କୋଲକାତା: ବଦଳୁଛି ଦୁନିଆ । ଯାହାର ପରିଣାମ ଗ୍ଲୋବାଲ ୱାର୍ମିଂ ଓ ପାଣିପାଗରେ ଘଟୁଛି ବିରାଟ ପରିବର୍ତ୍ତନ । ଏହା ବର୍ତ୍ତମାନ ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗ୍ଲୋବାଲ ୱାର୍ମିଂର ମୁଖ୍ୟ କାରଣ ହେଲା ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର । ଏହା ବର୍ତ୍ତମାନ ସମାଜ ପାଇଁ ଅଭିଶାପ ପାଲଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । କିନ୍ତୁ ବାସ୍ତବ ଚିତ୍ର ଓଲଟା ।
ଏପଟେ ପିଏମ ମୋଦିଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ବପ୍ନକୁ ସାକାର କରୁଛି କୋଲକାତାର ବଙ୍ଗୁର ଏଭେନ୍ୟୁ ଅଞ୍ଚଳ । ଏଠାକାର ଲୋକେ ପଲଥିନ ବଦଳରେ ବ୍ୟବହାର କରୁଛନ୍ତି ପେପର ଠୁଙ୍ଗା । କେବଳ ଜନସାଧାରଣ ନୁହେଁ, ଦୋକାନୀ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ସ୍ଥାନୀୟ ଲୋକେ ସରକାରଙ୍କ ନିୟମକୁ ଅକ୍ଷରେ ଅକ୍ଷରେ କରୁଛନ୍ତି ପାଳନ । ଅନ୍ୟପଟେ କୋଲକାତାସ୍ଥିତ ସୁପର ମାର୍କେଟରେ ଅବାଧରେ ଚାଲିଛି ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର । କିନ୍ତୁ ଆପଣ ଯଦି ବଙ୍ଗୁରର ସୁପର ମାର୍କେଟକୁ ଯିବେ ଏଠାକାର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା । ରାସ୍ତାକଡର ବେପାରୀ ଠୁ ଆରମ୍ଭ କରି ମିଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ କାଗଜ ଠୁଙ୍ଗାର କରୁଛନ୍ତି ବ୍ୟବହାର ।