ମାତ୍ର ୬୪ ଦିନରେ ଦେଶରେ କୋରୋନା ସଂକ୍ରମଣ ମାମଲା ୧୦୦ର ବୃଦ୍ଧି ପାଇ ଏକ ଲକ୍ଷରୁ ଅଧିକ ହୋଇଛି । ଅଧିକ ସଂକ୍ରମିତ ମାମଲା ଥିବା ଆମେରିକା, ଇଟାଲୀ, ବ୍ରିଟେନ,ଫ୍ରାନସ, ଜର୍ମାନୀ ଓ ସ୍ପେନଠାରୁ ଭାରତର ସ୍ଥିତି ଅପେକ୍ଷାକୃତ ବେଶ୍ ଭଲ ଥିଲା । ତେବେ, ଲକଡାଉନ କଟକଣା କୋହଳ ହେଲା ପରେ କୋରୋନା ସଂକ୍ରମଣ ଆଗକୁ ଅଧିକ ହେବା ଆଶଙ୍କା ପ୍ରକାଶ ପାଇଛି । ନୀତି ଆୟୋଗ ଅନୁସାରେ ଦେଶର ୧୯ଟି ଜିଲ୍ଲାରୁ ହିଁ ୭୦ ପ୍ରତିଶତ ସଂକ୍ରମଣ ମାମଲା ଆସିଛି । ମୃତ୍ୟୁହାର ଓ ରୋଗୀଙ୍କ ସୁସ୍ଥତା ପ୍ରତିଶତ ଯଦି ଦେଖିବା ତାହା ହେଲେ ଆମେରିକା, ସ୍ପେନ,ଫ୍ରାନ୍ସ ଠାରୁ ଭାରତ ବେଶ୍ ଭଲ ସ୍ଥିତିରେ ରହିବା ସହ କୋରୋନା ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।
ତେବେ ବଡ କଥା ହେଲା ଯେ,କୋରୋନା ମହାମାରୀ ଯୋଗୁଁ ଦେଶର ମେଡିକାଲ ସ୍ବାସ୍ଥ୍ୟସେବା କ୍ଷେତ୍ର ପ୍ରତି ସୃଷ୍ଟି ହୋଇଛି ଏକାଧିକ ଆହ୍ବାନ । ଆମ ଦେଶରେ ମେଡିକାଲ ସ୍ବାସ୍ଥ୍ୟସେବାର ଚଳଣୀୟ ସ୍ବାଭାବକୁ ସମସ୍ତେ ଜାଣନ୍ତି । କୋରୋନା ମହାମାରୀ ଭଳି ପରିସ୍ଥିତିର ମୁକାବିଲା ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକରୁ ଅଧିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ମହାମାରୀ ଚିକିତ୍ସା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ୟାକେଜରେ କିଛି ବ୍ୟବସ୍ଥା ନେଇ ଘୋଷଣା କରାଯାଇଛି । ଏଥିମଧ୍ୟରେ ରହିଛି ଦେଶର ପ୍ରତି ଜିଲ୍ଲା ହସପିଟାଲରେ ସ୍ବତନ୍ତ୍ର ବ୍ଲକ୍ର ପ୍ରତିଷ୍ଠା । ଏଥିସହ ତୃଣମୂଳ ସ୍ତରରେ ମହାମାରୀ ବିସ୍ତାର ଉପରେ ନଜର ରଖିବା ପାଇଁ ଦେଶର ୭୩୬ଟିଯାକ ଜିଲ୍ଲାର ୭ ହଜାର ୯୬ଟି ବ୍ଲକରେ ଡାଏେଗ୍ନୋଷ୍ଟିକ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ‘ଆୟୁଷ୍ମାନ ଭାରତ’ ଯୋଜନା ଅନୁସାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆଶ୍ବାସନା ଦେଇଥିଲେ ମଧ୍ୟ କୋରୋନା ସଂକଟ ସୂଚାଇ ଦେଉଛି ଯେ, ମେଡିକାଲ ଓ ହେଲ୍ଥ ସେକ୍ଟରରେ ବ୍ୟାପକ ସଂସ୍କାର ଆଣିବା ଜରୁରୀ । ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୧୭ ଅନୁସାରେ ହେଲ୍ଥ ସେକ୍ଟର ସଂକଟରେ ରହିଛି । ଜିଡିପିର ମାତ୍ର ୧ଦଶମିକ ୬ ପ୍ରତିଶତ ହିଁ ଏହି ସେକ୍ଟର ପାଇଁ ଆବଣ୍ଟନ ହୋଇଛି । ୨୦୨୫ ସୁଦ୍ଧା ଏହା ୨ ଦଶମିକ ୫ ପ୍ରତିଶତ ବୃଦ୍ଧି କରିବା ଜରୁରୀ ହୋଇପଡିଛି ।
