ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦ୍ଵାରା ସୃଷ୍ଟି ହୋଇଥିବା ଜନଅସନ୍ତୋଷ, ଅଭିଯୁକ୍ତଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ଏକ ରହସ୍ୟପୂର୍ଣ୍ଣ ହତ୍ୟାର ଶିକାର କରାଇଛି । ଏଇ କିଛିବର୍ଷ ହେଲା ମହିଳା ଓ ଶିଶୁମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି ହୋଇଛି। ଦୁଷ୍କର୍ମ ଭଳି ଅପରାଧ ଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ନ୍ୟାୟ ମନ୍ତ୍ରଣାଳୟ ସାରା ଦେଶରେ ପାଖାପାଖି ୧୦୦୦ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଉଭୟ ରାଜ୍ୟ ସରକାର ଓ ଉଚ୍ଚ ନ୍ୟାୟାଳୟ ଏ ସମ୍ପର୍କରେ ଏକମତ ହୋଇ ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଦରକାର। କାରଣ ଏବେ ପାଖାପାଖି ୧ଲକ୍ଷ ୬୭ ହଜାର ଦୁଷ୍କର୍ମ ମକଦ୍ଦମା ବିଚାର ଅପେକ୍ଷାରେ କୋର୍ଟରେ ପଡ଼ି ରହିଛି। ସେଥିରୁ ଏକ ଲକ୍ଷ ୬୦ ହଜାର ହେଉଛି ଶିଶୁଙ୍କୁ ଦୁଷ୍କର୍ମ ମାମଲା।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଯେହେତୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ହେଉଛି ରାଜ୍ୟ ସରକାରଙ୍କ ତାଲିକା କାର୍ଯ୍ୟ ଅନ୍ତର୍ଭୁକ୍ତ, ସେମାନେ ଏଥିଲାଗି ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଅପରପକ୍ଷେ କେନ୍ଦ୍ର ସରକାର ଏଭଳି ମାମଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ପାଣ୍ଠି ଉନ୍ମୁକ୍ତ କରିବା ଜରୁରୀ । ନହେଲେ ଦିନକୁ ଦିନ ବଢୁଥିବା ନିରାଶା ଯେତେବେଳେ ଶିଖରରେ ପହଞ୍ଚିବ ସେତେବେଳେ ଦେଶବାସୀ ଏମିତି ଶୀଘ୍ର ନ୍ୟାୟ ଆଶା କରିବେ।
କୌଣସି ଗଣତନ୍ତ୍ରରେ ଯେତେବେଳେ ଜନସାଧାରଣ ଭିଡ ଦ୍ଵାରା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସମର୍ଥନ କରନ୍ତି, ତେବେ ତାହା ଏକ ବିଫଳ ନ୍ୟାୟିକ ତଥା ପ୍ରଶାସନିକ ବ୍ୟବସ୍ଥାକୁ ଇଙ୍ଗିତ କରେ । ଏହାର ଏକ ଉଦାହରଣ ହେଉଛି ୭ ବର୍ଷ ପରେ ବି ନିର୍ଭୟା ମାମଲାର ଦୋଷୀ ଏବେବି ଜେଲରେ ଜୀବିତ ରହିଛି । ଯଦି ୭ ବର୍ଷ ପରେ ଏକ ଦୁଷ୍କର୍ମକାରୀକୁ ଶୁଣାଯାଇଥିବା ଦଣ୍ଡକୁ କାର୍ଯ୍ୟକାରୀ କରାଯାଉ ନାହିଁ ତେବେ କେଉଁଭଳି ଏକ ବିଚାର ବ୍ୟବସ୍ଥାରେ ଆମେ ରହିଛୁ ? ଏହିଭଳି ଅହେତୁକ ବିଳମ୍ବ ଲୋକଙ୍କୁ ଆଇନ ହାତକୁ ନେବା ଓ ତତ୍କ୍ଷଣିକ ନ୍ୟାୟ ଦାବି କରିବାକୁ ବାଧ୍ୟ କରିବ ନାହିଁ କି? ଫୌଜଦାରୀ ମାମଲାରେ ଅଭିଯୁକ୍ତ କୌଣସି ବ୍ୟକ୍ତି ଦଣ୍ଡ ଭୋଗିବାର ଅନେକ ବର୍ଷ ପରେ ଶୁଣାଣି ସମ୍ମୁଖୀନ ହେଉଛି । ସେହିପରି ଦେୱାନୀ ମାମଲାରେ ଦୁଇ-ତିନି ପିଢି ଅପେକ୍ଷା କରୁଛି ତା’ର ବାପା, ଜେଜେ ବାପା ବା ବୁଢା ଜେଜେବାପା ଆବେଦନ କରିଥିବା ମକବ୍ଦମାରେ ନ୍ୟାୟ ପାଇବା ଲାଗି । ଏହା ଏକ ଗମ୍ଭୀର ସମସ୍ୟା ।
