ଚେନ୍ନାଇ: ବୟସ ମାତ୍ର 10 । ହେଲେ ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ସମାଜ ସେବା କରିବାର ଇଚ୍ଛା ତାଙ୍କୁ ଆଜି ନୂଆ ପରିଚୟ ଦେଇଛି । ସେ ହେଲେ ତାମିଲନାଡୁର କୁନି ଯୋଗ ଶିକ୍ଷକ କେ ପ୍ରିସା ।
ସ୍କୁଲ ଛୁଟି ଥିବା ଦିନରେ ସେ ସ୍ବତନ୍ତ୍ର ବିଦ୍ୟାଳୟ ଓ ବୃଦ୍ଧାଶ୍ରମ ଯାଇ ସମୟ ବିତାଇବା ପାଇଁ ଭଲ ପାଆନ୍ତି । ଆଉ ସେଠାରେ ଅନ୍ତେବାସୀଙ୍କୁ ଯୋଗ ଶିଖାଇଥାନ୍ତି । ବିଶେଷ କରି ସେ ଦୃଷ୍ଟିହୀନ ପିଲାଙ୍କୁ ଯୋଗ ଶିକ୍ଷା ଦେଇଥାନ୍ତି ।
ଯୋଗ କରିବା ଦ୍ବାରା ଦେହ ସୁସ୍ଥ ରହିବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ବୋଲି କହନ୍ତି ପ୍ରିସା । ଯୋଗ କରିବା ଯେପରି ତାଙ୍କର ଦୈନନ୍ଦିନ ରୁଟିନର ଏକ ପାର୍ଟ । ପ୍ରିସାଙ୍କ ମାଆ ମଧ୍ୟ ପେସାରେ ଜଣେ ଯୋଗ ଶିକ୍ଷକ । ମାଆଙ୍କ ଠାରୁ ଅନୁପ୍ରାଣିତ ହୋଇ ଯୋଗ ପ୍ରତି ଆଗ୍ରହ ବଢିଥିବା ପ୍ରିସା କହନ୍ତି ।
ଯୋଗ କ୍ଷେତ୍ରରେ ପ୍ରାୟ 16ଟି ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଏହି କୁନି ଯୋଗ ଗୁରୁ । କେବଳ ନିଜ ଦେଶ ନୁହେଁ ଥାଇଲାଣ୍ଡ ଓ ମାଲେସିଆରେ ବି ସେ ନିଜର ଜଲୱା ଦେଖାଇ ସାରିଛନ୍ତି । ଏସିଆ ବୁକ ଅଫ ରେକର୍ଡରେ ପୂର୍ବରୁ ପ୍ରିସାଙ୍କ ସ୍ଥାନ ପାଇ ସାରିଥିବାବେଳେ ବର୍ତ୍ତମାନ ସେ ଗିନିଜ ବୁକରେ ନିଜ ନାଁକୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି ।
ଭବିଷ୍ୟତରେ ଗୋଟିଏ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସେଠାକାର ଲୋକଙ୍କୁ ଯୋଗ ଶିକ୍ଷା ଦେବାର ଆଶା ରଖିଛନ୍ତି କୁନି ଯୋଗ ଶିକ୍ଷକ ପ୍ରିସା ।