ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକଡାଉନ୍ ଅବଧି ବଢିବ ନାହିଁ। ଭାଇରସର ବିସ୍ତାର ବୃଦ୍ଧି ପାଉଛି ସତ ହେଲେ ଲକଡାଉନ ପୁନର୍ବାର କାର୍ଯ୍ୟକାରୀ ହେବ ନାହିଁ ବୋଲି ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଜବାବ ରଖିଛନ୍ତି।
ଖବର ଥାଉକି, ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଭାଇରସ୍ ରେ ଆକ୍ରାନ୍ତ ସଂଖ୍ୟା ଆକାଶଛୁଆଁ ହେବାରେ ଲାଗିଛି। ଯାହା ଦିଲ୍ଲୀ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାସହ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେ ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ କୋରୋନା 1 ଲକ୍ଷ ଛୁଇଁବ।
ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ, କୋଭିଡ୍ 19 ମାମଲା ବୃଦ୍ଧି ସତ୍ତ୍ବେ ମଧ୍ୟ ରାଜଧାନୀରେ ତାଲା ପଡିବ ନାହିଁ। ସୋସିଆଲ ମିଡିଆ ତଥା ଗଣମାଧ୍ୟମର ବିଭିନ୍ନ ବିଭାଗ ଗୁଡିକରେ ଏକ ବଡ଼ ଧରଣର ଗୁଜବ ଜବାବରେ ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ଦିଲ୍ଲୀ ଜୁନ୍ 15 ରୁ ଜୁଲାଇ 31 ପର୍ଯ୍ୟନ୍ତ ପୁଣି ଲକଡାଉନ୍ ଫେରିବ ବୋଲି ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା।
ସୂଚନା ଅନୁସାରେ, ଦିଲ୍ଲୀରେ 34,000 ରୁ ଅଧିକ ସଂକ୍ରମିତ ଥିବା ବେଳେ 1,085 ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଜୁଲାଇ 31 ସୁଦ୍ଧା ରାଜଧାନୀରେ 5.5 ଲକ୍ଷ କୋରୋନାଭାଇରସ ମାମଲା ରହିବ।