ଭୋପାଳ: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଭଳି କୋରୋନା ବିପତ୍ତି ସମୟରେ ବି ଅସମ୍ବେଦନଶୀଳ ଆଚରଣ ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ରାସ୍ତା ମଝିରେ କୋରୋନା ସଂକ୍ରମିତ ରୋଗୀଙ୍କୁ ଛାଡିଦେଲା ଆମ୍ବୁଲାନ୍ସ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୋପାଳରେ । ଏନେଇ ପ୍ରତିଦିନ ରୋଗୀ କୋଭିଡ ହସ୍ପିଟାଲ ଏବଂ କ୍ୱାରାଣ୍ଟିନ କେନ୍ଦ୍ରରୁ ଅଭିଯୋଗ କରୁଛନ୍ତି ।
ତେବେ ସୂଚନା ମୁତାବକ, ଏୟାର ଇଣ୍ଡିଆ କମ୍ପାନୀର ବିମାନବନ୍ଦର ମ୍ୟାନେଜର 55 ବର୍ଷିୟ ଶ୍ୟାମ ଟେକାମ୍ କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ତାଙ୍କ ଇଚ୍ଛା ମୁତାବକ ହସ୍ପିଟାଲକୁ ନ ନେଇ ଏକ ଅଲଗା ହସ୍ପିଟାଲକୁ ନେଉଥିଲେ । ଏଥିରି ପ୍ରତିବାଦ କରିବାରୁ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲା । ଏନେଇ ସମ୍ପୃକ୍ତ ଆମ୍ବୁଲାନ୍ସର ଡ୍ରାଇଭରକୁ ଚାକିରିରୁ ବାହାର କରି ଦିଆଯାଇଛି । ଏବଂ ଏହି ଘଟଣାର ସତ୍ୟାସତ୍ୟ ଜଣିବା ପାଇଁ ତଦନ୍ତ ଜାରି ରହିଛି ।