ହାଇଦ୍ରାବାଦ: କେମିତି ରହିବ ନୂଆ ଜାତୀୟ ଶିକ୍ଷା ନୀତି-2020 ? ପ୍ରାଥମିକ ଶିକ୍ଷାରୁ ନେଇ ଉଚ୍ଚଶିକ୍ଷା ସବୁ କ୍ଷେତ୍ରରେ ଏଥିରୁ ସୁଫଳ ମିଳିବ କି ? ପ୍ରକୃତରେ ନୂଆ ଶିକ୍ଷା ନୀତିରୁ ଦେଶକୁ ଫାଇଦା ମିଳିବ କି? ଏହା କେତେଦୂର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ସହାୟକ ହୋଇପାରିବ ? ଏସବୁର ଉତ୍ତର ଜାଣିବା ପାଇଁ ପଢନ୍ତୁ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ କ୍ରିଷ୍ଣା କୁମାରଙ୍କ ସହ ଇଟିଭି ଭାରତର ସାକ୍ଷାତକାର।
1) ନୂଆ ଜାତୀୟ ଶିକ୍ଷା ନୀତି-2020 ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି। ସରକାର କହୁଛନ୍ତି ଯେ, ଶିକ୍ଷା ଢାଞ୍ଚାର ବିଭିନ୍ନ ଦିଗକୁ ନେଇ ଏଥିରେ ସଂଶୋଧନ ଏବଂ ସୁଧାର ଅଣାଯାଇଛି। ନୀତି ଜରିଆରେ ସରକାରୀ ପରିଚାଳନା ଏବଂ କଟକଣାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ଶିକ୍ଷା ନୀତିକୁ ନେଇ ଆପଣ କିପରି ମୂଲ୍ୟାୟନ କରିବେ? ଏହା ଆମର ଶିକ୍ଷା ବ୍ୟବସ୍ଥାକୁ ବଦଳାଇ ପାରିବ କି?
ଉତ୍ତର: ଶିକ୍ଷା ସର୍ବଦା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ବିରତି ସୃଷ୍ଟି କରିବା ଏକ ଅଜବ ଚିନ୍ତାଧାରା। ଆହୁରି ମଧ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ସାମାଜିକ ବ୍ୟବସ୍ଥା ଧାରା ଏବଂ ତଦନୁଯାୟୀ କାମ କରିଥାଏ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ରାଷ୍ଟ୍ରରେ ଶିକ୍ଷାର ବିଭିନ୍ନ ପ୍ରକାର ଭୂମିକା ତୁଲାଇଥାଏ। ଏହାର ସଂସ୍କାର ଏବଂ ଉନ୍ନତି ପାଇଁ ଆମେ ଯେତେବେଳେ ବିଚାର କରୁ ସେତେବେଳେ ଆମକୁ ଏହାର ବିଭିନ୍ନ ଭୂମିକା ନେଇ ବୁଝିବାର
ଆବଶ୍ୟକତା ରହିଛି। ତେଣୁ ସବୁଠାରୁ ପ୍ରାସଙ୍ଗିକ ପ୍ରଶ୍ନ ହେଉଛି - ନୂଆ ନୀତି ଆବଶ୍ୟକ ସଂସ୍କାରମୂଳକ ହେଉଛି କି ନାହିଁ ଏବଂ ବିଶେଷ କରି ଆମେ ଶିକ୍ଷାକୁ ଆମର ସାମାଜିକ ଆବଶ୍ୟକତା ଅନୁଯାୟୀ ଅଧିକ ଦାୟିତ୍ବସମ୍ପନ୍ନ କରିପାରୁଛେ କି ନାହିଁ। ଏହା ମଧ୍ୟ ଆମର ମନେ ରଖିବା ଉଚିତ୍ ଯେ, ଶିକ୍ଷା ବ୍ୟବସ୍ଥାରେ ଯାହାକିଛି ପରିବର୍ତ୍ତନ ହେବ ତାହା ଭବିଷ୍ୟତରେ ଯେଉଁ ସଂସ୍କାର ଆଣିବ ତାହା ଦୀର୍ଘସ୍ଥାୟୀ ହେଉଥିବ। କେବଳ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଦ୍ବାରା ଏହା କୌଣସି ସହାୟକ ହେବ ନାହିଁ।
2) ବର୍ତ୍ତମାନ ସ୍କୁଲ ଶିକ୍ଷାରେ ପ୍ରଚଳିତ 10+2 ଢାଞ୍ଚା ବଦଳାଯାଇ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟକ୍ରମ ପ୍ରଚଳନ କରାଯିବ। 3ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ 5+3+3+4 ନୂଆ ବ୍ୟବସ୍ଥା କରାଯିବ। ଏହା ଉପରେ ଆପଣଙ୍କର ମତାମତ କ’ଣ?
