ଥିରୁଅନନ୍ତପୁରମ: ଶିଶୁମାନଙ୍କ ଶିକ୍ଷା ଦିଗରେ କେତେ କ’ଣ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ଆଜି ବି ଶିକ୍ଷାର ପ୍ରଣାଳୀକୁ ପିଲାଙ୍କ ପାଖରେ ରୋଚକ କରିବା ଅନେକ ସ୍ଥାନରେ ସମ୍ଭବ ହୋଇପାରିନାହିଁ । ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା ଗ୍ରହଣ କରିବାର ପ୍ରକ୍ରିୟା ଭିନ୍ନ ହୋଇଥିବା ବେଳେ ସେମାନଙ୍କ ପାଇଁ ପାଠ ପଢା ଶୈଳୀକୁ ଭିନ୍ନ ଓ ଆକର୍ଷଣୀୟ କରିବା ପାଇଁ ଆଗେଇ ଆସିଛି କେରଳର ମଲ୍ଲପୁରମ ଜିଲ୍ଲାରେ ଥିବା ଏକ କିଣ୍ଡରଗାର୍ଟେନ । ଆପଣ କେବେ ଭାବିଛନ୍ତି କି, ବନ୍ୟପ୍ରାଣୀ ହେଉ କିମ୍ବା ଗୃହପାଳିତ ପଶୁ ଅବା ସେ ପୃଥିବୀ ସମ୍ବନ୍ଧୀୟ କୌଣସି ବି ବିଷୟ ହେଉ, ଏଗୁଡିକୁ ପଢିବା ସମୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଶ୍ରେଣୀଗୃହରେ ଦେଖିବା ? କଥାଟି ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ମଲ୍ଲପୁରମ ଜିଲ୍ଲାର କିଣ୍ଡରଗାର୍ଟେନ ।
ଏଠାରେ ବନ୍ୟପ୍ରାଣୀ ବା ଗୃହପାଳିତ ପଶୁ ଓ ସାମାଜିକ ବିଜ୍ଞାନରେ ବ୍ୟବହୃତ ପ୍ରାୟ ପ୍ରତ୍ୟେକ ଉପାଦାନକୁ ସହଜରେ ବୁଝିବା ପାଇଁ ସେମାନଙ୍କ ଏକ 3-ଡି ଛବିକୁ ଶ୍ରେଣୀ ଗୃହରେ ବ୍ୟବହାର କରାଯାଉଥିବା ଦେଖାଯାଇଛି । ଯାହା ଶିଶୁଙ୍କ ପଢିବା ପ୍ରଣାଳୀକୁ ଅଧିକ ଆକର୍ଷଣୀୟ କରିବା ସହ ଶିକ୍ଷାଦାନ ପ୍ରକ୍ରିୟାକୁ ଏକ ନୂଆ ସ୍ତରରେ ପହଞ୍ଚାଇଛି । ଏନେଇ ମଲ୍ଲପୁରମର ଏଇଏମ ଏୟୁପି ସ୍କୁଲରେ ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ୟାମ ଭେଙ୍ଗାଲୋଟ ପିଲାଙ୍କୁ ପଢାଇବାର ଏକ ନୂଆ ପ୍ରଣାଳୀ ଖୋଜି ବାହାର କରିଛନ୍ତି ।