ଓଡିଶା

odisha

ETV Bharat / bharat

କଠୁଆ ଗଣଦୁଷ୍କର୍ମ ମାମଲା: 3 ଦୋଷୀଙ୍କୁ ଆଜୀବନ ଜେଲ, ଗଣିବେ ଏକ ଲକ୍ଷ - murder

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଠାନକୋର୍ଟ ଜିଲ୍ଲା ଦୌରାଜଜ୍‌ 3 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣାରେ  ପ୍ରମାଣ ନଷ୍ଟ କରିଥିବା ଅନ୍ୟ 3 ଜଣ ପୋଲିସ କର୍ମୀଙ୍କୁ  ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଫାଇଲ ଫଟୋ

By

Published : Jun 10, 2019, 5:53 PM IST

Updated : Jun 10, 2019, 9:36 PM IST

ନୂଆଦିଲ୍ଲୀ: ଦେଶକୁ ସ୍ତବ୍ଧ କରିଦେଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଠାନକୋର୍ଟ ଜିଲ୍ଲା ଦୌରାଜଜ୍‌ 3 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେମାନଙ୍କୁ ଏକ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡରେ ବି ଦଣ୍ଡିତ କରିଛନ୍ତି ଅଦାଲତ । ସେପଟେ ଏହି ଘଟଣାରେ ପ୍ରମାଣ ନଷ୍ଟ କରିଥିବା ଅନ୍ୟ 3 ଜଣ ପୋଲିସ କର୍ମୀଙ୍କୁ ୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ପୋଲିସ କର୍ମୀମାନେ 50 ହଜାର ଲେଖାଏଁ ଜୋରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ସକାଳେ ଶୁଣାଣିରେ 7 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ କୋର୍ଟ । ସେମାନେ ହେଲେ ଗାଁ ମୁଖିଆ ସାଞ୍ଜି ରାମ, ଦୁଇ ପୋଲିସ ଏସପିଓ ଦୀପକ ଖଜୁରିୟା ଏବଂ ସୁରେନ୍ଦ୍ର ବର୍ମା, ହେଡ କନେଷ୍ଟବଳ ତିଲକ ରାଜ, ଆନନ୍ଦ ଦତ୍ତ ଏବଂ ପରବେଶ କୁମାର । ସେପଟେ ଏହି ମାମଲାରେ ମୁଖିଆ ସାଞ୍ଜି ରାମଙ୍କ ପୁଅ ବିଶାଲକୁ ଅଦାଲତ ଦୋଷମୁକ୍ତ କରିଥିଲେ । ତେବେ ସାଞ୍ଜି ରାମ, ଦୀପକ ଖଜୁରିୟା ଏବଂ ପରବେଶ କୁମାରକୁ ଧାରା 302(ହତ୍ୟା), 376(ଗଣଦୁଷ୍କର୍ମ), 120 ବି(ଷଡଯନ୍ତ୍ର) ଏବଂ 363( ପ୍ରମାଣ ନଷ୍ଟ ) ଅଧିନରେ ଆଜୀବନ କାରାଦଣ୍ଡାଦେଶ ଦିଆ ଯାଇଛି ।

ସୂଚନା ଯୋଗ୍ୟ ଯେ, ଗତବର୍ଷ ଜାନୁଆରୀ 10 ତାରିଖରେ ଜମ୍ମୁ-କାଶ୍ମୀରର କଠୁଆରେ ଜଣେ ଆଠ ବର୍ଷୀୟ ମୁସଲିମ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା ଏବଂ ପ୍ରମାଣ ନଷ୍ଟ କରିବାକୁ ଯାଇ ସମ୍ପୃକ୍ତ ନାବାଳିକାକୁ ହତ୍ୟା କରାଯାଇଥିଲା ।

ମାମଲାର ବିଚାର ପ୍ରଥମେ ଗତବର୍ଷ ଏପ୍ରିଲରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଜୁନ 3 ତାରିଖରେ ଏହାର ବିଚାର ଶେଷ ହୋଇଥିଲା । ମୋଟ 8ଜଣ ଅଭିଯୁକ୍ତ ଏ ଘଟଣାରେ ଜଡିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାହାର ବୟସ ସମ୍ପର୍କିତ ବିଚାର ଜାମ୍ମୁକାଶ୍ମୀର ହାଇକୋର୍ଟରେ କରାଯିବ ।

ପ୍ରଥମେ ଏହି ଘଟଣାରେ ପୋଲିସ ଗାଁ ମୁଖିଆ ସାଞ୍ଜି ରାମ୍, ତାଙ୍କ ପୁଅ ବିଶାଲ୍ ଏବଂ ପୁଅର ସାଙ୍ଗ ତଥା ସମ୍ପର୍କୀୟ ଆନନ୍ଦ, ଦୁଇ ପୋଲିସ ଏସପିଓ ଦୀପକ ଖଜୁରିଆ ଏବଂ ସୁରେନ୍ଦ୍ର ବର୍ମାଙ୍କୁ ଗିରଫ କରିଥିଲା । ହେଡ କନେଷ୍ଟବଳ ତିଲକ ରାଜ ଏବଂ ସବ ଇନିସପେକ୍ଟର ଆନନ୍ଦ ଦତ୍ତ ଗାଁ ମୁଖିଆଙ୍କ ଠାରୁ 4 ଲକ୍ଷ ଟଙ୍କା ନେଇ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ହୋଇଥିଲା । ପରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

Last Updated : Jun 10, 2019, 9:36 PM IST

For All Latest Updates

ABOUT THE AUTHOR

...view details