ଉତ୍ତର: ପ୍ରସ୍ତାବିତ ଏହି ବ୍ୟବସ୍ଥାରେ ପ୍ରଥମ 5 ବର୍ଷରେ ତିନି ବର୍ଷର ନର୍ସରୀ ଏବଂ ପ୍ରାଥମିକ ଶ୍ରେଣୀର ପ୍ରଥମ ଦୁଇଟି ଗ୍ରେଡ୍ ରହିବ। ଏହା ଚିନ୍ତାଜନକ କାହିଁକି ନା ପ୍ରାଥମିକ ବିଦ୍ୟାଳୟ ବା ପ୍ରି-ସ୍କୁଲ ସମୟରେ ପିଲାଙ୍କୁ ଅକ୍ଷର ଏବଂ ସଂଖ୍ୟା ସମ୍ପର୍କିତ ପାଠ ପଢାଯାଇ ସ୍କୁଲ ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରସ୍ତାବରେ
ଗଭୀର ମନସ୍ତାତ୍ତ୍ବିକ ପ୍ରଭାବ ପଡିବ। ମୁଁ ଏ ସମ୍ପର୍କରେ ନିକଟରେ ‘ଦି ହିନ୍ଦୁ’ରେ ପ୍ରକାଶିତ ‘ସମୟଠାରୁ ଆଗୁଆ ଶିକ୍ଷାଦାନରେ ବିପଦ’ଶୀର୍ଷକ ଏକ ଲେଖାରେ ବିସ୍ତୃତ ଆଲୋଚନା କରିଛି। ସେହିପରି ପ୍ରସ୍ତାବିତ ଶେଷ 4 ବର୍ଷରେ 4 ବର୍ଷିଆ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ରହିଛି। କିଛି ବର୍ଷ ପୂର୍ବେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏହାର ପ୍ରୟାସ କରାଯାଇ ପରେ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାର ବିଫଳତା ପଛର କାରଣ ଅନୁଧ୍ୟାନ ନକରି ଏଭଳି ପ୍ରୟାସର ପୁନରାବୃତ୍ତି ଠିକ୍ ହୋଇନପାରେ।
3) ନୂଆ ଶିକ୍ଷା ନୀତିରେ ଦର୍ଶାଯାଇଛି ଯେ, ‘ଯେଉଁଠି ସମ୍ଭବ ଅନ୍ୟୁନ ପଞ୍ଚମ ଗ୍ରେଡ ଯାଏଁ, କିନ୍ତୁ ବିଶେଷ ଭାବରେ ଅଷ୍ଟମ ଗ୍ରେଡ ଏବଂ ଏହାପର ଶ୍ରେଣୀରେ ପାଠପଢାର ମାଧ୍ୟମ ମାତୃଭାଷା/ସ୍ଥାନୀୟ ଭାଷା/ଆଞ୍ଚଳିକ ଭାଷା ରହିବ’। କିନ୍ତୁ ନୂଆ ନୀତି ଘୋଷଣା ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ
ନିଶାଙ୍କ ଏକ ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଥିଲେ ଯେ, ‘ସ୍କୁଲରେ ପାଠପଢାର ମାଧ୍ୟମ ସମ୍ପୃକ୍ତ ରାଜ୍ୟ ସରକାରମାନେ ସ୍ଥିର କରିବେ, ଏହା ସେମାନଙ୍କ ଅଧିକାରରେ ରହିବ’। ପାଠପଢାର ମାଧ୍ୟମ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ନେଇ ଆପଣଙ୍କର ମତ କ’ଣ? ଅନେକ ଔପନିବେଶବାଦ ସମାଜରେ ‘ପାଠପଢାର ମାଧ୍ୟମ’ଏକ ପୁରୁଣା ପ୍ରଚଳିତ ଶବ୍ଦ। ସ୍କୁଲ ଶିକ୍ଷାର ପ୍ରାରମ୍ଭରେ ପାଠଦାନ ପ୍ରଣାଳୀରେ ଭାଷାକୁ ନେଇ ରହିଥିବା ମୂଳ ସମସ୍ୟା ଏହାଦ୍ବାରା ଗୁରୁତ୍ବ ପାଇନଥାଏ । ଏହି ସମୟରେ ପିଲାଟିର ଭାଷାଜ୍ଞାନ ବଳରେ
