାଗରେ ମରୁଡି ପରି ସ୍ଥିତି ସୃଷ୍ଟି ହେଉଛି ବୋଲି ମିହିର ଶାହ କମିଟି ରିପୋର୍ଟ ଦେଇଛି। ଘରୋଇ ଉଦ୍ୟୋଗରେ ଗଢି ଉଠୁଥିବା ପିଇବା ପାଣି ବଟଲିଂ ୟୁନିଟ୍ ଗୁଡ଼ିକ ଠାରୁ ଆବଶ୍ୟକ ଦରରେ ଲେଭି ଆଦାୟ କରିବାକୁ ମାଡ୍ରାସ ହାଇକୋର୍ଟ ଗତ ମାର୍ଚ୍ଚ ମାସରେ ରାଜ୍ୟ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି । ବ୍ରିଟେନ୍, ଅଷ୍ଟ୍ରେଲିଆ, ସିଙ୍ଗାପୁର ଏବଂ ଦକ୍ଷିଣ ଆଫ୍ରିକା ବର୍ଷାଜଳର ପ୍ରତିଟି ବୁନ୍ଦା ସଂରକ୍ଷଣ କରୁଥିବା ବେଳେ ଆମକୁ ଆମର ଜଳ ସମ୍ପଦର ଗୁରୁତ୍ବ ବୁଝିବା ପାଇଁ କୋର୍ଟ ମତାମତ ଦେବା ଯାଏଁ ଅପେକ୍ଷା କରିବାକୁ ପଡୁଛି। 90 ପ୍ରତିଶତ ବର୍ଷା ଜଳ ସମୁଦ୍ରକୁ ବୋହି ଯାଉଛି, ଅଥଚ ଲକ୍ଷ ଲକ୍ଷ ଲୋକ ମାସ ମାସ ଧରି ବିଶୁଦ୍ଧ ପିଇବା ପାଣି ବିନା ହଟହଟା ହେଉଛନ୍ତି। କିନ୍ତୁ ଏବେ ବି ଆମେ ସବୁ କିଛି ହରାଇନାହୁଁ । ଏଠାରେ ତେଲେଙ୍ଗାନାର ଦୃଷ୍ଟାନ୍ତ ନିଆଯାଇପାରେ। ସେଠାରେ ଗ୍ରାମାଞ୍ଚଳ ଏବଂ ସହରରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ମିଶନ ଭାଗୀରଥ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟ ସରକାର ସମସ୍ତ ପ୍ରମୁଖ ଜଳଉତ୍ସ ଏବଂ ଜଳାଶୟଗୁଡ଼ିକୁ ଭରପୁର କରି ରଖୁଥିବାରୁ ବର୍ଷ ତମାମ ଲୋକଙ୍କୁ ପାଣି ଯୋଗାଇ ଦେଇ ଆସୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଏହି ଉଦ୍ୟମକୁ ଗ୍ରହଣ କରିବା ଉଚିତ। ଜଳଉତ୍ସଗୁଡ଼ିକୁ ବଜାୟ ରଖିପାରିଲେ ଭଲ ଶସ୍ୟ ଅମଳ ହୋଇପାରିବ। ଧାନ ଏବଂ ଆଖୁ ଭଳି ପାରମ୍ପରିକ ଫସଲ ଅଧିକ ପରିମାଣରେ ପାଣି ଶୋଷି ନେଇଥାନ୍ତି। କୃଷି ବିଜ୍ଞାନୀ ଏବଂ ବିଶ୍ବବିଦ୍ୟାଳୟ ଗୁଡ଼ିକ କମ୍ ପାଣି ଦରକାର ପଡୁଥିବା ଫସଲ କରିବାକୁ ପରାମର୍ଶ ଦେବା ଉଚିତ୍। ପ୍ରତ୍ୟେକ ନାଗରିକ ମଧ୍ୟ ନିଜ ନିଜ ସ୍ତରରେ ଜଳ ସଂରକ୍ଷଣ କରିବା ଉଚିତ। ସରକାର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଜଳକୁ ଏକ ବିଷୟ ଭାବେ ରଖିବା ନିହାତି ଜରୁରୀ। ଆସନ୍ନ ସଙ୍କଟ ଟାଳିବାକୁ ହେଲେ କେନ୍ଦ୍ର ସରକାର ଜଳ ସଂରକ୍ଷଣକୁ ଏକ ଜାତୀୟ ନୀତି ଭାବେ ଗ୍ରହଣ କରିବା ଉଚିତ ।