ଜୟପୁର: ରାଜସ୍ଥାନର ଅଲବରରେ 2 ବର୍ଷ ପୂର୍ବେ ତଥାକଥିତ ଗୋ-ରକ୍ଷକଙ୍କ ମାଡରେ ମୃତ୍ୟୁବରଣ କରିଥିବା ମୁସଲମାନ ବ୍ୟକ୍ତି ପେହଲୁ ଖାନ୍ଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୃତ ପେହଲୁ ଖାନ୍ଙ୍କ ନାଁ ରେ ପୋଲିସ ଏବେ ମାମଲା ରୁଜୁ କରିବା ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ବେଆଇନ ଗୋରୁ ଚାଲାଣ ମାମଲାରେ ପୋଲିସ ତା ନାଁରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜ ସିଟରେ ପେହଲୁଙ୍କୁ ସମେତ ତାଙ୍କ 2 ପୁଅଙ୍କ ନାମ ମଧ୍ୟ ରହିଛି ।
ତେବେ ପେହଲୁ ଖାନ୍ଙ୍କ ନାଁରେ ଚାର୍ଜସିଟ ଦାଖଲ ହେବା ପରେ ତାଙ୍କ ପୁଅ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ବିଜେପି ଭଳି କଂଗ୍ରେସ ମଧ୍ୟ ସେମାନଙ୍କ ସହ ଧୋକା କରିଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସରକାର ଯଦି ନ୍ୟାୟ ଦେଇ ପାରୁନାହାଁନ୍ତି ତାଙ୍କ ଜୀବନ ନେଇ ଯାଆନ୍ତୁ ବୋଲି ସେ କହିଛନ୍ତି । ଆମ ଆଖି ସାମ୍ନାରେ ଆମ ବାପାଙ୍କୁ ମାରି ଦିଆଗଲା । ଘଟଣାକୁ ଅଢେଇ ବର୍ଷ ବିତିଗଲାଣି କିନ୍ତୁ ଏଯାଏଁ ଆମକୁ ନ୍ୟାୟ ମିଳିଲାନି । ନ୍ୟାୟ ଦେବା ବଦଳରେ ଓଲଟା ଆମ ନାଁରେ ହିଁ ଚାର୍ଜସିଟ ଦାଖଲ କରାଗଲା ବୋଲି ପେହଲୁଙ୍କ ପୁଅ କହିଛନ୍ତି ।
ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ସରଗରମ ହୋଇଛି । ଏଆଇଏମଆଇଏମର ମୁଖ୍ୟ ଆସାଉଦ୍ଦିନ ଓବେସୀ କଂଗ୍ରେସକୁ ବିଜେପିର ନକଲ ବୋଲି କହିଛନ୍ତି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଫାଇ ଦେଇ ଚାର୍ଜସିଟ୍ ବିଜେପି ସରକାରଙ୍କ ସମୟରେ ହୋଇଥିଲା ବୋଲି କହିଛନ୍ତି ।
ସେ କହିଛନ୍ତି, ବିଜେପି ସରକାର ଥିବା ବେଳେ ଏହାର ତଦନ୍ତ ହୋଇଥିଲା ଏବଂ ତାଙ୍କ ସରକାର ଅଧୀନରେ ଚାର୍ଜସିଟ୍ ପ୍ରସ୍ତୁତ ହୋଇଥିଲା । ତେବେ ଯଦି ଏଥିରେ କୌଣସି ପ୍ରକାର ତ୍ରୁଟି ରହିଥିବ ତ ମାମଲାର ତଦନ୍ତ ପୁଣିଥରେ କରାଯିବ ବୋଲି ସେ ପେହଲୁଙ୍କ ପରିବାରକୁ ଆଶ୍ବାସନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, 2017 ଏପ୍ରିଲ ମାସରେ ତଥାକଥିତ ଗୋରକ୍ଷକ ପେହଲୁ ଖାନଙ୍କ ଉପରେ ଆକ୍ରମଣ କରିଥିଲେ । ପେହଲୁ ରାଜସ୍ଥାନରୁ ଗାଇ କିଣି ହରିୟାଣା ନେଉଥିବା ସମୟରେ ସେମାନେ ବେଆଇନ ଗୋଚାଲାଣ କରୁଥିବା ଅଭିଯୋଗରେ ଆକ୍ରମଣ କରିଥିଲେ । ଲୋକଙ୍କ ମାଡ଼ରେ ଗୁରୁତର ଆହତ ପେହଲୁ ୨ ଦିନ ପରେ ମୃତ୍ୟୁବରଣ କରିଥିଲା । ଏହା ପରେ ଏହି ମାମଲାରେ ଦୁଇଟି ଚାର୍ଜସିଟ୍ ଦାଖଲ କରାଯାଇଥିଲା । ପ୍ରଥମଟି ପେହଲୁଙ୍କ ଆକ୍ରମଣକାରୀଙ୍କ ବିରୋଧରେ ହୋଇଥିଲା ଏବଂ ଅନ୍ୟଟି ପହଲୁ ଖାନର ପରିବାର ବିରୋଧରେ ବେଆଇନ ଗୋଚାଲାଣ ଅଭିଯୋଗରେ ହୋଇଥିଲା ।