କୁହାଯାଏ ‘ସ୍ୱାସ୍ଥ୍ୟ ହିଁ ସଂପଦ’ । କିନ୍ତୁ ସରକାରମାନେ ଏହି କଥାର ମହତ୍ତ୍ବ ରଖିପାରିନାହାନ୍ତି । ସ୍ବାସ୍ଥ୍ୟକ୍ଷେତ୍ର ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇନାହିଁ । ବୃଦ୍ଧି ପାଉଥିବା ଅତ୍ୟଧିକ ମେଡିକାଲ ଖର୍ଚ୍ଚ ବହନ ନକରିପାରି ପ୍ରତିବର୍ଷ କୋଟି କୋଟି ଲୋକ ଅର୍ଥଶୂନ୍ୟ ହୋଇଯାଉଛନ୍ତି । ଭାରତରେ ଲକ୍ଷଲକ୍ଷ ଡାକ୍ତର ଓ ନର୍ସଙ୍କ ଅଭାବ ରହିଛି । ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ୧୯୫ ଦେଶ ମଧ୍ୟରୁ ଭାରତର ସ୍ଥାନ ବହୁତ ତଳେ । ୧୪୫ ସ୍ଥାନରେ ରହିଛି ଭାରତ । ଗାଁରେ ବସବାସ କରୁଥିବା ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରର ସଠିକ କାର୍ଯ୍ୟକ୍ଷମ ପାଇଁ ୩୦ହଜାର କୋଟି ଟଙ୍କା ଆବଶ୍ୟକ ହେଉଥିଲାବେଳେ ବଜେଟରେ ଏଥିପାଇଁ ମାତ୍ର ୧ ହଜାର ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଭଳି ପୃଷ୍ଠଭୂମିରେ ପଂଚଦଶ ଅର୍ଥ କମିଶନ ଦ୍ବାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ଦ୍ବିତୀୟ ଓ ତୃତୀୟ ସ୍ତରର ସହରରେ ୩ରୁ ୫ ହଜାରଟି ୨୦୦ ଶଯ୍ୟା ବିଶିଷ୍ଟ କ୍ଷୁଦ୍ର ଘରୋଇ ହସପିଟାଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି । ସ୍ବାସ୍ଥ୍ୟ ବଜେଟ୍ର ଦୁଇ ତୃତୀୟାଂଶ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପାଇଁ ଆବଣ୍ଟନ କରିବାକୁ ମଧ୍ୟ ଅର୍ଥ କମିଶନଙ୍କ କମିଟି ପ୍ରସ୍ତାବ ଦେଇଛି ।
ଅନ୍ୟପଟେ ଦେଶର ଜନସଂଖ୍ୟାର ଏକ ତୃତୀୟାଂଶ ଲୋକଙ୍କ ସ୍ବାସ୍ଥ୍ୟବୀମା ନ ଥିବାରୁ ସେମାନଙ୍କ ଖର୍ଚ୍ଚ ବୋଝ ହ୍ରାସ ପାଇଁ ଆମେରିକୀୟ ମଡେଲ୍ ଆପଣାଇବା ପାଇଁ ନୀତି ଆୟୋଗ ପ୍ରସ୍ତାବ ଦେଇଛି । ବୁଡିଯାଉଥିବା ଜାହାଜ ଭଳି ଅବସ୍ଥା ହୋଇଥବା ସ୍ବାସ୍ଥ୍ୟ କ୍ଷେତ୍ରକୁ ବଞ୍ଚାଇବା ପାଇଁ ପବ୍ଲିକ-ପ୍ରାଇଭେଟ ଭାଗିଦାରୀ ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ନୀତି ଆୟୋଗ କହିଛି । ଜିଲ୍ଲା ହସପିଟାଲଗୁଡିକ ଘରୋଇ ଏଜେନ୍ସି ନିୟନ୍ତ୍ରଣରେ ରହିବା ଦରକାର ବୋଲି ମଧ୍ୟ ପ୍ରସ୍ତାବ ଦେଇଛି ନୀତି ଆୟୋଗ । କିନ୍ତୁ ଏସବୁ ପ୍ରସ୍ତାବକୁ ସମାଲୋଚନା କରାଯାଇଛି । ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା-ଏନଏଚଏସ୍ ସେ ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମାନ ଉନ୍ନତ ସେବା ନିଶ୍ଚିତ କରେ । ଆମ ଦେଶରେ କେରଳ ମଡେଲ ସ୍ବାସ୍ଥ୍ୟ ସେବାକୁ ଶ୍ରେଷ୍ଠ ଉଦାହରଣ ଭାବେ ବିବେଚିତ ହେଉଛି । ତଳସ୍ତରରୁ ହସପିଟାଲଗୁଡିର ସାମର୍ଥ୍ୟ ବୃଦ୍ଧି କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଦ୍ବାରା କୋରୋନା ଭଳି ବଡ ଚ୍ୟାଲେଞ୍ଜର ସଫଳ ମୁକବିଲା କରିପାରିଛି କେରଳ । ଏଭଳି ମଡେଲ୍ ଏକ ସୁସ୍ଥ ଭାରତ ପାଇଁ ଚିନ୍ତାକରାଯାଇପାରେ ।