ହିଁ ତାହାର ବଡ଼ ହେବାର ଅନେକ ସମ୍ଭାବନା ରହିଥାଏ। ଆମର ବ୍ୟବସ୍ଥା ପାଠପଢାର ‘ମାଧ୍ୟମ’ ପ୍ରଶ୍ନକୁ ନେଇ କେଉଁଠି ନା କେଉଁଠି ଅଟକି ଯାଇଛି। ଏହି ପ୍ରଶ୍ନର ସଠିକ୍ ଉତ୍ତର ନ ବୁଝିବା ଯାଏଁ ବିଭିନ୍ନ ରାଜ୍ୟରେ ଏବଂ ଏପରିକି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଚଳିତ ବର୍ତ୍ତମାନର ଅଭ୍ୟାସରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।
4) ଆମର ଶିକ୍ଷା ବ୍ୟବସ୍ଥାରେ ପ୍ରମୁଖ ସମସ୍ୟା ହେଉଛି ସ୍କୁଲରେ ଅଧାରୁ ପାଠ ଛାଡ଼ିବା। NSSO 2017-18ରେ କରିଥିବା ଏକ ସର୍ଭେ ଅନୁଯାୟୀ 6ରୁ 17 ବର୍ଷ ମଧ୍ୟରେ ସ୍କୁଲ ଯାଉନଥିବା ପିଲାଙ୍କ ସଂଖ୍ୟା 3 କୋଟି 22 ଲକ୍ଷ। ନୂଆ ଶିକ୍ଷା ନୀତି-2020ରେ 2030 ସୁଦ୍ଧା ମାଧ୍ୟମିକ ସ୍ତର ଯାଏଁ ନାମଲେଖା ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ନୀତି ସମର୍ଥ ହେବ କି?
ଅଧାରୁ ପାଠ ଛାଡିବା ବା ଡ୍ରପ୍ ଆଉଟ୍ ପ୍ରସଙ୍ଗ ବିଭିନ୍ନ ପ୍ରଦେଶ ଏବଂ ଅଞ୍ଚଳ ଭିତ୍ତିରେ ସମୀକ୍ଷା କରାଯିବା ଉଚିତ୍। ପ୍ରାଥମିକ ସ୍ତରରେ ଆଗରୁ ଡ୍ରପ୍ ଆଉଟ୍ ବହୁତ ଅଧିକ ରହିଥିଲା ଯାହାକି ସର୍ବ ଶିକ୍ଷା ଅଭିଯାନ ଏବଂ ଶିକ୍ଷା ଅଧିକାର ଆଇନ ଲାଗୁ ହେବା ପରେ ଅନେକାଂଶରେ ହ୍ରାସ ପାଇଛି। ଉଚ୍ଚ ପ୍ରାଥମିକ ସ୍ତରରୁ ଯେତେ ଉପରକୁ ଗଲେ ଡ୍ରପ୍ ଆଉଟ୍ ହାର ସେତେ ଅଧିକ ବଢିଥାଏ। ବିଶେଷ କରି ଝିଅ ମାନଙ୍କ କ୍ଷେତ୍ରରେ ଏବଂ
ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ତଳେ ରହିଥିବା ପିଲାଙ୍କ କ୍ଷେତ୍ରରେ ଏହା ବେଶୀ ଦେଖିବାକୁ ମିଳେ। ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକ ତୁଳନାରେ ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ। ଏଥିପାଇଁ ଉଭୟ ଅର୍ଥନୈତିକ ଏବଂ ଶିକ୍ଷାଗତ କାରଣ ରହିଛି। କୋଭିଡ-19 ମହାମାରୀ ଏହି ସମସ୍ୟାକୁ ଅଧିକ ଖରାପ କରିଦେବାର ସମ୍ଭାବନା ବି ରହିଛି। ଦୁର୍ଭାଗ୍ୟର କଥା ହେଉଛି କୋରୋନା ସଂକଟ ଯୋଗୁଁ ଶିକ୍ଷା ବ୍ୟବସ୍ଥା କିଭଳି ପ୍ରଭାବିତ ହୋଇଛି ଏବଂ କିପରି ଏହାର ମୁକାବିଲା କରାଯାଇପାରିବ ସେ ନେଇ କିଛି ବ୍ୟବସ୍ଥା କରାଯାଇନାହିଁ। ଏହାମଧ୍ୟରୁ ଅନେକ କିଛି ପ୍ରଭାବ ଦେଖିବାକୁ ମିଳି ସାରିଲାଣି। ଆମକୁ ଅତି ଜରୁରୀ ଭାବେ ଏସବୁକୁ ଅନୁଧ୍ୟାନ କରି ସମାଧାନର ଉପାୟ ବାହାର କରିବାକୁ ପଡ଼ିବ। ନଚେତ୍ ନିକଟ ଅତୀତରେ ଯାହା ବି କିଛି ଲାଭ ମିଳିଛି ତାହା ହରାଇବାକୁ ପଡ଼ିବ।
5) ମୂଲ୍ୟାୟନ ପ୍ରଣାଳୀ ଏବଂ ପରୀକ୍ଷା ବ୍ୟବସ୍ଥାରେ ପ୍ରସ୍ତାବିତ ପରିବର୍ତ୍ତନ ନେଇ ଆପଣଙ୍କର ମତ କ’ଣ?
ପୂର୍ବ କମିଟିଗୁଡ଼ିକ ଦେଇଥିବା ଅନେକ ସୁପାରିସ ଏବେ ବି ରହିଛି। ବୋର୍ଡ ପରୀକ୍ଷାର ମୂଲ୍ୟାୟନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ 2005ରେ ନ୍ୟାସନାଲ ଫୋକସ୍ ଗ୍ରୁପ୍ ଅନ୍ ଏକଜାମିନେସନ ରିଫର୍ମସ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିଥିଲା। କେନ୍ଦ୍ର କିମ୍ବା ରାଜ୍ୟ ବୋର୍ଡ କେହି ବି ସେମାନଙ୍କର ଆଭିମୁଖ୍ୟରେ ସଂସ୍କାର ଆଣିବା ଦିଗରେ ଆଗେଇବା ଲକ୍ଷ୍ୟ କରାଯାଉନାହିଁ। ଦେଖାଯାଉ ଆଗକୁ କ’ଣ ସବୁ ଘଟୁଛି।
6) ସରକାରୀ ତଥ୍ୟ ଅନୁଯାୟୀ 2016-17ରେ 1 ଲକ୍ଷ 8 ହଜାର 17ଟି ସ୍କୁଲରେ କେବଳ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂଆ ଶିକ୍ଷା ନୀତିରେ କୁହାଯାଇଛି ଯେ, ‘ଛୋଟ ଛୋଟ ସ୍କୁଲ ପୃଥକ୍ ପୃଥକ୍ ରହିବା ଦ୍ବାରା ଶିକ୍ଷା ବ୍ୟବସ୍ଥା ଏବଂ ପାଠପଢା ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି’। ଏହା ବି ଦର୍ଶାଯାଇଛି ସ୍କୁଲ ଗୁଡିକୁ ଗ୍ରୁପ୍ କରାଯାଇ କିମ୍ବା ଏହାକୁ ଅଧିକ ସୁଦୃଢ କରିବା ଦିଗରେ ନୂଆ ନୂଆ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ଆପଣଙ୍କର ମତ କ’ଣ?