ହାଇଦ୍ରାବାଦ: ବାଜିବ ନିର୍ବାଚନୀ ବିଗୁଲ । ଉଠିବ ପ୍ରସଙ୍ଗ । ଆରମ୍ଭ ହେବ ସମାଲୋଚନା । ପୁଣି ଥରେ ନେତା କରିବେ ଶବ୍ଦର ଆକ୍ରମଣ, ପ୍ରତି ଆକ୍ରମଣ । ହୁଲୁସ୍ତୁଲୁ ହେବ ମହାରାଷ୍ଟ୍ର । କସରତ ହେବ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇକୁ କିଏ କରିବ କବଜା । ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିବ ମୁମ୍ବାଇ ମନ୍ଥନ ।
ଦେଶରେ ସାଧାରଣ ନିର୍ବାଚନ ପରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଚଳିତ ମାସ ଶେଷ ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ଏକ ପ୍ରକାର ସ୍ପଷ୍ଟ । ଆକଳନ ଅନୁସାରେ ଆସନ୍ତା ମାସରେ ହିଁ ମହାରାଷ୍ଟ୍ରରେ ନିର୍ବାଚନ ହେବ । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ ବିଜେପି ଓ ଶିବସେନାର ମେଣ୍ଟ ସରକାର ଚାଲିଛି । ଆସନ୍ତା ନିର୍ବାଚନରେ ଏହି ମେଣ୍ଟ ସ୍ଥାୟୀତ୍ୱ ଉପରେ ଉଠିଛି ପ୍ରଶ୍ନ । ଉଭୟ ଦଳ ଆସନ ବୁଝାମଣାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ନାହାଁନ୍ତି ।
ଛିଣ୍ଡୁନି ଭାଗବଣ୍ଟା: ପାଖେଇ ଆସୁଛି ନିର୍ବାଚନ, ଚିନ୍ତାରେ ଆଶାୟୀ
ମୌସୁମୀ ଶେଷ ହେବାକୁ ଯାଉଥିବା ବେଳେ, ଆଗକୁ ଅନୁଭୂତ ହେବାକୁ ଯାଉଛି ନିର୍ବାଚନୀ ଋତୁ। ଆସନ୍ତା ମାସରୁ ଏହାର ହେବ ଆରମ୍ଭ ।
288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚନରେ ଏଥର ସମାନ ସମାନ ଆସନରେ ଉଭୟ ଦଳ ଲଢିବାକୁ ବିଜେପିକୁ ପ୍ରସ୍ତାବ ଦେଇଛି ଶିବସେନା । ଏହି ପ୍ରସ୍ତାବକୁ ବିଜେପି କେତେ ମାତ୍ରାରେ ଗ୍ରହଣ କରୁଛି । କାରଣ ଏହା ଉପରେ ଉଭୟ ଦଳ ମଧ୍ୟରେ ଥିବା ମେଣ୍ଟ ସମ୍ପର୍କର ଭବିଷ୍ୟତ ନିର୍ଭର କରୁଛି। ତେବେ ଅନ୍ୟ ଏକ ଘଟଣାକ୍ରମେ ସେନା ମୁଖ୍ୟ ଉଦ୍ଧବ ଠାକରେ ଦଳୀୟ ନେତା ଓ କର୍ମୀଙ୍କୁ ସମସ୍ତ ଆସନରେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶିବସେନାକୁ ବିଜେପି 124 ଗୋଟି ଆସନ ଦେବାକୁ ପ୍ରସ୍ତୁତ ଅଛି । କିନ୍ତୁ ଶିବସେନା ଚାହୁଁଛି 134 ଆସନ, ପୁଣି ଗୁରୁତ୍ବପୂର୍ଣ୍ଣ ନାଗପୁର ଭଳି ଆସନ । ଏଭଳି ସ୍ଥଳେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଦୁଇ ଦଳ ମଧ୍ୟରେ ସକାରାତ୍ମକ ଢଙ୍ଗରେ କଥାବାର୍ତ୍ତା ଚାଲିଛି । ଉଭୟ ଦଳର ନେତା ଠିକ୍ ନିଷ୍ପତ୍ତି ନେବେ ।
ଅପରପକ୍ଷେ ବିରୋଧୀ କଂଗ୍ରେସ ଓ ଏନସିପି 125 ଲେଖାଏଁ ସମାନ ସମାନ ଆସନରେ ଲଢିବାକୁ ଘୋଷଣା କରିଛନ୍ତି । ଅବଶିଷ୍ଟ ଆସନ ଛୋଟ ଛୋଟ ଦଳକୁ ଛାଡିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ମହାରାଷ୍ଟ୍ର କାହାର ହେବ ତାହା ଜନତା ନିଷ୍ପତ୍ତି ନେବେ।