ସମୁଦ୍ର ମଧ୍ୟରୁ ନିକ୍ଷେପ ହୋଇପାରୁଥିବା ସାମୁଦ୍ରିକ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି ଭାରତ । ରବିବାର ଆନ୍ଧ୍ରପ୍ରଦେଶ ନିକଟସ୍ଥ ବଙ୍ଗୋପସାଗର ମଧ୍ୟରେ ଥିବା ଏକ ଭାସମାନ ଜେଟି(ଡଙ୍ଗା)ରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା । ଏହା ୩୫୦୦ କିଲୋମିଟର ଯାଏଁ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବାର କ୍ଷମତା ରଖିଛି । ଯଦିଓ ଏହା ବାବଦରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ, କିନ୍ତୁ ବିଶ୍ଵସ୍ତ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏହି ସଫଳତା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଏକ ନୂଆ ଆଶା ଦେଇଛି । ପୁଣି କେ-୪ ଏସ୍ଏଲ୍ବିଏମ୍ର ଚକ୍ରାୟମାନ ତ୍ରୁଟି ସମ୍ଭାବନା(ସିଇପି) ଚୀନ ଦ୍ଵାରା ପ୍ରସ୍ତୁତ କ୍ଷେପଣାସ୍ତ୍ରଠାରୁ ଯଥେଷ୍ଟ ଉଚ୍ଚକୋଟୀର ଥିବା ଉଲ୍ଲେଖ କରାଯାଇଛି ।
ଯଦିଓ ଏହି କେ-୪ ଏସ୍ଏଲ୍ବିଏମ୍ର ସଫଳତା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ଡିଓ)ର ବୈଜ୍ଞାନିକମାନଙ୍କ ଉଦ୍ୟମ ପ୍ରଶଂସନୀୟ, କିନ୍ତୁ ଏହା ସାହାଯ୍ୟରେ ଯେ ଭାରତ ସମୁଦ୍ର ଗର୍ଭରେ ସମ୍ମୁଖୀନ ହେବାକୁ ଥିବା ସମସ୍ତ ଆଣବିକ ବିପଦକୁ ମୁକାବିଲା କରିପାରିବ ତାହା କହିବା ଅତିରଞ୍ଜିତ ହେବ । ଏହା ସତ୍ୟ ଯେ ଭାରତ ନିକଟରେ ବିଶ୍ଵ ଆଣବିକ ଯୁଦ୍ଧାସ୍ତ୍ରଧାରୀ ଦେଶଙ୍କ କ୍ଲବ୍ରେ ପ୍ରବେଶ କରିଛି । ଏଣୁ କେ-୪କୁ ଅଧିକ ପ୍ରଯୁକ୍ତିଗତ ଉପାୟରେ ପ୍ରସ୍ତୁତ କରିବା ଆବଶ୍ୟକ ରହିଛି । ଅପରପକ୍ଷେ ଦେଖିବାକୁ ଗଲେ, ଯଦି ଆମେ ଏସ୍ଏଲ୍ବିଏମ୍ ବିଷୟକୁ ଆଲୋଚନା କରୁ ତେବେ ଏ କ୍ଷେତ୍ରରେ ଆମେରିକା ଏବଂ ଋଷ ଆଗୁଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସୋଭିଏତ୍ ୟୁନିୟନ୍ରୁ ଅଲଗା ହେବା ପରେ ଋଷ ତାହାର ୟୁନିୟନର ସମସ୍ତ ସାମରିକ ଅସ୍ତ୍ରଶସ୍ତ୍ରକୁ ଅକ୍ତିଆର କରି ଏହି ଶକ୍ତି ହାସଲ କରିପାରିଛି ।
କୋଲ୍ଡ ୱାର୍ ସମୟରେ ଅର୍ଥାତ୍ ୧୯୮୦ ଦଶକରେ ଆମେରିକା ଏବଂ ଋଷ ଆଣବିକ ଶକ୍ତି ସମ୍ପନ୍ନ ଏହିପରି ଏସ୍ଏଲ୍ବିଏମ୍ ବିଭିନ୍ନ ସ୍ଥାନରେ ମୁତୟନ କରିଥିଲେ । ଆଣବିକ ଅସ୍ତ୍ରଶସ୍ତ୍ରକୁ ପରିବହନ କରିବା ଲାଗି ସ୍ଵତନ୍ତ୍ର ଭାବେ ନିର୍ମାଣ ହୋଇଥିବା ସବମେରାଇନ୍ ପରିବାହକ ଉପରେ ଏହାକୁ ସଜ୍ଜିତ କରାଯାଇ ଅଣ ଅଧ୍ୟୁଷିତ ସ୍ଥାନରେ ରଖାଯାଇଥିଲା । ଉଦ୍ଦେଶ୍ୟ ଥିଲା ଏହିପରି କ୍ଷେପଣାସ୍ତ୍ର ଯେମିତି ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳରେ ଅଭେଦ୍ୟ ହୋଇରହିପାରିବ । ଏହିସବୁ ଏସଏଲ୍ବିଏମ୍ ୧୨ ହଜାର କିଲୋମିଟର ଦୂରର ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଥିଲା । ପୁଣି ସେତବେଳେ ଏହି କ୍ଷେପଣାସ୍ତ୍ରର ସିଇପି ୧୦୦ ମିଟର ଭିତରେ ଥିଲା ।
