ନୂଆଦିଲ୍ଲୀ: ଜାତିସଂଘରେ ଭାରତକୁ ଆଉ ଏକ ସଫଳତା ମିଳିଛି । ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପାଇଁ ହୋଇଥିବା ନିର୍ବାଚନରେ ଭାରତ ବାଜିମାତ୍ କରିଛି । 193 ସଦସ୍ୟ ଥିବା ସାଧାରଣ ପରିଷଦରେ ଭାରତକୁ 184 ଭୋଟ ମିଳିଛି । ଫଳରେ ବୁଧବାର ନିର୍ଦ୍ବନ୍ଦ୍ବରେ ଭାରତ ନିର୍ବାଚିତ ହୋଇଛି ।
2021-22ର ଅସ୍ଥାୟୀ ସଦସ୍ୟ ପାଇଁ 15 ଆସନ ବିଶିଷ୍ଟ ପରିଷଦରେ ଭାରତ ନିଜ ସଦସ୍ୟତା ପକ୍କା କରିଛି । ଜାତିସଂଘର 75 ତମ ବୈଠକରେ ହୋଇଥିବା ଏହି ନିର୍ବାଚନ ହୋଇଥିଲା । କୋଭିଡ୍ ନିୟମକୁ ପାଳନ କରି ଏହି ନିର୍ବାଚନ ପରିଚାଳନା କରାଯାଇଥିଲା ।
ଭାରତ ନିର୍ବାଚିତ ହୋଇଥିବା ନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏସ ତିରୁମୂର୍ତ୍ତୀ ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି,‘ମୁଁ ବହୁତ ଖୁସି ଯେ, ଭାରତ 2021-22 ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ପାଇଛି ।’
ସେହିପରି ଆମେ ନିର୍ବାଚନ ସମୟରେ ଭଲ ସମର୍ଥନ ପାଇଛୁ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ବସ୍ତରୀୟ ନେତୃତ୍ବ, ବିଶେଷକରି ଏହି କୋଭିଡ୍ ସମୟ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଦୃଢ କାର୍ଯ୍ୟଦକ୍ଷତା ପାଇଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।