ଆମ ଦେଶରେ ଏମିତି ବିଳମ୍ବିତ ନ୍ୟାୟ ପ୍ରଦାନ ପ୍ରକିୟା ଆଜିର ନୁହେଁ । ଦୀର୍ଘ ବର୍ଷ ହେଲା ଏପରି ବିଳମ୍ବିତ ବ୍ୟବସ୍ଥା ଚଳି ଆସୁଛି। ଫଳରେ ତଳ ସ୍ତରରେ ଥିବା ନ୍ୟାୟାଳୟ ଗୁଡ଼ିକରେ ବିଚାର ଅପେକ୍ଷାରେ ୩କୋଟିରୁ ଅଧିକ ସଂଖ୍ୟାର ମାମଲା ପଡି ରହିଛି। ଚିନ୍ତାର ବିଷୟ ଏହା ଯେ, ଏ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏହି ପଡି ରହିଥିବା ମାମଲା ଭିତରୁ ଦୁଇ ତୃତୀୟାଂଶ ବା ତା’ଠୁ ଅଧିକ ମାମଲା ହେଉଛି ଫୌଜଦାରୀ ମକବ୍ଦମା। ଏଭଳି ବିଶାଳ ସଂଖ୍ୟା ଆମ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଶୀଘ୍ର ଓ ଠିକଣା ଦଣ୍ଡ ବିଧାନର ଅଭାବକୁ ସୂଚାଉଛି।
ଏଭଳି ବିଳମ୍ବିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଦୁଇଟି ଦିଗରୁ ସମ୍ବେଦନଶୀଳ। ପ୍ରଥମରେ ଏହିପ୍ରକାର ବ୍ୟବସ୍ଥା ଦ୍ଵାରା ଅନେକ ସଂଖ୍ୟାରେ ଆମେ ପୀଡିତାକୁ ନ୍ୟାୟ ପାଇବାଠୁ ବଞ୍ଚିତ କରୁଛୁ। ଦ୍ଵିତୀୟରେ ଏହି ମନ୍ଥର ପ୍ରକ୍ରିୟା ହେତୁ ଅନେକ ସମୟରେ ବିଚାରାଧୀନ କଏଦୀମାନେ ତାଙ୍କ ଦୋଷ ପାଇଁ ଯେତିକି ଦଣ୍ଡ ବିଧାନ ପାଇବା କଥା ତା’ଠୁ ଅଧିକ ସମୟ ଜେଲରେ କଟାଉଛନ୍ତି। କୋର୍ଟରେ ବଳାତ୍କାର ତଥା ଦୁଷ୍କର୍ମ ମାମଲା ଗୁଡିକର ସଂଖ୍ୟା ଯଥେଷ୍ଟ ପରିମାଣରେ ବଢିଚାଲିବା ଏକ ବାସ୍ତବ ସମସ୍ୟା। ଅବଶ୍ୟ ଫାଷ୍ଟଟ୍ରାକ୍ କୋର୍ଟ ଗଠନ ଦ୍ଵାରା ଭିନ୍ନ ଏକ ସମସ୍ୟା ଆମ ସାମ୍ନାରେ ଠିଆ ହୋଇଛି। ଏହି ପ୍ରକ୍ରିୟା ଦ୍ଵାରା ଦୋଷୀ ସାବ୍ୟସ୍ତ ହାର କମିଛି। ଦୁଷ୍କର୍ମ ମାମଲାରେ ମାତ୍ର ୩୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ଫୌଜଦାରୀ ମାମଲାରେ ଆବଶ୍ୟକ ପ୍ରକ୍ରିୟା ସବୁ ଯେମିତି ପୁଲିସ ତଦନ୍ତ, ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି, ବିଚାରପତିଙ୍କ ପାଖରେ ସମୟ ଅଭାବ ତଥା କୋର୍ଟରେ ବିଚାରପତିଙ୍କ ସଂଖ୍ୟା କମ୍ ପ୍ରଭୃତି, ଅଭିଯୋଗର ସତ୍ୟତା ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ସମର୍ଥନ ହାସଲ କରିବାରେ ବିଫଳ ହେଉଛି ।
ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଆମେ ସମପରିମାଣରେ ଦାୟୀ କରିପାରିବା । କାରଣ ବିଭିନ୍ନ ହାଇକୋର୍ଟରେ ୧୦୭୯ ବିଚାରପତି ପଦବୀରୁ ଖାଲିଥିବା ବେଳେ ୪୧୦ଟି ପଦବୀ ପୂରଣ କରିବା ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି। ଗତ ଶୁକ୍ରବାର ସୁପ୍ରିମ୍କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଥିଲେ। ହାଇକୋର୍ଟ ମାନଙ୍କରେ ଖାଲିଥିବା ଜଜ୍ ପଦବୀ ପୂରଣ କରିବା ଲାଗି କଲିଜିୟମ୍ ସୁପାରିଶ କରିଥିବା ନାଁ ଗୁଡ଼ିକ ବାବଦରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନ ନେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଧି ଅନୁସାରେ ଯେତେବେଳେ ଜଜଙ୍କ ନିଯୁକ୍ତି ପାଇଁ ଆସିଥିବା ନାଁକୁ କେନ୍ଦ୍ର ସରକାର ଫେରାନ୍ତି ତାହାକୁ କଲିଜିୟମ୍ ପୁନଃ ବିଚାର କରିଥାଏ । କିନ୍ତୁ ପୁନଃବିଚାର ପରେ ଯଦି କଲିଜିୟମ୍ ପୁଣିଥରେ ସେହି ନାଁକୁ ଅନୁମୋଦନ ପାଇଁ ପଠାନ୍ତି ତେବେ ଆଉ କେନ୍ଦ୍ର ତାହାକୁ ଫେରାଇ ପାରିବେ ନାହିଁ। ଏହିଭଳି ବାଦ ବିବାଦ ଭିତରେ ଯଦି ହାଇକୋର୍ଟ ଗୁଡ଼ିକରେ ଜଜ୍ ପଦବୀ ଖାଲି ପଡୁଛି ତେବେ ତାହା ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଏକ ତାଚ୍ଛଲ୍ୟ ।
ଯଦି ଭାରତୀୟ ମହିଳାମାନଙ୍କୁ ଏହିପରି ଘୃଣ୍ୟ, ଜଘନ୍ୟ ଅପରାଧର ଶିକାରରୁ ଆମେ ବଞ୍ଚାଇବାକୁ ଚାହୁଁଛୁ, ତେବେ ଏ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତ ସ୍ତମ୍ଭ- କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ବିଚାର ବ୍ୟବସ୍ଥା, ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ସାମଗ୍ରିକ ସଂସ୍କାର ଆଣିବାଲାଗି ଅବିଳମ୍ବେ ଆଗଭର ହେବା ଆବଶ୍ୟକ। ଏବେ ଭାରତର ବିଭିନ୍ନ କୋର୍ଟରେ ପାଖଶପାଖି ୩.୫ କୋଟି ମାମଲା ବିଚାର ଅପେକ୍ଷାରେ ପଡି ରହିଛି। ଏଥିରୁ ଅନେକ ୧୦ ବର୍ଷ ହେଲା ସେମିତି ଗଡ଼ୁଛି। ପଡି ରହିଥିବା ଏହି ମାମଲାଗୁଡିକ ଭିତରୁ ୧.୦୯ କୋଟି ମାମଲା ହେଉଛି ଦେୱାନୀ ମକବ୍ଦମା, ୨.୨୮ କୋଟି ମାମଲା ହେଉଛି ଫୌଜଦାରୀ ଏବଂ ୧୩.୧ ଲକ୍ଷ ମାମଲା ହେଉଛି ରିଭ୍ୟୁ ପିଟିସନ୍।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୌଣସି ନିମ୍ନ ଅଦାଲତରେ ଦାୟର ହୋଇଥିବା ମକବ୍ଦମା ରାୟ ପ୍ରଦାନ ପାଇଁ ହାରାହାରି ୩ରୁ ୪ ବର୍ଷ ସମୟ ଲାଗୁଛି ଠିକ୍ ସେହିପରି ଯଦି ମାମଲା ହାଇକୋର୍ଟକୁ ଯାଉଛି ତେବେ ତାହାର ଫଇସଲା ପାଇଁ ହାରାହାରି ୧୦ ବର୍ଷ ସମୟ ଲାଗିଥାଏ ଆଉ ଯଦି ମାମଲାଟି ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତର ହେଉଛି ତେବେ ସେଥିରେ ନ୍ୟାୟ ପାଇବାକୁ ଜଣେ ପୀଡିତ ବା ପୀଡିତାଙ୍କୁ ଆହୁରି ୧୦ ବର୍ଷ ସମୟ ଅପେକ୍ଷା କରିବାକୁ ପଡୁଛି।
ଯଦି ସେହି ମାମଲା ଏକ ଫୌଜଦାରୀ ମାମଲା, ତେବେ ନିମ୍ନ ଅଦାଲତରେ ରାୟ ପ୍ରଦାନ ପାଇଁ ହାରାହାରି ଦୁଇବର୍ଷ, ହାଇକୋର୍ଟ ବା ସୁପ୍ରିମ୍କୋର୍ଟକୁ ସେହି ମାମଲା ଗଲେ ରାୟ ପ୍ରଦାନ ବେଳକୁ ହାରାହାରି ୫ରୁ ୮ ବର୍ଷ ବିତୁଛି । ଏହି ଭଳି ବିଳମ୍ବିତ ନ୍ୟାୟ ପ୍ରଦାନର ମୂଳ କାରଣ ଗୁଡ଼ିକ ହେଉଛି, ଅଦାଲତ ଗୁଡିକରେ ବିଚାରପତି ଓ ଭିତ୍ତିଭୂମିର ଘୋର ଅଭାବ । ପ୍ରତିବର୍ଷ ଆମ ଦେଶରେ ପ୍ରାୟ ୫ କୋଟି ମକବ୍ଦମା ଦାୟର କରାଯାଉଛି ଆଉ ଜଜମାନେ ମାତ୍ର ୨ କୋଟି ମାମଲାରେ ରାୟ ପ୍ରଦାନ କରିପାରୁଛନ୍ତି। ଏହିଭଳି କାରଣଗୁଡିକୁ ନିମ୍ନରେ ଆଲୋଚନା କରାଯାଇପାରେ ।