ନୂଆଦିଲ୍ଲୀ: 2017 ମସିହାରେ ଉତ୍ତର କୋରିଆ ଦ୍ବାରା କରାଯାଇଥିବା ପରମାଣୁ ପରୀକ୍ଷଣକୁ ନେଇ ଏକ ଅଧ୍ୟୟନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଉତ୍ତର କୋରିଆ ଦ୍ବାରା କରାଯାଇଥିବା ଏହି ପରମାଣୁ ପରୀକ୍ଷଣ 1945 ରେ ଜାପାନର ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାଠାରୁ 17 ଗୁଣ ଅଧିକ ଘାତକ ଥିଲା ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି । ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାର କ୍ଷମତା 15 କିଲୋଟନ ଥିବାବେଳେ ଏହାର କ୍ଷମତା 245 ରୁ 271 କିଲୋଟନ ଥିଲା ବୋଲି ଏହି ଗବେଷଣାରୁ ଜଣା ପଡିଛି ।
ହିରୋସୀମା ଠୁ 17 ଗୁଣ ଶକ୍ତିଶାଳୀ ଉତ୍ତର କୋରିଆର ‘ନ୍ୟୁକ୍ଲିଅର ଟେଷ୍ଟ’
2017 ମସିହାରେ ଉତ୍ତର କୋରିଆ ଦ୍ବାରା କରାଯାଇଥିବା ପରମାଣୁ ପରୀକ୍ଷଣ ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାଠାରୁ 17 ଗୁଣ ଅଧିକ ଘାତକ ଥିଲା ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।
ଗୁଜୁରାଟର ଅହମଦାବାଦ ସ୍ଥିତ ମହାକାଶ ଉପଯୋଗ କେନ୍ଦ୍ରରେ ଇସ୍ରୋ ବୈଜ୍ଞାନିକ କେଏମ ଶ୍ରୀଜିତଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଇଥିଲା । 2003 ରେ ଉତ୍ତର କୋରିଆ ପରମାଣୁ ଚୁକ୍ତିରୁ ଅଲଗା ହେବା ପରଠାରୁ ତାର ସମସ୍ତ ପରମାଣୁ ଗତିବିଧିକୁ ନେଇ ଏହି ଗବେଷଣା କରାଯାଇଛି । ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ 5 ଥର ଭୂଗର୍ଭରୁ ପରମାଣୁ ପରୀକ୍ଷଣ କରିଥିଲେ । ଏହା ବ୍ୟତୀତ 2017 ସେପ୍ଟେମ୍ବର 3 ରେ ସମ୍ଭବତଃ ହାଇଡ୍ରୋଜେନ ବୋମା ପ୍ରସ୍ତୁତ କରିଥିଲେ ।
ସାଧାରଣତଃ ଭୁକମ୍ପ ମାପକ ଯନ୍ତ୍ର ବା ତାର ତଥ୍ୟ ଦ୍ବାରା ପରମାଣୁ ପରୀକ୍ଷଣର ଗବେଷଣା କରାଯାଇଥାଏ । କିନ୍ତୁ ଉତ୍ତର କୋରିଆର ଭୂକମ୍ପ ତଥ୍ୟ ଉବଲବ୍ଧ ନଥିବା ଯୋଗୁଁ ଇସ୍ରୋ ସେଟେଲାଇଟ ତଥ୍ୟରୁ ଏହି ଗବେଷଣା କରିଥିଲା । ଏହି ଗବେଷଣା ପାଇଁ ଇସ୍ରୋ ଜାପାନ ଉପଗ୍ରହ ଏଏଲଓଏସ-2 ଏବଂ ଇନଏସଏଆର ଟେକନୋଲୋଜିର ବ୍ୟବହାର କରିଥିଲା ।