ଲକ୍ଷ୍ନୌ: ଦାୟିତ୍ବବୋଧତା ଆଗରେ ପଦ ପଦବୀର ନଥାଏ କୌଣସି ତଫାତ । ନିଜ କର୍ତ୍ତବ୍ୟ ଆଗରେ ଫିକା ପଡେ ପଦବୀର ମହନୀୟତା । ଏହାର ଏକ ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଅଜୟ ଶଙ୍କର ପାଣ୍ଡେ । ପ୍ରତିଦିନ ନିର୍ଦ୍ଧାରିତ ସମୟର 10 ମିନିଟ ପୂର୍ବରୁ ଆସି କାର୍ଯ୍ୟାଳୟରେ ନିଜ କକ୍ଷର ସଫେଇ କରନ୍ତି ଅଜୟ । ଆଜି କି କାଲିର ନୁହେଁ ଏ ହେଉଛି ତାଙ୍କର ଦୀର୍ଘ 26 ବର୍ଷର ଅଭ୍ୟାସ ।
ସମୟ ସହ ଏବେ ଅଭ୍ୟାସ ପାଲଟିଛି ଅଜୟଙ୍କ ପାଇଁ କର୍ତ୍ତବ୍ୟ । ଯାହା ଦେଖି କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଆରମ୍ଭ କରିଛନ୍ତି ନିଜ କକ୍ଷ ସଫେଇ ଅଭିଯାନ । ପ୍ରତିଦିନ 10 ମିନିଟ ପୂର୍ବରୁ ଅର୍ଥାତ ଠିକ୍ 9ଟା 15 ମିନିଟରେ ପହଞ୍ଚି ନିଜ ନିଜ କକ୍ଷ ସଫେଇ କରନ୍ତି କଲେକ୍ଟରେଟର ସମସ୍ତ ଅଧିକାରୀ ।
ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 4 ବର୍ଷ ତଳେ ଜିଲ୍ଲାରେ ସ୍ବଚ୍ଛତା ଅଭିଯାନକୁ ପ୍ରୋତ୍ସାହନ ଦେଇ ଅଜୟ ପାଲଟିଥିଲେ ଅନେକଙ୍କ ପାଇଁ ଉଦାହରଣ । ଆଉ ଏବେ କଲେକ୍ଟରେଟରେ ତାଙ୍କର ସଫେଇ ଅଭିଯାନ ଅନେକଙ୍କୁ ସତର୍କ କରାଇଛି । ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ତାଙ୍କ କକ୍ଷ ବାହାରେ ଲଗାଯାଇଥିବା ବୋର୍ଡ ଓ ସେଥିରେ ଲେଖାଥିବା ବାର୍ତ୍ତା । ସଫେଇ ଅଭିଯାନକୁ ଗୁରୁତ୍ବର ସହ ନେଇ ସେ ନିଜ କାର୍ଯ୍ୟାଳୟ କକ୍ଷ ବାହାରେ ଏକ ବୋର୍ଡରେ ଲେଖିଛନ୍ତି ‘ଏହି କକ୍ଷର ସଫେଇ ମୋ ଦ୍ବାରା ହେଉଛି । ଦୟାକରି ଏହାକୁ ଅପରିଷ୍କାର କରି ମୋର କର୍ତ୍ତବ୍ୟରେ ବୋଝ ସୃଷ୍ଟି କରନ୍ତୁ ନାହିଁ ।’
ଅଜୟଙ୍କ ଏହି ନିଆରା ଅଭ୍ୟାସ ଓ ସମାଜରେ ଏକ ମହତ ଉଦ୍ଦେଶ୍ୟ ପହଞ୍ଚାଇବାର ପ୍ରୟାସ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର ତାଙ୍କୁ ‘ସ୍ବଚ୍ଛ ଶକ୍ତି’ ସମ୍ମାନରେ ସମ୍ମାନୀତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