ବେଙ୍ଗାଲୁରୁ: କୋରୋନା ପାଇଁ ସବୁଠି ଝୁଲୁଛି ତାଲା। ସଂକ୍ରମଣ ଭୟରେ ବିଭିନ୍ନ ସ୍ଥାନକୁ ଯିବାରେ ଲାଗିଛି ରୋକ୍। ତେବେ ଲକଡାଉନ 4.0ରେ ନିୟମରେ ସାମାନ୍ୟ ରିହାତି ମିଳିଛି। ଯେଉଁଥିରେ ଗମନାଗମନ ସହ ମଦବିକ୍ରିକୁ ମଧ୍ୟ ଅନୁମତି ମିଳିଛି। ନଚେତ୍ ବିଦ୍ୟାଳୟ ଠୁ ପ୍ରେକ୍ଷାଳୟ ଓ ଦେବାଳୟ ହେଉ ବା କାର୍ଯ୍ୟାଳୟ ସବୁ କିଛି ବନ୍ଦ ପଡିଥିଲା।
ମିଳିଥିବା ସୂଚନା ଅନୁସାରେ, ଲକଡାଉନ 4.0ର ଅନ୍ତିମ ଚରଣରେ କର୍ଣ୍ଣାଟକ ସରକାର ବିଭିନ୍ନ ଧାର୍ମିକ ସ୍ଥାନକୁ ଖୋଲିବାକୁ ଅନମୁତି ପ୍ରଦାନ କରିବେ। ତେବେ ଦୀର୍ଘ 2 ମାସ ହେବ ସମସ୍ତ ମଠ , ମନ୍ଦିର ମସଜିଦ୍, ଚର୍ଚ୍ଚ ବନ୍ଦ ପଡିଥିଲା ବେଳେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଧାର୍ମିକ ଗୋଷ୍ଠୀଙ୍କୁ କିଛି ଆଶ୍ବସ୍ତି ଦେଇଛି।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା କହିଛନ୍ତି ଯେ “ଆମେ ମେ 31 ପରେ ରାଜ୍ୟରେ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ଖୋଲିବାକୁ ଯାଉଛୁ। ଏହାସହ ରାଜ୍ୟ ମନ୍ତ୍ରୀ କୋଟା ଶ୍ରୀନିବାସ ପୂଜାରୀ ମଙ୍ଗଳବାର କହିଛନ୍ତି ଯେ ଜୁନ୍ ୨ ତାରିଖରୁ ରାଜ୍ୟରେ ମନ୍ଦିରଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।
ହିନ୍ଦୁ ଧାର୍ମିକ ଅନୁଷ୍ଠାନର ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ମୁଜ୍ରାଇ ବିଭାଗ ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ। ଦୈନିକ ରୀତିନୀତି ଅନୁଯାୟୀ ମନ୍ଦିର ଖୋଲାଯାଇଥିଲେ ମଧ୍ୟ ମନ୍ଦିର ମେଳା ଏବଂ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ।
ସର୍ବସାଧାରଣ ପରିବହନ, ଦୋକାନ ଏବଂ ଦେଶରେ ଅନୁମତି ପ୍ରାପ୍ତ ଲୋକଙ୍କ ଗତିବିଧି ସହିତ ଲକଡାଉନ୍ 4.0 ରେ ଅଧିକାଂଶ ପ୍ରତିବନ୍ଧକକୁ ଆରାମ ଦିଆଯାଇଛି ।