ଯୁକ୍ତରାଜ୍ୟ ଏବଂ ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ର ମଧ୍ୟମ ଧରଣର ଆଣବିକଶକ୍ତି ସମ୍ପନ୍ନ ରାଷ୍ଟ୍ର । ସାମୁଦ୍ରିକ କ୍ଷେତ୍ରକୁ ବିଚାର କଲେ ଏହି ଦେଶ ସବୁ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଦ୍ଧ-ସାମୁଦ୍ରିକ ରଣକୌଶଳ ଉପରେ ନିର୍ଭରଶୀଳ । ଚୀନ ଅକ୍ଟୋବର ୧୯୬୪ ମସିହାରେ ନିଜକୁ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ବୋଲି ଘୋଷଣା କରିଥିଲା । ୧୯୮୨ ମସିହାରେ ଏହି ଦେଶ ପ୍ରଥମ ଏସ୍ଏଲ୍ବିଏମ୍ ପରୀକ୍ଷଣ କରିଥିଲା । ସେତେବେଳେ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ରର ନାଁ ଜେଏଲ୍-୧ ଥିଲା ଯାହା ମଧ୍ୟମ ଦୂରତାର ଲକ୍ଷ୍ୟସ୍ଥଳକୁ ପହଞ୍ଚିବାର କ୍ଷମତା ରକ୍ଷା କରିଥିଲା । ଅତିବେଶୀରେ ୧୭୦୦ କିଲୋମିଟରକୁ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିଲା । ପରବର୍ତ୍ତୀ ସମୟରେ ଚୀନ୍ ଏହାର ସୀମା ଭିତରେ ଥିବା ସାଗର ମଧ୍ୟରେ ଅଧିକ ନିବେଶ କରିଥିଲା । ଫଳରେ ଏହାର ସାମୁଦ୍ରିକ ପୋତ ସଂଖ୍ୟା ବଢିଲା । ନଭେମ୍ବର ୨୦୧୮ରେ ଚୀନ୍ ୯୦୦୦ କିଲୋମିଟର ଦୂରଗାମୀ ଏସ୍ଏଲ୍ବିଏମ୍ର ପରୀକ୍ଷଣ କରାଇଛି । ଏହାର ନାଁ ରହିଛି ଜେଏଲ୍-୩ । ପ୍ରସ୍ତାବିତ ରଣକୌଶଳ ଅନୁସାରେ ଏହି କ୍ଷେପଣାସ୍ତ୍ରକୁ ଚୀନ ୨୦୨୫ ସୁଦ୍ଧା ସେନା ବାହିନୀରେ ସାମିଲ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଇବ ।
ଏଣୁ ବିଶ୍ଵସ୍ତରରେ ସାମରିକ ରଣକୌଶଳ ତଥା ଆଞ୍ଚଳିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ଏହାର ଜଳ ପରିସୀମାର ସମୁଦ୍ର ଗର୍ଭରେ ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ରକୁ ମୁତୟନ କରିବା ଦରକାର । ଏଠାରେ ମନେ ପକାଇଦେବା ଜରୁରୀ ଯେ ସମୁଦ୍ର ଗର୍ଭରେ ଭାରତ ନିଜର ଆଣବିକ ଉପସ୍ଥିତି ୨୦୧୮ରେ ଜାହିର କରିଥିଲା । ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ଭାରତର ଗର୍ବ ଓ ଗୌରବ ଭାବେ ପୋତାଜାହାଜ ଆରିହନ୍ତ ସମୁଦ୍ର ଗର୍ଭରେ ଉପସ୍ଥିତ ହେଲା । ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ବିଟ୍ ବିଶ୍ଵସ୍ତରକୁ ଏହି ବାର୍ତ୍ତା ଦେଲା ଯେ ଭାରତ ଏବେ ଏମିତି ଏକ ରାଷ୍ଟ୍ର ଯାହା ପାଖରେ ମଧ୍ୟମ ହେଲେ ବି ଏକ ବିଶ୍ଵସନୀୟ ସାମୁଦ୍ରିକ ଅସ୍ତ୍ର ମହଜୁଦ ରହିଛି ।