ନୂଆଦିଲ୍ଲୀ: ଭାରତ ସରକାର ଭବିଷ୍ୟତର ସମସ୍ତ ବିଦେଶୀ ପ୍ରବାସୀଙ୍କ ସୁବିଧା ପାଇଁ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଏହାସହ କୋଭିଡ-19 ସମୟରେ ପ୍ରବାସୀଙ୍କ ଉପରେ ପଡୁଥିବା ନକାରତ୍ମକ ପ୍ରଭାବକୁ କମ୍ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ପ୍ରୋଟେକ୍ଟର ଅଫ୍ ଇମିଗ୍ରେସନ୍ (PoE) ର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ।
ଭିଡିଓ କନଫରେନ୍ସିଂ ଜରିଆରେ ସେ କହିଛନ୍ତି, ପ୍ରବାସୀଙ୍କୁ ଅର୍ଥନୀତି ସହ ଜଡିତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପଡିବ । ସେ କହିଛନ୍ତି , ଏଥିପାଇଁ ସରକାର ଅନ୍ୟ ଦେଶ ସହ ସ୍ଥାନାନ୍ତରଣ ଓ ଚୁକ୍ତିନାମା ମାଧ୍ୟମରେ ଯାତ୍ରା ତଥା ସୁଯୋଗକୁ ସୁଗମ କରିବା ପାଇଁ ବିଦେଶୀ ପ୍ରତିପକ୍ଷଙ୍କ ସହ କାର୍ଯ୍ୟ କରୁଛନ୍ତି।
ବୈଦେଶିକ ମନ୍ତ୍ରୀ କହିଛନ୍ତି, ବିଦେଶରେ ଆମର ପ୍ରତିଭା ଓ ଦକ୍ଷତା ଉପରେ ପଡିଥିବା ନକରାତ୍ମକ ପ୍ରଭାବକୁ କମ୍ କରିବା ବର୍ତ୍ତମାନ ଆମର ଦାୟିତ୍ବ । ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଏହାକୁ କମ୍ କରିବା ଜରୁରୀ । ସେ କହିଛନ୍ତି, ଆମର ବଜାର ଅଂଶକୁ ଯଥାଶୀଘ୍ର ସଂଶୋଧନ କରିବା ଜରୁରୀ ଅଟେ । ଆଗାମୀ ମାସରେ ସେହି ଦିଗରେ ପ୍ରୟାସ କରାଯିବ । ଦେଶର ଏହି ଉଦ୍ଦେଶ୍ୟକୁ ସୁଗମ କରିବା ପାଇଁ ପ୍ରୋଟେକ୍ଟର ଅଫ୍ ଇମିଗ୍ରେସନ୍ (PoE) ର ଅବଦାନ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଜରିଆରେ ଡାଟା ସଂଗ୍ରହ କରୁଛୁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜାତୀୟ ଦକ୍ଷତା ବିକାଶ ନିଗମ (NSDC) କୁଶଳୀ ଶ୍ରମିକମାନଙ୍କ ପାଇଁ ଡାଟାବେସ୍ ପ୍ରସ୍ତୁତ କରୁଛି। ଏହା ଦ୍ବାରା ଇ-ମାଇଗ୍ରେସନ ସହ ପ୍ରବାସୀ ଶ୍ରମିକଙ୍କ ପାଇଁ କୁଶଳ ଚାକିରୀ ଦେବାରେ ସହାୟତା ହୋଇପାରିବ । ତେବେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନ୍ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।